Odiapua.com

ଭାରତ-ଚୀନ ୪ର୍ଥ ପର୍ଯ୍ୟାୟ ସାମରିକସ୍ତରୀୟ କଥାବର୍ତ୍ତା

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ପ୍ରକୃତ ନିୟନ୍ତ୍ରଣ ରେଖାରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ଉଭୟ ଭାରତ ଓ ଚୀନ ସାମରିକ ତଥା କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ଗତ ୧୪ ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଚୁସୁଲୁଠାରେ ୪ର୍ଥ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତ ପାର୍ଶ୍ୱରେ ହୋଇଥିବା ଏହି ଆଲୋଚନାରେ ଦୁଇ ପକ୍ଷର ବରିଷ୍ଠ ସାମରିକ ଅଧିକାରୀମାନେ ଭାଗ ନେଇଥିଲେ। ଦୁଇଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଦ୍ୱାରା ପୂର୍ବରୁ ହୋଇଥିବା ଆଲୋଚନା ଏବଂ ସୀମାରେଖାରୁ ପରସ୍ପର ପଛକୁ ହଟିବା ଆଦି ସଂପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ଚତୁର୍ଥ ପର୍ଯ୍ୟାୟ ବୈଠକରେ ତାହାର ସମୀକ୍ଷା କରାଯାଇଥିଲା। ଏହି ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଉଭୟ ପକ୍ଷ ସମୀକ୍ଷା କରିଥିଲେ।

ଦୁଇପକ୍ଷ ନିୟନ୍ତ୍ରଣ ରେଖାରୁ ସଂପୂର୍ଣ୍ଣ ଅପସରି ଆସିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗୀକାରବଦ୍ଧ ଅଛନ୍ତି। ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଏହା ଉପରେ ନିରନ୍ତର ନଜର ରଖିବାକୁ ପଡିବ। ଉଭୟ ପକ୍ଷ ସାମରିକ ଓ କୂଟନୈତିକ ସ୍ତରରେ ନିୟମିତ ବୈଠକ କରି ଏହି ପ୍ରକ୍ରିୟାକୁ ଆଗେଇ ନେଉଛନ୍ତି।