Odiapua.com

ଆଇଏଏସ୍ ଓ ଆଇପିଏସ୍ ଅଦଳ ବଦଳକୁ ନେଇ ହରଡ଼ଘଣାରେ ଓଡ଼ିଶା ସରକାର

ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବରିଷ୍ଠ ଆଇପିଏସ୍ ସ୍ତରରେ ଆଜି ଏକ ବଡ଼ ଘରଣର ଅଦଳ ବଦଳ କରିଛନ୍ତି ସରକାର। କିଛି ଦିନ ପୂର୍ବରୁ ବରିଷ୍ଠ ଆଇଏଏସ୍ ଙ୍କ ମଧ୍ୟରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିଲେ ରାଜ୍ୟ ସରକାର। ଏହି ଅଦଳ ବଦଳ ପରେ ଆଇଏଇଏସ୍ ମହଲରେ ତୀବ୍ର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ତାହାକୁ ପ୍ରତିହତ କରିବା ପାଇଁ ତଥା କଥିତ ତୃତୀୟ ମହଲା ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲା। ଏହି ଉଦ୍ୟମରେ ମଧ୍ୟ କେତେକାଂଶରେ ସଫଳ ହୋଇଥିଲା। ମାତ୍ର ଆଜିର ଆଇପିଏସ୍ ଅଦଳ ବଦଳକୁ ନେଇ ଆଇପିଏସ୍ ମହଲରେ ତୀବ୍ର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। କଟକ, ଭୁବନେଶ୍ୱର ପୋଲିସ୍ କମିଶନର ଥିବା ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ ସତ୍ୟଜୀତ୍ ମହାନ୍ତିଙ୍କୁ ଜେଲ୍ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସତ୍ୟଜୀତ ମହାନ୍ତି ରାଜ୍ୟର ପୋଲିସ୍ ବିଭାଗର ମୁଖ୍ୟ ଦୌଡ଼ର ସର୍ବାଗ୍ରେ ଥିଲେ। ମାତ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ବି.କେ.ଶର୍ମାଙ୍କୁ ଅନ୍ତରୀଣ ପୋଲିସ୍ ମୁଖ୍ୟ କରିବା ପରେ ସତ୍ୟଜୀତ ମହାନ୍ତିଙ୍କର ବାଟକୁ ବନ୍ଦ କରିବାପାଇଁ ତୃତୀୟ ମହଲା ନେଇଛି ଏହି ପଦକ୍ଷେପ। ସୁପ୍ରିମ୍ କୋର୍ଟର ଗାଇଡ୍ ଲାଇନ୍ ଅନୁସାରେ କେନ୍ଦ୍ରୀୟ କାର୍ମିକ ବିଭାଗକୁ ତିନୋଟି ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କର ନାମ ତାଲିକା ପଠାଇବାର ନିର୍ଦ୍ଦେଶକୁ ଅବମାନନା କରିବାର ସ୍ପଷ୍ଟ ଚିତ୍ର ମିଳିଛି ଆଜିର ଆଇପିଏସ୍ ଅଫିସରଙ୍କର ଅଦଳ ବଦଳକୁ ନେଇକରି। ଆଜିର ଅଦଳ ବଦଳର ତାଲିକା ପ୍ରକାଶ ପରେ ଏଥିରୁ ସ୍ପଷ୍ଟ ଅନୁମେୟଯେ, ସତ୍ୟଜୀତ ମହାନ୍ତି ଆଉ ପୋଲିସ୍ ମୁଖ୍ୟ ଦୌଡ଼ରେ ନାହାଁନ୍ତି। ତେଣୁ ବିଜୟ ଶର୍ମାଙ୍କର ନାଁରେ ପୋଲିସ୍ ମୁଖିଆ ମୋହର ବାଜିବା ଏକ ପ୍ରକାର ସୁନିଶ୍ଟିତ। ଅନ୍ୟତମ ଆଇପିଏସ୍ ଅଫିସର ଅମିତାଭ ଠାକୁରଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗକୁ ଆଣିବା ସହଜରେ ହଜମ କରିପାରୁନାହାଁନ୍ତି ଅନେକ ଆଇପିଏସ୍ ଅଫିସର। ବରିଷ୍ଠ ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ବଦଳି ମଧ୍ୟ ତୃତୀୟ ମହଲାର ଅନୁଗ୍ରହ ବୋଲି ଆଇପିଏସ୍ ମହଲରେ ଚର୍ଚ୍ଚା। ଯେଉଁ ଆଇପିଏସ୍ ଅଫିସର ଆଶୀଷ ସିଂ ସାଧାରଣ ନିର୍ବାଚନ ପୂର୍ବରୁ ସରକାରର ଗେହ୍ଲାପୁଅ ଥିଲେ ତାଙ୍କୁ ତାଙ୍କ ପଦବୀରୁ ହଟାଇବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଆଇପିଏସ୍ ମହଲରେ। ତଥାକଖିତ ଆଇଏଏସ୍ ଅଦଳ ବଦଳରେ ଯେନତେନ ପ୍ରକାରେ ଅସନ୍ତୋଷକୁ ଚାପି ରଖିଛି ଲୋକସେବା ଭବନର ତୃତୀୟ ମହଲା। ତରବରିଆ ଭାବରେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ମୁଖ୍ୟ ଶାସନ ପଦବୀରୁ ଅବ୍ୟାହତି ଦେବା ଏବଂ ଅସିତ୍ ତ୍ରୀପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଇବାର ଡ୍ରାମାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଓଡ଼ିଶାର ଅନେକ ସ୍ୱାଭିମାନୀ ଆଇଏଏସ୍ ଅଫିସର। ବରିଷ୍ଠ ଏଇଏଏସ୍ ଅଫିସର ଶ୍ରୀଯୁକ୍ତ ଗଗନ ଧଳଙ୍କର ଅଭିମାନ ଓ ତାଙ୍କୁ ପ୍ରଶମିତ କରିବାର ମାଧ୍ୟମ ଏହାର ଏକ ଜ୍ୱଳନ୍ତ ଉଦାହରଣ। ପ୍ରଶାସନିକ ଅଦଳ ବଦଳର ଅହେତୁକ ଦୂରରେ ଥିବା ରାଜ୍ୟବାସୀ ଏହାର କୌଣସି ଗନ୍ଧ ବାରି ପାରୁ ନଥିଲେ ମଧ୍ୟ ରାଜଧାନୀରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉପୁଜୁଥିବା ଅସନ୍ତୋଷ ସରକାରଙ୍କୁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଏବଂ ଆଗାମୀ ଦିନରେ ପାଲଟିବ ମଧ୍ୟ। କିଛି ହଁ ବୋଲା ଆଇଏଏସ ଅଫିସରଙ୍କ ହାତରେ ଏକାଧିକ ବିଭାଗର ଦାୟୀତ୍ତ୍ୱ ଅର୍ପଣ କରି ରାଜ୍ୟ ସରକାର କେଉଁ ‘5-T’ କୁ ସଫଳତାର ରୂପାୟନ ଦେବାପାଇଁ ଚେଷ୍ଟା କରୁଛନ୍ତି ତାହା ଆଗାମୀ ଦିନରେ ରାଜ୍ୟବାସୀ ପ୍ରଶ୍ନ କରିବେ ଏଥିରେ ସନ୍ଦେହର ଅବକାଶ ନାହିଁ।