Odiapua.com

ଆଗାମୀ ୧୦ ଦିନ ମଧ୍ୟରେ ଭାରତୀୟ ରେଳ ଚଳାଇବ ୨୬୦୦ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ

– ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରାୟ ୩୬ ଲକ୍ଷ ପ୍ରବାସୀ ହେବେ ଉପକୃତ

– ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳ ଚଳାଇଛି ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ

– ଏପର୍ଯ୍ୟନ୍ତ ନିଜ ରାଜ୍ୟକୁ ଫେରିଛନ୍ତି ୩୬ ଲକ୍ଷ ପ୍ରବାସୀ

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଦେଶ ଏବେ କୋଭିଡ-୧୯ ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛି ରେଳ ମନ୍ତ୍ରଣାଳୟ। ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ରେଳ ମନ୍ତ୍ରଣାଳୟ ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟ ସରକାରମାନଙ୍କ ଆବଶ୍ୟକତା ଅନୁସାରେ ଆଉ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୬ ଲକ୍ଷ ପ୍ରବାସୀ ଉପକୃତ ହେବେ। ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ରେଳ ମନ୍ତ୍ରଣାଳୟ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିଥିଲା। ଦୁଇ ରାଜ୍ୟ ସରକାରଙ୍କ ସହମତି ଭିତ୍ତିରେ ରାଜ୍ୟର ଏକ ସ୍ଥାନରୁ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବାସୀମାନକୁ ନେଇ ଏହି ଟ୍ରେନ ଯାତ୍ରା କରିଆସୁଛି। ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକର ଚଳାଚଳ ସୁବିଧା ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳବାଇ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି। ଏପର୍ଯ୍ୟନ୍ତ ପ୍ରାୟ ୩୬ ଲକ୍ଷ ପ୍ରବାସୀ ସେମାନଙ୍କ ନିଜ ରାଜ୍ୟକୁ ଫେରିଯାଇଛନ୍ତି। ଶ୍ରମିକ ସ୍ପେଶାଲ ବ୍ୟତୀତ ରେଳ ମନ୍ତ୍ରଣାଳୟ ଗତ ୧୨ ତାରିଖରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଆରମ୍ଭ କରିଥିବା ବେଳେ ଆସନ୍ତା ଜୁନ ମାସ ପହିଲାରୁ ୨୦୦ ଟ୍ରେନ ସେବା ଚାଲୁ କରିବାକୁ ଘୋଷଣା କରିଛି।