Odiapua.com

ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!

ଭୁବନେଶ୍ୱର: ରାଣୀ ମହୁମାଛି ଅର୍ଚ୍ଚନାଙ୍କ ଘଟଣା ନେଇ ପୁଲିସ୍ ଯେତେ ଖୋଳତାଡ଼ କରୁଛି, ସେତେ ବଡ଼ବଡ଼ିଆଙ୍କ ଲିଙ୍କ୍‌ ପଦାକୁ ଆସୁଛି। କେତେବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ଆସୁଛି ତ’ ଆଉ କେତେବେଳେ ବିଧାୟକ, ମନ୍ତ୍ରୀଙ୍କ ନାମ ଉଠୁଛି। ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଅର୍ଚ୍ଚନାଙ୍କ ସହିତ ସଂପର୍କ ଖବର ବାହାରକୁ ଆସିଲା। ଗୋଟିଏ ଫ୍ରେମରେ ଏମାନଙ୍କ ଫଟୋ ଭାଇରାଲ୍ ହେଲା। ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାରେ ସୂର୍ଯ୍ୟ ପାତ୍ର କୁଆଡ଼େ ତାଙ୍କ ଘରକୁ ଆସିଥିଲେ। ସୁନା ଥାଳିରେ ପାଦ ପକାଇବା ପରେ ସେ ଗୃହ ପ୍ରବେଶ କରିଥିଲେ। କଲିକତାରୁ ରୋଷେୟା ଆଣି ୭୦ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନରେ ସୂର୍ଯ୍ୟ ପାତ୍ରଙ୍କୁ ଆପ୍ୟାୟିତ କରାଯାଇଥିଲା ବୋଲି କୁହାଯାଉଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର କିଛି ରାଜନେତା ଏହି ରାଣୀ ମହୁମାଛିଙ୍କ ଜାଲରେ ଫସି ଯାଇଥିବା କୁହାଯାଉଛି। ଭଦ୍ରକ – ବାଲେଶ୍ଵର ଅଞ୍ଚଳର ନେତାଙ୍କ ଠାରୁ ଆରମ୍ଭ କରି କୋରାପୁଟ ଅଞ୍ଚଳର ନେତାଙ୍କ ପର୍ଯ୍ୟନ୍ତ ରାଣୀ ମାହୁମାଛି ଅର୍ଚ୍ଚନାଙ୍କ ସହିତ ସମ୍ପର୍କରେ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣା ଉପରେ ପ୍ରଶ୍ନ ଉଠାଇ ଏହା ଓଡ଼ିଶା ପାଇଁ ଏକ ଅପମାନଜନକ ଖବର ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଲେ। ଅର୍ଚ୍ଚନାଙ୍କ ସ୍ୱାମୀ ନିଜକୁ ବିଜୁ ଜନତା ଦଳର କର୍ମୀ ବୋଲି ନିଜର ସୋସିଆଲ ମିଡ଼ିଆରେ ଦର୍ଶାଇଥିଲେ। ଗୃହ ବିଭାଗ ନିରବଦ୍ରଷ୍ଟା ନସାଜି ଘଟଣାର ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସ୍ମୃତି ପଟ୍ଟନାୟକ ଦାବି କଲେ।ତେବେ, ଇଏ ସିନା ଖୋଜୁଥିଲେ ବିଜେଡି ଲିଙ୍କ୍ ଏବେ କିନ୍ତୁ ବାହାରି ପଡ଼ିଲାଣି ବିଜେପି ଲିଙ୍କ୍। ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତଥା ପୂର୍ବତନ ରାଜ୍ୟ ସଭାପତି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସହିତ ଅର୍ଚ୍ଚନାଙ୍କର ଗୋଟିଏ ଫ୍ରେମରେ ଫଟୋ ଭାଇରାଲ୍ ହେବା ପରେ ଏବେ ଆଉ ଜଣେ ପୂର୍ବତନ ସଭାପତି କେ. ଭି ସିଂହଦେଓଙ୍କ ସହିତ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଲାଣି। କେବଳ ଯେ ଫଟୋ ନୁହେଁ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନାମରେ ଉଠିଛି ସାଙ୍ଘାତିକ ଅଭିଯୋଗ। କୈଣସି ଏକ ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ୍ କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରତିବଦଳରେ କେ. ଭି ସିଂହଦେଓ କୁଆଡ଼େ ଅର୍ଚ୍ଚନାଙ୍କ ସହିତ ରଖିଥିଲେ ଶାରୀରିକ ସଂପର୍କ! ୨୦୨୦ ମସିହାର ଏହି ଘଟଣାକୁ ନେଇ ପ୍ରତାରଣା, ଠକେଇ ଓ ଭୟ ଦେଖାଇବା ଆଦି ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୧୭, ୫୦୬ ଏବଂ ୩୪ ଆକ୍ଟ ଅନୁଯାୟୀ ଥାନାରେ ଏକ ମାମଲା ମଧ୍ୟ ରୃଜୁ ହୋଇଥିଲା। ଆଜି ବି ସେହି ମାମଲା ବିଚାରଧୀନ ରହିଛି। ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍, ଏବେ କିନ୍ତୁ ବାହାରି ପଡ଼ିଲା ବିଜେପି ଲିଙ୍କ୍!
-/DevDr