ଆଜି ବିଶ୍ୱ ସାଇକେଲ ଦିବସ। ବିଶ୍ୱ ସାଇକେଲ ଦିବସ’ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ। ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତ୍ତି ନିଆଯାଇ ଏହି ପରମ୍ପରା ଆରମ୍ଭ ହୋଇଥିଲା। ବିଶ୍ୱ ସାଇକେଲ ଦିବସରେ ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ। ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି ନିଜେ ପଢ଼ାଉଥିବା ସମାଜ ବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ। କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା। ବିଶ୍ୱ ସାଇକେଲ ଦିବସର ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା। ଏଥି ସହିତ ଜଡିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ। ଏହି ଲୋଗୋରେ ସାଇକେଲ ଚାଳକ ମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ। ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ ଜୁନ ୩ ବିଶ୍ୱ ସାଇକେଲ ଦିବସ ଲେଖା ଯାଇଥାଏ। “ସମସ୍ତ ମାନବ ଜାତିର ସେବାରେ ସାଇକେଲ” ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ। ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ।
– ଦେବଦତ୍ତ ରଥ