Odiapua.com

ସଧବା ନାରୀର ପ୍ରତୀକ: ସିନ୍ଦୁର; ସିନ୍ଦୁର ଲଗାଇବା ବେଳେ ପାଳୁଛନ୍ତି କି ଏହି ନିୟମ?

ଭାରତୀୟ ସଂସ୍କୃତିରେ ବିବାହିତ ମହିଳାଙ୍କ ପାଇଁ ସିନ୍ଦୁର ଲଗାଇବାର ବହୁତ ମହତ୍ୱ ରହିଥାଏ।କାହିଁକି ନାଁ ଏହା ସଧବା ନାରୀର ପରିଚୟ ହୋଇଥାଏ।ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ଶୁଖ ସମୃଦ୍ଧି କାମନାରେ ନାରୀ ସିନ୍ଦୁର ଲଗାଇଥାଏ।କିନ୍ତୁ, ଜାଣ ଅଜାଣତରେ ବେଳେବେଳେ ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ କିଛି ଭୁଲ କରି ବସନ୍ତି।ଯାହାର କୁପ୍ରଭାବ ସ୍ୱାମୀଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଥାଏ।ଶାସ୍ତ୍ର ଅନୁଯାୟୀ ସିନ୍ଦୁର ଠିକ୍ ଭାବରେ ଲଗାଇବା ଉଚିତ।ମନେ ରଖନ୍ତୁ, ଯେତେବେଳେ ଆପଣ ସିନ୍ଦୁର ଲଗାଉଛନ୍ତି, ମାତା ପାର୍ବତୀଙ୍କୁ ସ୍ମରଣ କରି ସିନ୍ଦୁର ଲଗାନ୍ତୁ।କାରଣ ମାତା ପାର୍ବତୀ ହିଁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଦେଇ ଥାଆନ୍ତି।

ଗାଧୋଇ ସାରି ଏବଂ ନିୟମିତ ସିନ୍ଦୁର ଲଗାନ୍ତୁ :-
ମହିଳା ମାନେ ଏଥିପ୍ରତି ନିହାତି ସଚେତନ ରହିବା ଉଚିତ ଯେ ଗାଧୋଇ ସାରିବା ପରେ ନିୟମିତ ସିନ୍ଦୁର ଲଗାନ୍ତୁ।ଗାଧୋଇବା ପରେ ସିନ୍ଦୁର ଲଗାଇବା ପୂର୍ବରୁ ଆଉ କୌଣସି କାମ କରନ୍ତୁ ନାହିଁ।ସିନ୍ଦୁର ଲଗାଇବା ପରେ ହିଁ ଠାକୂର ପୂଜା କରନ୍ତୁ।ଅନ୍ୟ କୌଣସି ମହିଳାଙ୍କ ସିନ୍ଦୁର ଆପଣ ଲଗାନ୍ତୁ ନାହିଁ।କି ଆପଣଙ୍କ ସିନ୍ଦୁର କାହାକୁ ଲଗାଇବାକୁ ଦିଅନ୍ତୁ ନାହିଁ।ବେଳେବେଳେ କେତେକ କର୍ମଜୀବୀ ମହିଳା ସବୁଦିନ ସିନ୍ଦୁର ଲଗାଇ ପାରନ୍ତି ନାହିଁ।ସେହିପରି ଅନ୍ୟ କିଛି କାରଣରୁ ମଧ୍ୟ ଅନେକ ମହିଳା ସବୁଦିନ ସିନ୍ଦୁର ଲଗାନ୍ତି ନାହିଁ।ଏଥିରୁ ବିରତ ରୁହନ୍ତୁ।

ସ୍ପଷ୍ଟ ଦିଶିବା ପରି ସିନ୍ଦୁର ଲଗାନ୍ତୁ :-
ଫେସନରେ ଚକରରେ କେତେକ ମହିଳା ନାମକୁ ମାତ୍ର ସିନ୍ଦୁର ଟିକେ ଲଗାଇ ଦିଅନ୍ତି।ପତ୍ନୀଙ୍କର ଏହି ଭୁଲର ଅଶୁଭ ଫଳ ସ୍ୱାମୀଙ୍କ ଉପରେ ପଡ଼ିପାରେ।ବିବାହିତ ନାରୀର ମଥାରେ ସିନ୍ଦୁର ସ୍ପଷ୍ଟ ଭାବରେ ଦେଖାଯିବା ଉଚିତ।ଏହା ଶୁଭଙ୍କର।ସିନ୍ଦୁର ଲୁଚାଇଲା ପରି ଲଗାଇବା ଦ୍ୱାରା ସ୍ୱାମୀଙ୍କର ମାନ/ ସମ୍ମାନ ଉପରେ ଖରାପ ପ୍ରଭାବ ପକାଇଥାଏ।ଯେଉଁ ମହିଳା ସିନ୍ଥିରେ ଲମ୍ବା ସିନ୍ଦୁର ଲଗାନ୍ତି, ସେମାନଙ୍କର ସ୍ୱାମୀଙ୍କୁ ଖୁବ୍ ମାନ/ସମ୍ମାନ ମିଳିଥାଏ।କମ ଲମ୍ବର ବା ନାମକୁ ମାତ୍ର ସିନ୍ଦୁର ଲଗାଇବା ସ୍ୱାମୀଙ୍କ ଉନ୍ନତି ଦିଗ ପାଇଁ ଶୁଭଙ୍କର ହୋଇନଥାଏ।

