Odiapua.com

ଇଏ କି ଗୋଳକଧନ୍ଦା: ଓଡ଼ିଶା ବିଜେପି ପାଇଁ ଅଲୋଡ଼ା କି ଅପରାଜିତା ?

ଭୁବନେଶ୍ୱର: କେନ୍ଦ୍ର ପାଇଁ ସିନା ଲୋଡ଼ା କିନ୍ତୁ, ଓଡ଼ିଶା ବିଜେପି ପାଇଁ ବୋଧେ ଅଲୋଡ଼ା ହୋଇ ପଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶା ବିଜେପି କଣଠେସା କରୁଥିବାର ଦେଖାଯାଉଛି। କେନ୍ଦ୍ରରେ ସିନା ଅପରାଜିତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦିଆଗଲା, କିନ୍ତୁ ରାଜ୍ୟ ବିଜେପି ତାଙ୍କୁ ଅଣଦେଖା କରୁଥିବା ପରି ଅନୁଭବ ହେଉଛି। ନିକଟରେ କୋଭିଡ୍ ନିୟମ ଉଲଘଂନ ଅଭିଯୋଗରେ ବିଏମସି ଯେତେବେଳେ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍ କରିଦେଲା ଅପରାଜିତା ରାଜ୍ୟ ସରକାରଙ୍କ ବିରୋଧରେ ଏକାକୀ ଲଢ଼ିବାର ଦେଖାଗଲା। ଏ’ ଲଢ଼େଇରେ ଅପରାଜିତା ଏକ ପ୍ରକାର ବିଜୟ ଲାଭ କଲେ ବୋଲି କୁହାଯାଇ ପାରେ। ବିଜେଡି ନେତା, ମନ୍ତ୍ରୀଙ୍କ ବିରୋଧରେ କୋଭିଡ୍ ନିୟମ ଉଲଘଂନ ଅଭିଯୋଗ ଆଣିବା ସହ ବିଜେଡି କାର୍ଯ୍ୟଳୟରେ କୋଭିଡ୍ ନିୟମ ଉଲଘଂନ ଅଭିଯୋଗ ଆଣି ବିଜେଡି ଅଫିସ୍ କେବେ ସିଲ୍ ହେବ ବୋଲି ପ୍ରଶ୍ନ ଉଠାଇ, କାର୍ଯ୍ୟାଳୟ ବାହାରେ ଅଫିସ୍ ଚଲାଇବା ଏବଂ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବିଏମସି ତାଙ୍କ ଅଫିସ୍ ସିଲ୍ ଖୋଲିଦେବା ଆଦି ଘଟଣା ପରେ ନବୀନ ସରକାରଙ୍କୁ ସିଧା ସଳଖ ଟାର୍ଗେଟ୍ କରିପାରୁ ଥିବା ବିଜେପିର କେହି ଜଣେ ନେତୃତ୍ୱ ବାହାରିଲେ ବୋଲି ସଙ୍ଗଠନର ତୃଣମୂଳ ସ୍ତର ଯାଏଁ ଆଲୋଚନା ହେଉଛି। କିନ୍ତୁ, ରାଜ୍ୟ ବିଜେପିର ସେପରି କୌଣସି ପ୍ରମୂଖ ନେତୃତ୍ୱ ଅପରାଜିତାଙ୍କ ସପକ୍ଷରେ ବାହାରିବା ପରି ଦେଖାଗଲା ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଅପରାଜିତା ଷଡ଼ଙ୍ଗୀଙ୍କ ସପକ୍ଷରେ ଓଡ଼ିଶା ବିଜେପିର ସେମିତି କୌଣସି ନେତାନେତ୍ରୀ ନାହାଁନ୍ତି। କେବଳ ଯେ ତାଙ୍କ ଅଫିସ୍ ସିଲ୍ ଘଟଣା ନୁହେଁ, ଅପରାଜିତା କୋଭିଡ୍ ନିୟମ ଉଲଘଂନ କଲେ ବୋଲି କହି ଏ’ ନେଇ ହୁଏତ ସପକ୍ଷରେ ବାହାରି ନଥିବା କଥା କହିପାରନ୍ତି ନେତାନେତ୍ରୀ। କିନ୍ତୁ, ବାସ୍ତବରେ ଏମାନେ କୌଣସି ବି କଥାରେ ଅପରାଜିତାଙ୍କୁ ଗୁରୁତ୍ୱ ଦେଲା ପରି ଅନୁଭବ ହେଉ ନାହିଁ। ଗୁରୁତ୍ୱ ଦେବେ ବା କ’ଣ ବରଂ ତାଙ୍କୁ ନିଚା ଦେଖାଇବାକୁ ଚେଷ୍ଟା ମଧ୍ୟ କରୁଥିବା ମଧ୍ୟ କୁହାଯାଉଛି। ଏପରିକି ଏବେ ହେବାକୁ ଥିବା ଉପନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଜିତିବା ଅପେକ୍ଷା ଅପରାଜିତା ଯେପରି ପବ୍ଲିସିଟି ପାଇ ନ’ଯାଆନ୍ତୁ, ନେଇ ଅଧିକ ଧ୍ୟାନ ଦେଇଥିଲେ ଓଡ଼ିଶା ବିଜେପିର କିଛି ନେତୃତ୍ୱ ବୋଲି କୁହାଯାଉଛି।