Odiapua.com

ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ ..

ପ୍ରେମ ମାନବ ଜୀବନର ସାରବସ୍ତୁ। ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା। ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ। ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି। ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ। ତାହା ଅସ୍ଥାୟୀ, ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ, ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ। ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ, ତାହାକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରେ, ତାହା ହିଁ ପ୍ରକୃତ ପ୍ରେମ। ଦୁନିଆର ସବୁ ବନ୍ଧନର ପ୍ରେମରୁ ହୁଏ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି। ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ଯେତେ ବଡ଼ ତୋଫାନ ଆସିଲେ ବି, କାହାର କ୍ଷତି କରାଇ ପାରେନାହିଁ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ। ହାରିବା ଭିତରେ ଯିଏ ଜିତିବା ଦେଖେ, ତାହା ପ୍ରେମ.. ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ।
/-Dr