Odiapua.com

କାହା ଇଙ୍ଗିତରେ, ନାଁ ଫଟୋ ପାଇଁ ଚାଲିଛି ଧକ୍କାମରା ଆଉ ଠେଲାପେଲା ..

ଭୁବନେଶ୍ୱର: ରାଜ୍ୟ ବିଜେପି ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି। ଚାଟୁକାରୀ, ଖୋସାମତି ଆଦି ଉପରକୁ ଯିବାର ମାଧ୍ୟମ ପାଲଟିଛି। ନିଜ ନିଜ ଅଞ୍ଚଳରେ ଅଯୋଗ୍ୟ କିନ୍ତୁ ଏଣେ ଚାଟୁକାରୀ କରି ପଦପଦବୀ ମାଡ଼ି ବସିଥିବା କିଛି ନେତାନେତ୍ରୀ ଦଳକୁ ଡୁବାଇବାରେ ଲାଗିଛନ୍ତି ବୋଲି କୁହାଯାଉଛି। ଚାଟୁକାରୀ ଏବଂ ଫଟୋଉଠା ରାଜନୀତି ଓଡ଼ିଶା ବିଜେପି ପାଇଁ କାଳ ସାଜିଛି। ଏବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଦଳ ଭିତରେ ଥିବା ଚରମ ଗୋଷ୍ଠୀ ବିବାଦ ଦୃଷ୍ଟିଗୋଚର ହୋଇଛି। ଧର୍ମେନ୍ଦ୍ର – ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପରିଣାମ ସ୍ୱରୂପ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଛି। ଅମିତ ଶାହାଙ୍କ ଗସ୍ତ ସମୟରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଅପରାଜିତା ଷଡ଼ଙ୍ଗୀଙ୍କ ପିଏଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେଉଛି। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଛବିକୁ ମଳିନ କରୁଛି। କାରଣ ରଞ୍ଜିତ ଦାସଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଖାସ୍ ଅନୁଗତ ଭାବରେ ସମସ୍ତେ ଜାଣନ୍ତି। ତେଣୁ ଏହା ଧର୍ମେନ୍ଦ୍ର କରାଇଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଉଛି।ଏମିତିରେ ବିଜେପିର କୌଣସି ପ୍ରଭାବୀ କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ବିଜେପିର କିଛି ନେତାନେତ୍ରୀଙ୍କ ଶରୀରରେ ସତେ ଯେପରି ଟ୍ରାଫିକ୍ ପୋଲିସର ଆତ୍ମା ପସି ଯାଇଥିଲା ପରି ଅନୁଭବ ହୁଏ। ରାଷ୍ଟ୍ରପତି ପାର୍ଥି ଭାବରେ ଘୋଷଣା ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାଗତ କରାଯିବା ସମୟରେ ସଂପୃକ୍ତ ପ୍ରବକ୍ତାଙ୍କ ସମେତ କିଛି ନେତାନେତ୍ରୀଙ୍କର ଏହିପରି ଆଚରଣ ଦେଖିବାକୁ ମିଳିଥିଲା। ଏପରିକି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏକ ମାତ୍ର ମହିଳା ବିଧାୟିକା କୁଶୁମ ଟେଟେଙ୍କୁ ଠେଲି ଦେବାର ଦେଖିବାକୁ ମିଲିଥିଲା। ବିଜେଡି ବିରୋଧରେ ଏମାନେ ଲଢ଼ିବେ କ’ଣ? ନିଜ ନିଜ ଭିତରେ ଧକ୍କାମରା ଆଉ ଠେଲାପେଲା ହୋଇ ଏମାନେ ସାଧାରଣରେ ବିଜେପିକୁ ଲୋକହସା କରାଉଛନ୍ତି।
-/Dr