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଗତ ଗୁରୁବାର ଦିନ ଅପରାଜିତା ଷଡ଼ଙ୍ଗୀ ଯାଇଥିଲେ ନିର୍ବାଚନ ପ୍ରଚାର ପାଇଁ। ସାଙ୍ଗରେ ଯାଇଥିଲେ ଅପରାଜିତାଙ୍କ ସମର୍ଥିତ ଏକ ଗୋଷ୍ଠୀ। ଅପରାଜିତା ଷଡ଼ଙ୍ଗୀ ବାଲେଶ୍ୱରରେ ପହଞ୍ଚି ବିଜେପି ପାର୍ଥି ମାନସ କୁମାର ଦତ୍ତଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ରୋଡ଼- ସୋ ଏବଂ ଘର ଘର ବୁଲି ପ୍ରଚାର କରି କାର୍ଯ୍ୟକର୍ତ୍ତା ମାନଙ୍କର ମନୋବଳ ବଢ଼ାଇବା ସହ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ବିଜେଡି ସରକାରକୁ ଆକ୍ଷେପ କରିଥିଲେ ଏବଂ ବିଜେପି ପାଇଁ ଭୋଟ ମାଗିଥିଲେ। ବାଲେଶ୍ଵର ଯିବା ରାସ୍ତାରେ ଅପରାଜିତା ଷଡ଼ଙ୍ଗୀଙ୍କୁ କଟକ, ଚଣ୍ଡିଖୋଲ, ଧର୍ମଶାଳା, ଯାଜପୁର, ପାଣିକୋଇଲି, ଭଦ୍ରକ, ସୋର, ବହାନଗା, ଶେରଗଡ଼ ଆଦି ସମେତ ଶେଷରେ ବାଲେଶ୍ଵର ମାଟିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତେବେ କୁହାଯାଉଛି, ବିଭିନ୍ନ ସ୍ଥାନରେ ହୋଇଥିବା ଥିବା ସ୍ୱାଗତ ସମ୍ବର୍ଦ୍ଧନା କିପରି କରାନଯିବ ନେଇ ସେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବାରଣ କରାଯିବା ସତ୍ତ୍ୱେ ଅନେକ କାର୍ଯ୍ୟକର୍ତ୍ତା ମାନେ ଅପରାଜିତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେହିପରି ବାଲେଶ୍ଵରରେ ମଧ୍ୟ ଅପରାଜିତାଙ୍କୁ ସ୍ୱାଗତ କରିବା ଭିତରେ କେତେକଙ୍କ ମଧ୍ୟରେ କାର୍ପଣ୍ୟତା ଦେଖାଦେଇ ଥିଲା। ବାଲେଶ୍ଵର ଅଞ୍ଚଳର ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ ଅପରାଜିତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ସତ, କିନ୍ତୁ ତାଙ୍କୁ ପାଛୋଟି ନେବା ପରିବର୍ତ୍ତେ ହଠାତ୍ ସେଠାରୁ ଚାଲିଯିବାର ଦେଖାଯାଇ ଥିଲା। ସେହିପରି ବାଲେଶ୍ୱର ପ୍ରଭାରୀ ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଠାରୁ ଆରମ୍ଭ କରି ସେଠାରେ ଉପସ୍ଥିତ ଥିବା ପ୍ରମୂଖ ନେତାନେତ୍ରୀ ମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଗୁଡ଼ିକରେ ଅପରାଜିତାଙ୍କ ଗସ୍ତ ନେଇ ପୂର୍ବରୁ କିମ୍ବା ଗସ୍ତ ସମୟର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ କୌଣସି ବି ପୋଷ୍ଟ୍ ଦେଖିବାକୁ ମିଳିଲା ନାହିଁ। ଯେତେବେଳେ କି କେତେକ ବାଲେଶ୍ଵରରେ ଥାଇ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ତିର୍ତ୍ତୋଲ ଗସ୍ତ ନୁହେଁ ଭର୍ଚୁଆଲ୍ ରାଲି ଭାଷଣକୁ ଶ୍ରେୟ ଦେଇ ପ୍ରଚାର କଲେ। ଆଉ ଶନିବାର ଧର୍ମେନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ଗସ୍ତ ନେଇ ପୂର୍ବରୁ ଏବଂ ପରେ ପ୍ରଚାର ପ୍ରସାର କଲେ। ଆଶ୍ଚର୍ଯ୍ୟ କଥା ବାଲେଶ୍ଵର ପ୍ରଭାରୀ ଗୋଲକ ମହାପାତ୍ର ବାଲେଶ୍ଵରରେ ଥାଇ, ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଅପରାଜିତାଙ୍କ ଗସ୍ତ କଥା ପ୍ରଚାର ନକରି ଧର୍ମେନ୍ଦ୍ରଙ୍କ ତିର୍ତ୍ତୋଲ ଭର୍ଚୁଆଲ୍ ରାଲିର ପ୍ରଚାର କରୁଥିଲେ। ପରେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ଠାରୁ ଆରମ୍ଭ କରି ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଭାପତି ସମୀର ମହାନ୍ତି ଏପରିକି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବାଲେଶ୍ଵର ଗସ୍ତକୁ ନେଇ “ବାଲେଶ୍ୱର ପ୍ରଚାର ମଇଦାନରେ ପଂହଁଚିଲେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର” ବୋଲି ପୋଷ୍ଟ୍ କଲେ। କିନ୍ତୁ, ଉପନିର୍ବାଚନ ପାଇଁ ବିଜେପିର ଅନ୍ୟତମ ଷ୍ଟାର୍ ପ୍ରଚାରକ, ରାଜ୍ୟ ଉପାଧ୍ୟକ୍ଷା, ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ପରି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନର ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାଲେଶ୍ୱର ଗସ୍ତ ସମ୍ବଦ୍ଧରେ ପଦଟିଏ ଲେଖିଲେନି ଗୋଲକ। ଓଡ଼ିଶା ବିଜେପିରେ ଚାଲିଛି ଏ’ କି ଗୋଲକ ଧନ୍ଦା ବୋଲି ଭିତରେ ଭିତରେ ଆଲୋଚନା ଚାଲିଛି। ଏ’ ସବୁ କଥା ଆଉ ଏକ କଥାରୁ ସ୍ପଷ୍ଟ ହୋଇଯାଏ, ବିଜେପି ଓଡ଼ିଶାର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରମାଗତ ପ୍ରଚାର, ପୋଷ୍ଟ୍ ଦେଖିବାକୁ ମିଳୁଥିବା ବେଳେ ଅନ୍ୟାନ୍ୟ କେତେକ ନିର୍ଦ୍ଦିଷ୍ଟ ନେତୃତ୍ୱଙ୍କ ପୋଷ୍ଟ୍ ମଧ୍ୟ ସମୟ ସମୟରେ ଦେଖିବାକୁ ମିଳେ। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କର ବୋଧେ ଏକଦମ୍ ଶୁନ୍। ଏଥିରୁ ବିଜେପି ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅପରାଜିତାଙ୍କ ପ୍ରତି କେତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି, ତାହା ଜଣାପଡ଼ି ଯାଉଥିବା ବେଳେ ଏ’ ସବୁ କାହା ଇଙ୍ଗିତରେ ହେଉଛି, ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି।
/- ଦେବଦତ୍ତ ରଥ