Odiapua.com

ଲଘୁଚାପ ପ୍ରଭାବ: ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା – ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକା ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ସେଠାରେ ବର୍ଷା ହେବା ସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସଲଗ୍ନ ଜିଲ୍ଲାରେ ବର୍ଷା ଜାରିରହିଛି। ସୋମବାର ବର୍ଷାର ପ୍ରକୋପ କମିବାକୁ ଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଏହି ୫ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ବରଗଡ଼, ସୋନପୁର, ବଲାଙ୍ଗିର, ଅନୁଗୋଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଏଥିସହ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅବଶିଷ୍ଟ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟାରେ କଟକରେ ୬୩ ମିମି ବର୍ଷା ହେବା ସହ ପାରାଦୀପ ୪୭, ଚାନ୍ଦବାଲିରେ ୨୩, ତାଳଚେର ୨୨, ନୟାଗଡ଼ ୬୧, ଖୋର୍ଦ୍ଧା ୪୮ ଢେଙ୍କାନାଳ ୩୮ ଓ ଭଦ୍ରକରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି।
-/Dev@DRath