Odiapua.com

‘ପୃଥ୍ୱୀ-୨’ର ରାତ୍ରିକାଳୀନ ପରୀକ୍ଷା ସଫଳ

ବାଲେଶ୍ୱର, ୨୧ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ବାଲାଷ୍ଟିକ୍ ତଥା ଆଣମିକ ଯୁଦ୍ଧାସ୍ତ୍ର ବହନ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ୱୀ-୨’ର ଆଜି ସଫଳ ରାତ୍ରିକାଳୀନ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ଏବଂ ଷ୍ଟ୍ରାଟେଜି କମାଣ୍ଡେ ଫୋର୍ସର ମିଳିତ ସହଯୋଗରେ ଏହି ପରୀକ୍ଷା ହୋଇଥିଲା। ଆଇଟିଆର ୩ ନମ୍ବର ଲଞ୍ଚ କମ୍ପେ୍ଲକ୍ସରୁ ରାତ୍ରି ୭ଟା ୩୦ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଥିବା ଏହି ‘ପୃଥ୍ୱୀ-୨’କ୍ଷେପଣାସ୍ତ୍ର ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଡିଆରଡିଓର ରାଡ଼ାର ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର ଓଜନ ୪-୬ ଟନ ହୋଇଥିବା ବେଳେ ଲମ୍ବ ୮-୫୬ ମିଟର, ଓ ମୋଟେଇ ୧୧୦ ସେଣ୍ଟିମିଟର ଅଟେ। ୩୫୦ କିଲୋମିଟର ଦୂରତାରେ ଏହା ଲକ୍ଷ୍ୟଭେଦ କରୁଥିବା ବେଳେ ୫ଶହରୁ ୧୦୦୦ରେ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ଏହି କ୍ଷେପଣାସ୍ତ୍ରର। ୧୯୯୬ ମସିହା ଜାନୁଆରୀ ୨୭ ତାରିଖ ଦିନ ପୃଥ୍ୱୀ ମିଜାଇଲ୍ସର ପ୍ରଥମେ ପରୀକ୍ଷା କରାଯାଇଥିଲା। ୨୦୦୩ ମସିହାରୁ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇଛି।