ଭୁବନେଶ୍ୱର: ମୁଁ ହେବି ଆଗାମୀ ସିଏମ୍ (ମୁଖ୍ୟମନ୍ତ୍ରୀ)। ନିଜେ କହୁ ନାହାଁନ୍ତି। କିନ୍ତୁ, କୁହାଇ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଏହା କରୁଛନ୍ତି। ଦୀର୍ଘଦିନ ହେଲା ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ପ୍ରଭାବ ରହି ଆସିଥିଲା। ଯିଏ ବି ତାଙ୍କ ବଶତା ସ୍ୱୀକାର ନକଲା ସେ ହୁଏତ ଦଳରୁ ଯାଇଛି ଅଥବା କଣଠେସା ହୋଇ ରହିଯାଇଛି। ଯିଏ ସ୍ୱର ଉତ୍ତୋଳନ କଲା ତା’ ସ୍ୱରକୁ ଦମନ କରି ଦିଆଯାଇଛି। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଘଟିଛି। ଯେତେ ଚେଷ୍ଟା କଲେ ମଧ୍ୟ ଆୟତ ହେଉ ନାହାଁନ୍ତି ଅପରାଜିତା। ଏ’ ଭିତରେ ଅପରାଜିତାଙ୍କ ଉପରେ ଲଗାମ୍ ଲଗାଇବାକୁ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ବିସ୍ତାର ପାଇଁ ନିକଟରେ ଭୁବନେଶ୍ୱରରେ ହୋଇଯାଇଛି ଏକ ଉଦ୍ୟମ। ମନ୍ତ୍ରୀଙ୍କ ଅତ୍ୟନ୍ତ ଖାସ୍ ଅନୁଗତଙ୍କ ତତ୍ୱାବଧାନରେ ତଥା ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ବୈଠକ। ଜିଲ୍ଲାର ବିଭିନ୍ନ ବିଧାନସଭାର ୨୦୧୯ ନିର୍ବାଚନର ପାର୍ଥିଙ୍କ ସମେତ ଜିଲ୍ଲା, ମଣ୍ଡଳ ତଥା ବୁଥ୍ ସ୍ତରର ପଦାଧିକାରୀ ମାନଙ୍କୁ ନେଇ ହୋଇଥିଲା ଏହି ବୈଠକ। କିନ୍ତୁ, ଉପସ୍ଥିତ ନଥିଲେ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବୈଠକରେ ମୂଳ ପ୍ରସଙ୍ଗ ଥିଲା ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଏବଂ ୨୦୨୪ରେ ଧର୍ମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ! ସେହି ଅନୁଯାୟୀ ସବୁ କାମ ହେବ। ବୈଠକରେ ଏହା ଆଲୋଚନା ହେଲା ଏବଂ କିଛି ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହେଲା। “ମୁଁ ହେବି ମୁଖ୍ୟମନ୍ତ୍ରୀ” ବୋଲି ମନ୍ତ୍ରୀ ନିଜେ କହୁନଥିଲେ ମଧ୍ୟ ମନ୍ତ୍ରୀଙ୍କ ଖାସ୍ ଅନୁଗତଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରୁ ମନ୍ତ୍ରୀ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଉଥିବା ସ୍ପଷ୍ଟ ହେଲା।
-/Dr