Odiapua.com

କରୋନା ଡର : ବାତିଲ ହୋଇପାରେ ଆଇପିଏଲ୍ – ୧୪ ମାର୍ଚ୍ଚରେ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକ

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) : ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲ୍ କୁ ଏବେ କରୋନା ଭୟ ଘାରିଲାଣି। ଖବର ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ବଡ ପଦକ୍ଷେପ ନେଉଥିବାର ଦେଖାଯାଉଛି। ଯଦିଓ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ, କର୍ଣ୍ଣାଟକ ସରକାର ପ୍ରଥମେ ମ୍ୟାଚ୍ ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅପରପକ୍ଷରେ ମହାରାଷ୍ଟ୍ର ଆଇପିଏଲର ପ୍ରଥମ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରକାଶ। ଅବଶ୍ୟ ଏହା ସରକାରୀ ଭାବେ ପୁଷ୍ଟି କରାଯାଇନାହିଁ। ଏସବୁକୁ ଦୃଷ୍ଟିରେ ରଖି ଆଇପିଏଲର ଗଭର୍ଣ୍ଣିଙ୍ଗ କାଉନସିଲ୍ ଆସନ୍ତା ୧୪ରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୧୪ ରେ କରୋନାଭାଇରସ ସମ୍ବନ୍ଧୀୟ ଏକ ବୈଠକ କରିବ। ଏହି ବୈଠକରେ ଆଇପିଏଲ ବାତିଲ ହେବ କି ନାହିଁ ତାହା ସ୍ଥିର ହେବ।

ଭିସା ନୀତିରେ ଭାରତ ସରକାର କରିଥିବା ପରିବର୍ତ୍ତନ ଯୋଗୁଁ ବିଦେଶୀ ଖେଳାଳିଙ୍କ ପାଇଁ ଅସୁବିଧା ଦେଖାଯାଇପାରେ। ଆଇପିଏଲ ଖେଳିବାକୁ ଭାରତକୁ ଆସୁଥିବା ୬୦ ଜଣ ବିଦେଶୀ ଖେଳାଳି ଭିସା ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଖାଲି ଷ୍ଟାଡିୟମରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି, ତେବେ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ମାର୍ଚ୍ଚ ୧୧ ବୁଧବାର ପର୍ଯ୍ୟନ୍ତ ଭାରତରେ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ପହଁଚିଛି। ସମଗ୍ର ବିଶ୍ୱରେ ଏହି ଭୁତାଣୁ ଯୋଗୁଁ ୪, ୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକପୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି।