Odiapua.com

ମୁଁ ହେବି ମୁଖ୍ୟମନ୍ତ୍ରୀ: ନିଜେ କହୁନାହାଁନ୍ତି, କୁହାଇ ହେଉଛନ୍ତି ..

ଭୁବନେଶ୍ୱର: ମୁଁ ହେବି ଆଗାମୀ ସିଏମ୍ (ମୁଖ୍ୟମନ୍ତ୍ରୀ)। ନିଜେ କହୁ ନାହାଁନ୍ତି। କିନ୍ତୁ, କୁହାଇ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଏହା କରୁଛନ୍ତି। ଦୀର୍ଘଦିନ ହେଲା ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ପ୍ରଭାବ ରହି ଆସିଥିଲା। ଯିଏ ବି ତାଙ୍କ ବଶତା ସ୍ୱୀକାର ନକଲା ସେ ହୁଏତ ଦଳରୁ ଯାଇଛି ଅଥବା କଣଠେସା ହୋଇ ରହିଯାଇଛି। ଯିଏ ସ୍ୱର ଉତ୍ତୋଳନ କଲା ତା’ ସ୍ୱରକୁ ଦମନ କରି ଦିଆଯାଇଛି। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଘଟିଛି। ଯେତେ ଚେଷ୍ଟା କଲେ ମଧ୍ୟ ଆୟତ ହେଉ ନାହାଁନ୍ତି ଅପରାଜିତା। ଏ’ ଭିତରେ ଅପରାଜିତାଙ୍କ ଉପରେ ଲଗାମ୍ ଲଗାଇବାକୁ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ବିସ୍ତାର ପାଇଁ ନିକଟରେ ଭୁବନେଶ୍ୱରରେ ହୋଇଯାଇଛି ଏକ ଉଦ୍ୟମ। ମନ୍ତ୍ରୀଙ୍କ ଅତ୍ୟନ୍ତ ଖାସ୍ ଅନୁଗତଙ୍କ ତତ୍ୱାବଧାନରେ ତଥା ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ବୈଠକ। ଜିଲ୍ଲାର ବିଭିନ୍ନ ବିଧାନସଭାର ୨୦୧୯ ନିର୍ବାଚନର ପାର୍ଥିଙ୍କ ସମେତ ଜିଲ୍ଲା, ମଣ୍ଡଳ ତଥା ବୁଥ୍ ସ୍ତରର ପଦାଧିକାରୀ ମାନଙ୍କୁ ନେଇ ହୋଇଥିଲା ଏହି ବୈଠକ। କିନ୍ତୁ, ଉପସ୍ଥିତ ନଥିଲେ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବୈଠକରେ ମୂଳ ପ୍ରସଙ୍ଗ ଥିଲା ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଏବଂ ୨୦୨୪ରେ ଧର୍ମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ! ସେହି ଅନୁଯାୟୀ ସବୁ କାମ ହେବ। ବୈଠକରେ ଏହା ଆଲୋଚନା ହେଲା ଏବଂ କିଛି ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହେଲା। “ମୁଁ ହେବି ମୁଖ୍ୟମନ୍ତ୍ରୀ” ବୋଲି ମନ୍ତ୍ରୀ ନିଜେ କହୁନଥିଲେ ମଧ୍ୟ ମନ୍ତ୍ରୀଙ୍କ ଖାସ୍ ଅନୁଗତଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରୁ ମନ୍ତ୍ରୀ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଉଥିବା ସ୍ପଷ୍ଟ ହେଲା।ଏହା ପରେ ପାଳି ଅପରାଜିତା ଷଡ଼ଙ୍ଗୀଙ୍କର ଥିଲା। ସେ ମଧ୍ୟ ନିଜେ କିଛି ନକହି ପରୋକ୍ଷରେ ଅନେକ କିଛି କୁହାଇଦେଲେ। ଏଣେ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଗୁଜୁରାଟ ଗସ୍ତରେ ଯାଇଥିବା ବେଳେ ଅପରାଜିତାଙ୍କ ଜଣେ ଖାସ୍ ଅନୁଗତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମାରିଛନ୍ତି ଏକ ତେରଛା ବାଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅପରାଜିତାଙ୍କ ସାକ୍ଷାତର ଏକ ଫଟୋ ପୋଷ୍ଟ୍ କରି କ୍ୟାପ୍ସନରେ ଲେଖିଛନ୍ତି, “ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ। ବିଶ୍ବ ଦରବାରରେ ଆଜି ଚର୍ଚ୍ଚିତ ନେତା ଭାରତମାତାର ସୁଯୋଗ୍ୟ ଦାୟାଦ୍ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ନିକଟରେ ପ୍ରସ୍ତାବନା ଦେଲେ ନୂତନ ଓଡ଼ିଶାର ଏକ ମାନଚିତ୍ର। ସିଂହ ନିଜ ପାଇଁ ସିଂହାସନ ଖୋଜେ ନାହିଁ। ସେ ଯେଉଁଠି ବସେ ତାହା ହିଁ ସିଂହାସନ। ସିଂହାସନ ତିଆରି କରିବା ପାଇଁ ତାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ସେ ଚାଲିଲେ ସିଂହର ପ୍ରତିଧ୍ଵନି ହୁଏ। ପ୍ରତିପକ୍ଷ ବ୍ୟସ୍ତ ହୋଇ ରାଜାର ଆତ୍ମଘୋଷଣା କରନ୍ତି। ହେଲେ ସିଂହ ଯେତେବେଳେ ଯେଉଁ ସ୍ଥାନରେ ବସେ ତାହା ରାଜ ସିଂହାସନ ହୋଇଯାଏ।” ଏହା ସ୍ପଷ୍ଟ ଭାବରେ ସେଦିନର ଭୁବନେଶ୍ୱରରେ ଆୟୋଜିତ ବୈଠକ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପନା କରାଯିବାର ଜବାବ୍ ବୋଲି ଅନୁଭବ ହୋଇପାରୁଛି। ଶାସକ ବିଜେଡି ବିରୋଧରେ ଲଢ଼ିବେ କ’ଣ ଏମାନେ ନିଜ ନିଜ ଭିତରେ ଲଢ଼ୁଛନ୍ତି। ଦଳ ବ୍ୟକ୍ତି କେନ୍ଦ୍ରିକ ହୋଇଚାଲିଛି। ୨୦୨୪ରେ ଦଳ କିପରି ଭଲ ପ୍ରଦର୍ଶନ କରିବ କିମ୍ବା କ୍ଷମତାକୁ ଆସିବ ଚିନ୍ତା ନକରି ଏମାନଙ୍କୁ ମୁଖ୍ୟମନ୍ତ୍ରୀ ନିଶା ଘାରିଛି। ମୂଳରୁ ମାଇପ ନାହିଁ, ପୁଅ ନାଁ ..
-/Dr