Odiapua.com

ଗୋଟିଏ ଦିନରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ – ଆକ୍ରନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ଵର ୩-୪ (ଓଡ଼ିଆ ପୁଅ) ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା। ଗୋଟିଏ ଦିନକରେ ୧୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତକାଲି (ଗୁରୁବାର ଦିନ) ଭୁବନେଶ୍ୱରରେ ବିନା ଟ୍ରାଭେଲ ହିଷ୍ଟ୍ରୀରେ କରୋନା ଆକ୍ରାନ୍ତ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ତେବେ ଆଜି (ଶୁକ୍ରବାର) ପ୍ରଥମେ କଟକରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ଦିଲ୍ଲୀ ଫେରନ୍ତା ଏବଂ ତବଲିଗି ସମାରୋହରୁ ଫେରିଥିଲେ ବୋଲି ଜଣା ପଡ଼ିବା ପରେ ସଂକ୍ରମିତଙ୍କ ସଂଖ୍ୟା ୬ ହୋଇଥିଲା। କିନ୍ତୁ ସନ୍ଧ୍ୟାବେଳେ ଏକାଥରକେ ବମିଖାଲ ଅଞ୍ଚଳରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଉ ୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ମୋଟ ଗୋଟିଏ ଦିନରେ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରେ ଭୁବନେଶ୍ଵର-ସୂର୍ଯ୍ୟନଗରର ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ୭ ଜଣ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ଝିଅ ଓ ତାଙ୍କ ଘରେ ରହୁଥିବା ୫ ଜଣ ଆକ୍ରାନ୍ତ ହୋଇଛନ୍ତି।

ସେହିପରି କଟକରୁ ଜଣେ, ଭୁବନେଶ୍ୱର ବମିଖାଲର ୩ ଜଣ, ପୁରୀରୁ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭଦ୍ରକରେ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି।

ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଜଣାଇଛି।