ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପିସି ସରକାର। ବିଜେଡି ସରକାର ନୁହେଁ, ଏହା ପିସି ସରକାର। ନବୀନ ସରକାରଙ୍କ ଶାସନରେ ପିସି କାରବାର ଏକ ଭୟଙ୍କର ରୋଗରେ ପରିଣତ ହୋଇଗଲାଣି। ଏହାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ହଙ୍ଗମା ଆଦି ହୋଇଛି। ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠିଛି, ମୁଲତବୀ ପ୍ରସ୍ତାବ ଆସିଛି, ହଙ୍ଗମା ହୋଇଛି। “ପିସି ବିରୋଧରେ ଏକ ହେବା, ହକ୍ ନେବା” ନାମରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂଯୋଜକ ସମ୍ମିଳନୀ କରାଯାଇ ପିସି ବିରୋଧରେ ଲଢ଼େଇ ପାଇଁ ଆହ୍ୱାନ୍ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବ୍ଲକ୍ ଅଫିସ ଘେରାଉ, ତାଲା ପକାଇବା ଆଦି କାର୍ଯ୍ୟକ୍ରମ ମଧ୍ୟ ହେଲା। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପିସି କାରବାର ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରିଛନ୍ତି। କିନ୍ତୁ, କିଛି ଦିନ ତଳେ ପିସି କାରବାର ନେଇ ସାଂସଦ ଅପରାଜିତାଙ୍କ ଉପରେ ଉଠିଥିଲା ପ୍ରଶ୍ନ। ସାଂସଦଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ପ୍ରତିନିଧି ପିସି ନେଉଥିବା ନେଇ ଅଭିଯୋଗ ହେଲା। ପିସି ମାଗୁଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦ୍ୟୁଷ ହରିଚନ୍ଦନ। ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା ଗ୍ରାମରେ ଏକ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଓ୍ୱାର୍କ ଅର୍ଡର ଆସିଥିଲା। କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ। ୩ ଲକ୍ଷ ଟଙ୍କାର କାମ ପାଇଁ ୧୦ ପ୍ରତିଶତ ପିସି ଦେବାକୁ ଦାବି କରିଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦୋଷ। ମହିଳା ଜଣଙ୍କ କାନ୍ଦି କାନ୍ଦି ଅଭିଯୋଗ କଲେ ପ୍ରଦ୍ୟୁଷ ତାଙ୍କୁ ପିସି ପାଇଁ ବାରମ୍ବାର ଫୋନ୍ କରି ଧମକ ଦେଉଥିଲା। ପ୍ରଦ୍ୟୁଷ ପିସି ମାଗୁଥିବାର ଅଡିଓ ଭାଇରାଲ୍ ହେଲା। ଶେଷରେ ସାଂସଦ ତାଙ୍କ ଟାଙ୍ଗି ବ୍ଲକ୍ ପ୍ରତିନିଧି ପ୍ରଦ୍ୟୁଷ ହରିଚନ୍ଦନଙ୍କୁ ନିଲମ୍ବିତ କରିଦେଲେ।
-/Dev@Dr