ଭୁବନେଶ୍ୱର: ରାଜ୍ୟରେ ସୁଶାସନ ବଦଳରେ ଚାଲିଛି କୁଶାସନ। ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନ ବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ନବୀନ ବାବୁ ନୁହେଁ ସରକାରୀ ବାବୁ ମାନେ ଶାସନ କରୁଛନ୍ତି। ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି। କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତା ମାନଙ୍କର ସଂପୃକ୍ତି ରହିଛି। ବିଜେଡିର ପୂର୍ବତନ ସାଂସଦ ରାମଚନ୍ଦ୍ର ହଂସଦା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭଳି ଅନେକ ବିଜେଡି ନେତା ବଡ଼ ବଡଡ଼ ଦୁର୍ନୀତିରେ ସାମିଲ ଅଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ଚାଷୀ ଲୋନ୍ କରାଇବା ନେଇ ବ୍ୟାପକ ଅର୍ଥ ହଡ଼ପ କରିଛନ୍ତି। ସେହିପରି ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ ହତ୍ୟାକାରୀଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ଏହା ପରେ ବି ନବୀନ ବାବୁ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅପରପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତାମାନେ ଦୂର୍ନୀତି ଓ ଭ୍ରଷ୍ଟାଚାରକୁ ଦେଶରୁ ମୁକ୍ତ କରିବା ପାଇଁ ପ୍ରୟାସ କରିବା ସହ ଲୋକଙ୍କ ହିତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। କ୍ଷମତା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି ସର୍ବଦା ପ୍ରତିଶୃତିବଦ୍ଧ। ତେଣୁ ଓଡ଼ିଶାର ଜନତା କୁଶାସନକୁ ଗାଦିରୁ ହଟାଇ ସୁଶାସନ ପାଇଁ ଆଗାମୀ ଦିନରେ ରାଜ୍ୟରେ ସରକାର କରିବା ପାଇଁ ବିଜେପିକୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଗତ ୬ ବର୍ଷରେ ବିଜେପି ସରକାର ଦେଶକୁ ସୁଶାସନ ଦେଇ ଆସୁଛି। ସମାଜର ଦଳିତ, ଗରିବ ଏବଂ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନହିତକର ଯୋଜନା ଲାଗୁ କରିଛନ୍ତି। ଦେଶର ବିକାଶରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିବଦ୍ଧତା ଦେଖାଇଛନ୍ତି। ଜନତାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ବିଜେପି କାର୍ଯ୍ୟ କରୁଛି ଏବଂ ଜନକଲ୍ୟାଣ ଦିଗରେ ଗୋଟିଏ ପରେ ଗୋଟିଏ ମାଇଲ୍ ଖୁଣ୍ଟ ଅତିକ୍ରମ କରିଚାଲିଛି। ସେହିପରି ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ ନୀତିରେ ଭାରତକୁ ଅଗ୍ରଣୀ ଦେଶରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ରାଜ୍ୟରେ ବିଜେଡି ସରକାର ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ କେବଳ ଭୋଟ ହାତେଇଥାଏ। ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପ୍ରତିଶୃତି ପାଳନ କରିନାହିଁ। ୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ନେଇ ପ୍ରତିଶୃତି ଦେଇଥିଲା। ପୁଣିଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇଥିଲା। ତେବେ, ଏହା ସତ୍ତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଞ୍ଚିତ ରହିଛି। ଗ୍ରାମାଞ୍ଚଳରେ ଏବେ ବି ୨ ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି। ଏହା ହେଉଛି ନବୀନ ସରକାରଙ୍କ କୁଶାସନ।
ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ୫ ଲକ୍ଷ ପର୍ଯ୍ୟନ୍ତ ମେଡିକାଲ ସୁବିଧା ଗରିବ ଲୋକଙ୍କୁ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି। କିନ୍ତୁ ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡ଼ିଶାରେ ଏହାକୁ ଲାଗୁ କରୁ ନାହାଁନ୍ତି। ଅନ୍ୟପଟେ ରାଜ୍ୟ ସରକାର ଓଟିଏଫକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ। କିନ୍ତୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇପାରୁ ନାହଁନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଶାର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚାହୁଁ ନାହାଁନ୍ତି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ୧୨୫୦ ପଞ୍ଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁନାହିଁ ଏବଂ ୧୫୦୦ ପଞ୍ଚାୟତରେ ପାଇପ ଲାଇନ ପହଞ୍ଚି ନାହିଁ। ଏବେ କେତେ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।
ଚାଷୀଙ୍କ ବିଲକୁ ବିରୋଧୀ ମାନେ ନବୁଝି କେବଳ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ହିତରେ ବିଭିନ୍ନ ଯୋଜନା ଏବଂ ବିଲ୍ ଲାଗୁ କରୁଥିବା ସମୟରେ ରାଜ୍ୟ ସରକାର କାଳିଆ ନାଁ’ରେ ମିଥ୍ୟା ଯୋଜନା କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକ ମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବା ବେଳେ କାଳିଆ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ନଦେଇ ପ୍ରତାରଣା କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବା ବେଳେ ଏବେ ଏହା କମି ୨୧ ଲକ୍ଷରେ ପହଁଚିଛି। ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇବା ନେଇ ଘୋଷଣା କରିଥିଲେ। ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କେତେ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ପୁରନ୍ଦେଶ୍ୱରୀ ଦାବି କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ମହିଳା ଓ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ବିଗତ କିଛି ମାସ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହେଲେଣି। ପୋଲିସ ପ୍ରଶାସନର ଅବହେଳା ଏବଂ ତଦନ୍ତର ଶିଥିଳତା ପାଇଁ ପ୍ରତ୍ୟେକ ଦିନ ଶିଶୁ ମାନଙ୍କ ସହ ଅପରାଧିକ ଘଟଣା ବଢ଼ିବାରେ ଲାଗିଛି। ନୟାଗଡ଼ ନାବାଳିକା ପରୀ ହତ୍ୟାକାଣ୍ଡରେ ଖୋଦ୍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଲୋକ ମୋ ପରିବାର ବୋଲି କହିଥିଲେ। ପରୀ କ’ଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ନୁହେଁ କି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।
-@Dr