Odiapua.com

ସୀତାଙ୍କ ରାଜ୍ୟରେ ₹୫୩, ରାବଣ ରାଜ୍ୟରେ ₹୫୧ ଆଉ ରାମ ରାଇଜେ ₹୯୩! ତେଲ ଦର ବୃଦ୍ଧିକୁ ନେଇ ବିଜେପି ଏମପିଙ୍କ କଟାକ୍ଷ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ତେଲ ଦର। ତେଲ ବୃଦ୍ଧିକୁ ନେଇ ଅତିଷ୍ଠ ହୋଇ ପଡ଼ିଲେଣି ସାଧାରଣ ଜନତା। ବିରୋଧି ଆସନରେ ଥିଲା ବେଳେ ବିଜେପି ଏହି ତେଲ ଦର ବୃଦ୍ଧିକୁ ନେଇ କେତେଥର ଯେ ବିକ୍ଷୋଭ, ଆନ୍ଦୋଳନ ଆଉ ବନ୍ଦ ଡାକରା ଦେଇଛି ତା’ର ହିସାବ ନାହିଁ। ଆଜି କିନ୍ତୁ ତାଙ୍କର ଶାସନ ଚାଲିଛି। ତେଣୁ ସେମାନେ ନିରବ ସାଜିଛନ୍ତି। ତେଲ ସଂରକ୍ଷଣ ନ୍ୟାରା ଦେଇ ସାଇକେଲ ଚଲାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଣେ ଏହି ତେଲ ବୃଦ୍ଧିକୁ ନେଇ ୟୁପିଏ ଶାସନ କାଳରେ ବିଜେପି ଯେପରି ବିରୋଧ ପ୍ରଦର୍ଶନ କରୁଥିଲା ଏବେ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ସେପରି ବିରୋଧ ପ୍ରଦର୍ଶନ ତିଳେ ମାତ୍ର ଦେଖାଯାଉନି। ବରଂ ତେଲ ଦର ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି ଖୋଦ୍ ଶାସକ ବିଜେପି ଦଳର ସାଂସଦ ଶୁବ୍ରମଣ୍ୟମ ସ୍ୱାମୀ। ଶୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଲେଖା ଅଛି ପେଟ୍ରୋଲ ₹ ୯୩ ରାମଙ୍କ ଭାରତରେ, ₹ ୫୩ ସୀତାଙ୍କ ନେପାଳରେ ଆଉ ₹ ୫୧ ରାବଣର ଲଙ୍କାରେ!

ସୁବ୍ରମଣ୍ୟମଙ୍କ ଏହି ଟୁଇଟ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ନିଜ ବଜେଟ ଭାଷଣରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିଥିଲେ। ଏହାକୁ ନେଇ ସୁବ୍ରମଣ୍ୟମ ସ୍ୱାମୀ, ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହ ଭାରତର ତୁଳନା କରି ଏକ ଫଟୋକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥାଏ। ସକାଳ ୬ଟାରୁ ନୂଆ ଦର ଲାଗୁ ହୁଏ। ପେଟ୍ରୋଲ ଓ ଡିଜେଲ ଦରରେ ଏକସାଇଜ୍ ଚିକସ୍, ଡିଲର କମିଶନ ଭଳି ଅନେକ ଟିକସ୍ ଯୋଡ଼ିବା ପରେ ଏହାର ଦାମ୍ ପ୍ରାୟ ୨ଗୁଣ ହୋଇଯାଏ।
/- ଦେବଦତ୍ତ ରଥ