Odiapua.com

ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା

।| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ।
ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ |।
ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାଆନ୍ତି। କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣ ସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି। ନୂତନ ବସ୍ତ୍ର ପରିଧାନ କରନ୍ତି। ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟ ଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉପବାସ ରହିବାକୁ ହୁଏ। ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ। ବାଲି ତୃତୀୟା ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ। ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର। ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି। ମା’ ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ। ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇଥିଲେ। ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି। ପୁଣି ଥରେ ଅପରାହ୍ନରେ ସୂର୍ଯ୍ୟାସ୍ତ ସମୟରେ ଆମ୍ବ ଡାଳରେ ଦାନ୍ତଘଷି, ସ୍ନାନ କରି ପାଣିରେ ବୁଡ଼ି ସାତ ମୁଠା ବାଲି ଆଣନ୍ତି। ସେଥିରେ ଜଳାଶୟ କୂଳରେ ଏକ ଶିବ ଲିଙ୍ଗ ଏବଂ ଘରେ ମଧ୍ୟ ଏକ ବାଲୁଙ୍କା ଶିବଲିଙ୍ଗ ତିଆରି କରି ପୂଜା କରନ୍ତି। ଫୁଲ, ବେଲପତ୍ର ଚଢ଼ାନ୍ତି। ପାଖରେ ଏକ କଦଳୀ ଗଛ ପୁଆ ପୋତନ୍ତି। ପରଦିନ ଭୋରରୁ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ। ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍‌ଯାପନ କରାଯାଏ। ପବିତ୍ର ବାଲି ତୃତୀୟା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
– ଦେବଦତ୍ତ ରଥ