Odiapua.com

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି – ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି – ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି

– ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫ % ରହିଛି ସକ୍ରିୟ ମାମଲା

କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରାୟ ୩ ମାସ (୮୫ ଦିନ) ପରେ ଭାରତରେ ସକ୍ରିୟ ମାମଲା ୬ ଲକ୍ଷ ତଳକୁ ହ୍ରାସ ପାଇଛି। ଆଜି ଭାରତରେ ସକ୍ରିୟ ମାମଲାର ସଂଖ୍ୟା ରହିଛି ୫.୯୪ ଲକ୍ଷ। ଅଗଷ୍ଟ ୬ ତାରିଖରେ ସକ୍ରିୟ ମାମଲା ଥିଲା ୫.୯୫।

ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫% ରହିଛି ସକ୍ରିୟ ମାମଲା, ଯାହାକି ୫, ୯୪, ୩୮୬। ଦ୍ରୁତ ଗତିରେ ହ୍ରାସ ପାଉଥିବା ଧାରାକୁ ଏହା ଦୃଢ଼ କରିଛି।

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ହ୍ରାସର ଜାରି ଥିବା ଧାରାରୁ ଜଣାପଡ଼ୁଛି କୋଭିଡ ମୁକାବିଲାରେ ସେମାନେ କେତେ ସଫଳ ହୋଇଛନ୍ତି।

ଭାରତରେ ମଧ୍ୟ ସର୍ବାଧିକ ଲୋକ ସୁସ୍ଥ ହୋଇଛନ୍ତି। ମୋଟ ୭୩, ୭୩, ୩୭୫ ଜଣ ସୁସ୍ଥ ହୋଇଛନ୍ତି। ବିଶ୍ୱସ୍ତରରେ ସୁସ୍ଥ ହେବା କ୍ଷେତ୍ରରେ ଭାରତ ଏକ ନମ୍ବରରେ ରହିଛି। ଏବେ ସକ୍ରିୟ ମାମଲା ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି ଏବଂ ଏହା ଆଜି ୬୭, ୭୮, ୯୮୯ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭, ୩୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮, ୬୪୮ଟି ନୂଆ ପଜିଟିଭ ମାମଲା ସାମନାକୁ ଆସିଛି। ଜାତୀୟ ସୁସ୍ଥତା ହାର ୯୧.୧୫%କୁ ବୃଦ୍ଧି ପାଇଛି।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୦% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ଗୋଟିଏ ଦିନରେ କେରଳରେ ସର୍ବାଧିକ ୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଏହା ପଛକୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୭ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୮, ୬୪୮ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି। ଏଥିରୁ ୭୮% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। କେରଳରେ ଗୋଟିଏ ଦିନରେ ଆସିଛି ୭ ହଜାର ନୂଆ ମାମଲା, ଯାହାକି ସର୍ବାଧିକ। ଏହା ପଛକୁ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୫ ହଜାର ଲେଖାଏଁ ନୂଆ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫୬୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮୧% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି। ମହାରାଷ୍ଟ୍ରରେ ଦିନକରେ ୧୫୬ ଜଣ ପ୍ରାଣ ହରାଇଛନ୍ତି, ଯାହାକି ସର୍ବାଧିକ। ଏହା ପଛକୁ ପଶ୍ଚିମବଙ୍ଗରେ ୬୧ ଜଣଙ୍କ ମୃତ୍ୟୁ ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ପରାମର୍ଶ କ୍ରମେ ଭାରତ ୧୦ ଲକ୍ଷ ଲୋକରେ ଦିନକୁ ୧୪୦ ନମୁନା ପରୀକ୍ଷା ପରାମର୍ଶକୁ ହାସଲ କରିପାରିଛି। ସନ୍ଦିଗ୍ଧ ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରିବାକୁ ଡବ୍ଲୁଏଚଓ ‘ପବ୍ଲିକ ହେଲଥ କ୍ରାଇଟେରିଆ ଟୁ ଆଡଜଷ୍ଟ ପବ୍ଲିକ ହେଲଥ ଆଣ୍ଡ ସୋସିଆଲ ମେଜରସ ଇନ୍ ଦ କଣ୍ଟେକ୍ସଟ ଅଫ କୋଭିଡ-୧୯’ ନିର୍ଦ୍ଦେଶାବଳୀରେ ଏହି ପରାମର୍ଶ ଦେଇଛି।

ପରାମର୍ଶ ଦିଆଯାଇଥିବା ସଂଖ୍ୟାଠାରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି ୩୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ। ନମୁନା ପରୀକ୍ଷା ହାରରେ ଭାରତରେ ଜାତୀୟ ହାର ରହିଛି ୧୦ ଲକ୍ଷରେ ୮୪୪। ଦିଲ୍ଲୀ ଏବଂ କେରଳରେ ଏହି ସଂଖ୍ୟା ୩ ହଜାରକୁ ଟପିଯାଇଛି।