Odiapua.com

ମେ’ ୨୫, ୨୦୨୦ ସୁଦ୍ଧା ରେଳବାଇ ୩୨୭୪ “ଶ୍ରମିକ ସ୍ପେଶାଲ” ଟ୍ରେନ ଜରିଆରେ ୪୪ ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଛି

– ପ୍ରବାସୀମାନଙ୍କୁ ଯାତ୍ରା କାଳରେ ଯୋଗାଇଛି ୭୪ ଲକ୍ଷ ମାଗଣା ମିଲ ଓ ୧ କୋଟିରୁ ଅଧିକ ପାଣି ବୋତଲ
– ଆଜି ଚାଲୁଥିବା ଟ୍ରେନଗୁଡିକରେ ଭିଡ ପରିମାଣ ହ୍ରାସ
– ଶ୍ରମିକ ସ୍ପେଶାଲ ସହ ରେଳ ବିଭାଗ ନୂଆଦିଲ୍ଲୀରୁ ଚଳାଚଳ ଆରମ୍ଭ କରିଛି ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ
– ଆସନ୍ତା ମାସ ପହିଲାରୁ ଅଧିକ ୨୦୦ ଟ୍ରେନ ଚଳାଚଳ କରିବାକୁ ଯୋଜନା
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା। ଗତକାଲି ଅର୍ଥାତ ୨୫.୦୫.୨୦୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟକୁ ୩୨୭୪ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତାୟାତ କରିଛି। ଏହିସବୁ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ପ୍ରାୟ ୪୪ ଲକ୍ଷ ଯାତ୍ରୀ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଗତକାଲି ପ୍ରାୟ ୨.୮୦ ଲକ୍ଷ ଯାତ୍ରୀଙ୍କୁ ନେଇ ୨୨୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଛି। ଆଇଆରସିଟିସି ପକ୍ଷରୁ ପ୍ରବାସୀ ଯାତ୍ରୀଙ୍କୁ ୭୪ ଲକ୍ଷ ମାଗଣା ମିଲ ଓ ୧ କୋଟିରୁ ଊର୍ଦ୍ଧ୍ଵ ପାଣି ବୋତଲ ଯୋଗାଇ ଦିଆଯାଇଛି। ଆଜି ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉ ନାହିଁ। ଶ୍ରମିକ ସ୍ପେଶାଲ ଟ୍ରେନ ସହ ରେଳବାଇ ଦିଲ୍ଲୀରୁ ୧୫ ଯୋଡା ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଆସନ୍ତା ମାସ ପହିଲାରୁ ଆହୁରି ୨୦୦ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି।