Odiapua.com

ବାୟୁସେନାରେ ରାଫେଲ ଜେଟ

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ପ୍ରଥମ ୫ଟି ରାଫେଲ ଏୟାର କ୍ରାଫ୍ଟ ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି। ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ ୨୭ ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା। ତେବେ ଅଳ୍ପ ସମୟ ପାଇଁ ବାଟରେ ୟୁଏଇର ଅଲ ଧାଫ୍ରା ଏୟାରବେସରେ ଏହା କିଛି ସମୟ ପାଇଁ ଅଟକିଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକୁ ଭାରତୀୟ ବାୟୁସେନାର ବୈମାନିକମାନେ ଏହାକୁ ଉଡାଇ ଆଣିଥିଲେ। ଫ୍ରାନ୍ସରୁ ଭାରତ ଆସିବାକୁ ପ୍ରାୟ ୮୫୦୦ କିଲୋମିଟର ଯାତ୍ରା କରିବାକୁ ପଡିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକ ପ୍ରାୟ ୭.୩୦ ଘଣ୍ଟାରେ ୫୮୦୦ କିଲୋମିଟର ଅତିକ୍ରମ କରିଥିଲା। ଫରାସୀ ବାୟୁସେନା ଟ୍ୟାଙ୍କର ଆକାଶମାର୍ଗରେ ଏଥିରେ ଇନ୍ଧନ ଭରିଥିଲେ। ଅବଶିଷ୍ଟ ୨୭୦୦ କିଲୋମିଟର ପଥ ଭାରତୀୟ ବାୟୁସେନାର ଟ୍ୟାଙ୍କର ଦ୍ଵାରା ଇନ୍ଧନ ଭର୍ତ୍ତି କରାଯାଇ ଅଣାଯାଇଥିଲା। ଫ୍ରାନ୍ସ ସରକାର ଓ ଏହାର କାରଖାନା ଉପଯୁକ୍ତ ସମୟରେ ବିମାନ ହସ୍ତାନ୍ତର କରିଥିବା ଯୋଗୁଁ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଉଚ୍ଚ ପ୍ରଶଂସା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଉଚିତ ସମୟ ଓ ବିନା ବାଧାବିଘ୍ନରେ ଏହି ଏୟାରକ୍ରାଫ୍ଟଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା।

ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନ ପୁନରୁଦ୍ଧାର ହୋଇଥିବା ଗୋଲ୍ଡେନ ଆରୋ ନାମକ ବାୟୁସେନାର ସପ୍ତଦଶ ସ୍କ୍ୱାଡ୍ରନର ଅଂଶବିଶେଷ ଭାବେ ଏହି ଏୟାରକ୍ରାଫ୍ଟଗୁଡିକ କାର୍ଯ୍ୟ କରିବେ। ଅମ୍ବାଲା ବାୟୁସେନା କେନ୍ଦ୍ରରେ ୧୯୫୧ ଅକ୍ଟୋବର ପହିଲା ଦିନ ଏହି ସ୍କ୍ୱାଡ୍ରନ ପ୍ରଥମେ ପ୍ରତିଷ୍ଠା ହୋଇଥିଲା। ଏହି ସପ୍ତଦଶ ସ୍କ୍ୱାଡ୍ରନର ପୂର୍ବରୁ ଅନେକ ସୁନାମ ରହିଛି। ୧୯୫୫ରେ ପ୍ରଥମଥର ପାଇଁ ଏଥିରେ ପ୍ରଥମ ଯୁଦ୍ଧ ବିମାନ ଡି-ହାଭିଲାଣ୍ଡ ଭାମ୍ପାଇର ସାମିଲ ହୋଇଥିଲା।

ଆସନ୍ତା ମାସ ଦ୍ଵିତୀୟାର୍ଦ୍ଧରେ ସପ୍ତଦଶ ସ୍କ୍ୱାଡ୍ରନ ରାଫେଲ ଏୟାରକ୍ରାଫ୍ଟର ବିଧିବଦ୍ଧ ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସମାରୋହ ସମ୍ପର୍କରେ ସବିଶେଷ ପରେ ଜଣାଇ ଦିଆଯିବ।