କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ। ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ। ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ମାସ ସାରା ଆମିଷ ଭକ୍ଷଣ ବାରଣ ରହିଛି। ମାସସାରା ପାଳି ନ’ପାରିଲେ ପଞ୍ଚୁକ ପାଞ୍ଚଦିନ ଆମିଷ ଭକ୍ଷଣ ନିହାତି ବାରଣ ରହିଛି। କୁହାଯାଏ, ଏପରିକି ପଞ୍ଚୁକ ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇବା ଛାଡ଼ିଦିଏ। କାର୍ତ୍ତିକ ମାସ ମଧ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା (ବୋଇତ ବନ୍ଦାଣ), ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଆଦି ପୂଜା ପର୍ବାଣୀ ପଡ଼ିଥାଏ। ହିନ୍ଦୁ ମହିଳାମାନେ ଏହି କାର୍ତ୍ତିକ ମାସରେ ଅତି ନିଷ୍ଠାର ସହ ପାଳନ କରିଥାଆନ୍ତି ହବିଷ। ସେମାନଙ୍କୁ ହବିଷ୍ୟାଳି କୁହାଯାଏ। ହବିଷ ପାଇଁ ପୁରୀରେ ବହୁ ଭିଡ଼ ପରିଲିକ୍ଷିତ ହୋଇଥାଏ। କୁହାଯାଏ, “ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦ୍ରିକାଧାମ ଶ୍ରେଷ୍ଠ ଅଟନ୍ତି। ଏ’ ତିନି କଳି ଯୁଗରେ ଅତ୍ୟନ୍ତ ଦୁର୍ଲଭ”।
।।“ନାଁ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ’ ବେଦ ସଦୃଶଂ ଶାସ୍ତ୍ରଂ ନ’ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ, ବକ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ।
।। “କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ,
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ,
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି,
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ,
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍,
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି” ।।
-/DevDrath