ମକର ସଂକ୍ରାନ୍ତି ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଉଥିବା ଏକ ଗଣପର୍ବ। ଏହି ପର୍ବକୁ ହିନ୍ଦୁ ଧର୍ମରେ ଉତ୍ସାହ ଏବଂ ଉଲ୍ଲାସରର ସହିତ ପାଳନ କରାଯାଏ। ଓଡ଼ିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ବଙ୍ଗଳା ପ୍ରଭୃତି ସ୍ଥାନରେ କୃଷକ ମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥାଆନ୍ତି। ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ। ଦକ୍ଷିଣରେ ତେଲଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ଭାବରେ ପାଳନ କରନ୍ତି। ଏହି ଦିନଟିକୁ ସେମାନଙ୍କ ନବବର୍ଷ ରୂପେ ପାଳନ କରନ୍ତି। କେତେକ ସ୍ଥାନରେ ଏହା ଭୋଗୀ ପର୍ବ ଭାବେ ମଧ୍ୟ ପରିଚିତ। ଭାରତ ବାହାରେ ରୋମାନ ଓ ଇହୁଦୀ ମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାଆନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ। ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟ ଉପାସନ କରାଯାଏ। ଓଡ଼ିଆରେ ପ୍ରବାଦ ଅଛି, “ମକରଠାରୁ ଦିନ ବକର ହୁଏ”। ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ। ପୁରାଣ ଅନୁଯାୟୀ ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁ ମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି। ଏହି ଦିନ ଶିବ ପୂଜା ମଧ୍ୟ କରାଯାଇ ଥାଏ।
ମକର ଚାଉଳ –
ଆଦିବାସୀଙ୍କ ମକର ପର୍ବ (ଟୁସୁ ପରବ) –
ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ। ଏହି ଅଞ୍ଚଳରେ ବସବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ “ଟୁସୁ ପରବ” ରୂପେ ପାଳନ କରିଥାଆନ୍ତି। ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ହୋଇଥାଏ। ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି। ନାଚଗୀତ ଓ ଭୋଜି ଭାତ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥାଆନ୍ତି । ମାଳ ଅଞ୍ଚଳରେ ମକର ଯାତ୍ରା ବଡ଼ ଜାକଜମକରେ ଦୀର୍ଘଦିନ ଧରି ପାଳନ କରାଯାଏ। ଏହି ସମୟରେ ଆଦିବାସୀ ଅଞ୍ଚଳ ଗୁଡ଼ିକ ଯାତ୍ରା ମେଳଣର ଆମୋଦ ପ୍ରମୋଦରେ ଜୀବନ୍ତ ହୋଇଉଠେ। ସେମାନଙ୍କ ପରମ୍ପରା ଅନୁଯାୟୀ “ଟୁସୁ ପରବ” ଏକ ସ୍ନେହ, ପ୍ରେମ ଓ ସଦ୍ଭାବନାର ମହୋତ୍ସବ।
– ଦେବଦତ୍ତ ରଥ