Odiapua.com

ଆଜି ହୋଲି: ରଙ୍ଗ ଖେଳିବା ନେଇ କିଛି ସତର୍କତା ..

ଆଜି ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ପରସ୍ପରକୁ ଲେପନ କରାଯାଏ। ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ ଭାବକୁ ଧାରଣ କରି ନିଜ ଜୀବନର ସକଳ ଅସୂୟାକୁ ଶୁନ୍ୟ କରିବା, ମୈତ୍ରୀ ଭାବର ଉନ୍ମିଳନ କରିବାର ଦିନ ହୋଲି। ଆଧ୍ୟାମିିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପକୃତିର ଅନନ୍ତ ଅପୂର୍ବ ରୂପ ଛଟାର ଅନୁଭବ, ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ଼ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ଏକ ମନ ମତାଣିଆ ସୁଗନ୍ଧ। ତେବେ ରଙ୍ଗ ଖେଳିବା ନେଇ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍।

● ରଙ୍ଗରୁ କୌଣସି ପ୍ରକାର ରାସାୟନିକ କିମ୍ବା ପେଟ୍ରୋଲ୍ ବାସ୍ନା ଆସୁଥିଲେ କିମ୍ବା ରଙ୍ଗ ପାଣିରେ ସମ୍ପୂର୍ଣ୍ଣ ରୂପେ ମିଶୁନଥିଲେ, ସେହି ରଙ୍ଗକୁ କିଣନ୍ତୁ ନାହିଁ।
● ସର୍ବଦା ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ। ବେସନରେ ହଳଦୀ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରି ହୋଲି ରଙ୍ଗ ଭଳି ବ୍ୟବହାର କରାଯାଇ ପାରିବ।
● ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର ଲୋଶନ କିମ୍ବା ନଡିଆ ତେଲ ଶରୀରରେ ମାଲିସ୍ କରି ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ସୁରକ୍ଷିତ ରହିବା ସହ ରଙ୍ଗ ଛଡ଼ାଇବା ମଧ୍ୟ ସହଜ ହେବ।
● ରଙ୍ଗ ଦ୍ଵାରା କେଶ ଖରାପ ହେବାର ସମ୍ଭାବନା ଥାଏ। ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାଇ ଯାଆନ୍ତୁ। ଏହାସହ ଟୋପି ମଧ୍ୟ ବ୍ୟବହାର କରନ୍ତୁ।
● ରଙ୍ଗ ଖେଳିବା ସମୟରେ ଯଦି ଆଖିରେ ରଙ୍ଗ ପଡିଯାଏ, ତେବେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସନ ଗ୍ଲାସ ପିନ୍ଧନ୍ତୁ।ଆଖିରେ ରଙ୍ଗ ଲାଗିଲେ, ନକୁଣ୍ଡାଇ ପାଣିରେ ଧୋଇ ଦିଅନ୍ତୁ। ସାବୁନ ଲଗାଇବା ଅନୁଚିତ।
● ତ୍ଵଚାକୁ ରଗଡ଼ନ୍ତୁ ନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ ରଙ୍ଗ ସହଜରେ ଛାଡ଼ିଯାଏ।
– ଦେବଦତ୍ତ ରଥ