Odiapua.com

ଭାରତରେ ସେପ୍ଟେମ୍ବର ସୁଦ୍ଧା ୩୫ ଲକ୍ଷ, ମାର୍ଚ୍ଚ ୨୦୨୧ ସୁଦ୍ଧା ୬ କୋଟି କରୋନା ସଂକ୍ରମଣ ହୋଇପାରେ : IISc ଅଧ୍ୟୟନ

ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ସେପ୍ଟେମ୍ବର ୧ ସୁଦ୍ଧା, ଖରାପ ପରିସ୍ଥିତିରେ, ଭାରତରେ ୩୫ ଲକ୍ଷ କରୋନା ସଂକ୍ରମଣ ହୋଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ଏହି ଅଧ୍ୟୟନ ବର୍ତ୍ତମାନର କରୋନା ସଂକ୍ରମଣ ଧାରା ଉପରେ ଆକଳନ କରାଯାଇଛି।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପ୍ରୋଜେକ୍ଟରେ କୁହାଯାଇଛି ଯେ ଦେଶରେ ଭଲ ପରିସ୍ଥିତିରେ ବର୍ତ୍ତମାନର ସଂକ୍ରମଣ ଅନୁସାରେ, ସେପ୍ଟେମ୍ବର ୧ ସୁଦ୍ଧା ଦେଶରେ ୨୦ ଲକ୍ଷ ଆକ୍ରାନ୍ତ, ୪.୭୫ ଲକ୍ଷ ସକ୍ରିୟ ଏବଂ ୮୮, ୦୦୦ ମୃତ୍ୟୁ ହୋଇପାରେ।

ଏହି ଅଧ୍ୟୟନରେ ପୁଣି କୁହାଯାଇଛି ଯେ ଭଲ ସ୍ଥିତିରେ, ମାର୍ଚ୍ଚ ୨୦୨୧ ସୁଦ୍ଧା ଦେଶରେ ୩୭.୪ ଲକ୍ଷ ଆକ୍ରାନ୍ତ, ୧୪ ଲକ୍ଷ ସକ୍ରିୟ ଅକ୍ରାନ୍ତ ଏବଂ ୧.୯ ଲକ୍ଷ ମୃତ୍ୟୁ ହୋଇପାରେ।

କିନ୍ତୁ ସବୁଠାରୁ ଖରାପ ପରିସ୍ଥିତିର ଆକଳନରୁ ଜଣାପଡିଛି ଯେ, ସେପ୍ଟେମ୍ବର ୧ ସୁଦ୍ଧା, ଭାରତରେ ୩୫ ଲକ୍ଷ, ମହାରାଷ୍ଟ୍ରରେ ୬.୩ ଲକ୍ଷ, ଦିଲ୍ଲୀ ୨.୪ ଲକ୍ଷ, ତାମିଲନାଡୁ ୧.୬ ଲକ୍ଷ ଏବଂ ଗୁଜୁରାଟରେ ୧.୮ ଲକ୍ଷ ଆକ୍ରାନ୍ତ ହୋଇପାରନ୍ତି ଏବଂ ଯେଉଁଥିରେ ସକ୍ରିୟ ଆକ୍ରାନ୍ତ ସମୁଦାୟର ୩୫% ହୋଇପାରେ।

IISc ପ୍ରଫେସର ଶଶୀକୁମାର ଜି , ଦୀପକ ଏସ ଏବଂ ଟିମ୍‌ କହିଛନ୍ତି ଯେ ସେପ୍ଟେମ୍ବର୧ ସୁଦ୍ଧା, ଭାରତରେ ୧.୪ ଲକ୍ଷ କରୋନା କାରଣରୁ ମୃତ୍ୟୁ ଘଟିପାରେ – ସେଥିମଧ୍ୟରୁ ମହାରାଷ୍ଟ୍ରର ୨୫, ୦୦୦, ଦିଲ୍ଲୀର ୯, ୭୦୦, କର୍ଣ୍ଣାଟକରୁ ୮, ୫୦୦, ତାମିଲନାଡୁର ୬, ୩୦୦ ଏବଂ ଗୁଜୁରାଟରୁ ୭, ୩୦୦।