ନାକ ସିଧା ସିନ୍ଦୁର ଲଗାନ୍ତୁ :-
ବିବାହିତ ମହିଳାଙ୍କୁ ସର୍ବଦା ନାକ ସିଧାରେ ସିନ୍ଦୁର ଲଗାଇବା ଉଚିତ।ଅଙ୍କା ବଙ୍କା ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀଙ୍କ ଭାଗ୍ୟ ଖରାପ ପଡ଼ିଥାଏ।ଏହା ଯୋଗୁଁ ସ୍ୱାମୀ ସର୍ବଦା ଚିନ୍ତିତ ହୋଇ ଯାଆନ୍ତି।ସ୍ୱାମୀଙ୍କ ମଙ୍ଗଳ ପାଇଁ ନାକ ସଳଖରେ ମଥା ଏବଂ ସିନ୍ଥିରେ ହିଁ ସିନ୍ଦୁର ଲଗାନ୍ତୁ।

ତଳେ ପଡ଼ିଯିବା ସିନ୍ଦୁର ବ୍ୟବହାର ଅନୁଚିତ :-
ବେଳେବେଳେ ସିନ୍ଦୁର ଲଗାଇବା ସମୟରେ ଫରୁଆ ହାତରୁ ପଡ଼ିଯାଏ।ଏବଂ ସିନ୍ଦୁର ତଳେ ଢାଳି ହୋଇଯାଏ।ତଳେ ପଡ଼ି ଯାଇଥିବା ସେହି ସିନ୍ଦୁରକୁ ଗୋଟାଇ ସାଇତି ରଖି ପୁଣି ବ୍ୟବହାର ଭୁଲ।ଏପରି କରିବା ଅଶୁଭ ହୋଇଥାଏ।ଥରେ ସିନ୍ଦୁର ତଳେ ପଡ଼ିଗଲେ ତାହା ଅପବିତ୍ର ହୋଇ ଯାଇଥାଏ।ପୁନର୍ବାର ତାହା ବ୍ୟବହାର କରିବା ଅନୁଚିତ।

ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାନ୍ତୁ:-
ସାଧାରଣତଃ ସ୍ୱାମୀ ଥରେ ସ୍ତ୍ରୀ’ କୁ ସିନ୍ଦୁର ଲଗାଇଥାଏ।ତାହା ବିବାହ ସମୟରେ।ଏହାପରେ ସ୍ତ୍ରୀ ନିଜେ ନିଜେ ସିନ୍ଦୁର ଲଗାନ୍ତି।କିନ୍ତୁ ସମୟ ସମୟରେ, ଯେପରିକି ସପ୍ତାହକୁ ଥରେ ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାନ୍ତୁ।ଏମିତିରେ ତ’ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ସିନ୍ଦୁର ଲଗାଇଥାଏ।ତେଣୁ ସମୟ ସମୟରେ ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାଇବା ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଥାଏ।ନବ ବିବାହିତା ସ୍ତ୍ରୀ ବିବାହ ସମୟରେ ମିଳିଥିବା ସିନ୍ଦୁରକୁ ସାଇତି ରଖି ସେଥିରେ ସିନ୍ଦୁର ମିଶାଇ ବ୍ୟବହାର କରିବା ଭଲ ହୋଇଥାଏ।

ସିନ୍ଦୁର ବିଷାକ୍ତ; ସାବଧାନତା ଜରୁରୀ :-

ସିନ୍ଦୁର ପ୍ରାୟତଃ ପାରଦ କିମ୍ବା ସୀସାର ରସାୟାନ ପଦାର୍ଥରେ ପ୍ରସ୍ତୁତ ହୋଇଥାଏ।ତେଣୁ ଏହା ବିଷାକ୍ତ ହୋଇଥାଏ।ଏଥିପାଇଁ ଏହାର ପ୍ରୟୋଗରେ ସାବଧାନତା ରଖିବା ଏବଂ ବିଶେଷ କରି ପିଲାମାନଙ୍କ ଠାରୁ ସିନ୍ଦୁର ଦୂରେଇ ରଖିବା ଉଚିତ।
//-ଦେବଦତ୍ତ ରଥ