ଏହି ଧାରାରେ, ନଭେମ୍ବର ୧ ସୁଦ୍ଧା ଭାରତରେ ୧.୨ କୋଟି ଆକ୍ରାନ୍ତ ଏବଂ ୫ ଲକ୍ଷ ମୃତ୍ୟୁ ଏବଂ ଜାନୁୟାରୀ ୧ ସୁଦ୍ଧା ୨.୯ କୋଟି ଆକ୍ରାନ୍ତ ଏବଂ ୧୦ ଲକ୍ଷ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ଅତି ଖରାପ ପରିସ୍ଥିତିରେ, ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ଭାରତରେ ୬.୨ କୋଟି ଆକ୍ରାନ୍ତ, ୮୨ ଲକ୍ଷ ସକ୍ରିୟ ଆକ୍ରାନ୍ତଙ୍କ ଅଟକଳ ସହିତ ଅତି ବେଶୀରେ ୨୮ ଲକ୍ଷ ମୃତ୍ୟୁ ଘଟିପାରେ।

ଏହାର “ଖରାପ ପରିସ୍ଥିତି” ପ୍ରୋଜେକ୍ଟରେ, ମଡେଲ୍ ୨୦୨୧ ମସିହା ଶେଷ ପର୍ଯ୍ୟନ୍ତ ଭାରତରେ କୌଣସି ଆକଳନ କରାଯାଇନାହିଁ। କିନ୍ତୁ ଭଲ ପରିସ୍ଥିତିରେ ଭାରତରେ କରୋନା ଆକ୍ରାନ୍ତ ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହ କିମ୍ବା ଅକ୍ଟୋବର ସୁଦ୍ଧା ସର୍ବୋଚ୍ଚ ସ୍ତରରେ ପହଁଚିପାରେ।

ନୂତନ ସଂକ୍ରମଣର ହାରକୁ ହ୍ରାସ କରିବା ପାଇଁ “ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନିଆ ଲକଡାଉନ୍” ଉପରେ ଗୁରୁତ୍ତ୍ୱ ଦିଆଯିବା ଆବଶ୍ୟକ।

ଅଧ୍ୟୟନରେ କୁହାଯାଇଛି ଯେ “ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ଲକଡାଉନ୍ ( ଯେପରିକି ରବିବାର ଏବଂ ବୁଧବାର ) ସମ୍ପୂର୍ଣ୍ଣ ଅନୁପାଳନ ସହିତ ଅନ୍ୟ ଦିନରେ ପର୍ଯ୍ୟାପ୍ତ ସାମାଜିକ ଦୂରତାକୁ ଗୁରୁତ୍ତ୍ୱ ଦିଆଗଲେ ସଂକ୍ରମଣ ହ୍ରାସ କରାଯାଇପାରିବ।

ଏହାସହ ଭାରତର କୋଭିଡ -୧୯ ଆରୋଗ୍ୟ ହାରରେ ସ୍ଥିର ଉନ୍ନତି ଉପରେ ଉଲ୍ଲେଖ କରାଯାଇଛି ଏବଂ ଉପଯୁକ୍ତ ଚିକିତ୍ସା ସେବା ସହିତ ଠିକ ସମୟରେ କ୍ୱାରେଣ୍ଟାଇନ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏଥିରେ କୁହାଯାଇଛି ଯେ ଟିକା ଅଭାବରୁ ସଂକ୍ରମଣକୁ କମ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟାଇନ୍‌ ଏବଂ ସାମାଜିକ ଦୂରତା ହେଉଛି ପ୍ରମୁଖ ପଦକ୍ଷେପ।

ଭାରତର କୋଭିଡ -୧୯ ବର୍ତ୍ତମାନ ୧୦ ଲକ୍ଷ ପାଖାପାଖି ଆକ୍ରାନ୍ତ ହେଲେଣି ୨୪, ୦୦୦ ରୁ ଅଧିକ ମୃତ୍ୟୁ ହୋଇଛି ଏବଂ ୬ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି।