Odiapua.com

ଏମଜି-ଏନଆରଇଜିଏସ୍ ମଜୁରି ଶ୍ରମିକଙ୍କ ପିଛା ୨୦ ଟଙ୍କା ବଢିଲା କରୋନା ବିରୋଧୀ କାର୍ଯ୍ୟକ୍ରମରେ ଶ୍ରମଜୀବୀଙ୍କୁ କାମ ଯୋଗାଇବାକୁ ରାଜ୍ୟଗୁଡ଼ିକୁ ଦିଆଗଲା ୪୪୩୧ କୋଟି ଟଙ୍କା

ନୂଆ ଦିଲ୍ଲୀ ୩୧-୩ (ଓଡ଼ିଆ ପୁଅ) କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ ଦେବାକୁ ସରକାର ନିଷ୍ପତି ନେଇଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୪୪୩୧ କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ଏହା ସହିତ ଏହି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ଏପ୍ରିଲ ପହିଲାରୁ ଜଣପିଛା ଦୈନିକ ହାରାହାରି ୨୦ ଟଙ୍କା ବୃଦ୍ଧି କରାଯାଇଛି।

ଏହି ଯୋଜନାରେ ତଫସିଲଭୁକ୍ତ ଜାତି, ଜନଜାତି, ଗରିବ, କ୍ଷୁଦ୍ର ଓ ନାମପାତ୍ର ଚାଷୀ ଏବଂ ମହିଳା ପ୍ରଧାନ ପରିବାରର ମହିଳାମାନେ ଅଧିକ ସଂଖ୍ୟାରେ କାମ କରି ସିଧାସଳଖ ଉପକୃତ ହୋଇଥାନ୍ତି। ସେମାନଙ୍କୁ ଏଭଳି ସଂକଟ କ୍ଷଣରେ କାମ ଯୋଗାଇବା ସହ ଅଧିକ ମଜୁରି ପ୍ରଦାନ କରି ସରକାର ଉପକୃତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ସାମ୍ପ୍ରତିକ ସମୟରେ ଏମଜି-ଏନଆରଇଜିଏସ୍‌କୁ ରାଜ୍ୟ ସରକାର ଓ ଜିଲ୍ଲା କର୍ତ୍ତୃପକ୍ଷ ଆବଶ୍ୟକ ପରାମର୍ଶ ଓ ବିଚାର ଆଲୋଚନା କରି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଲକଡାଉନ ସମୟରେ ଏହାକୁ କାର୍ଯ୍ୟକାରୀ କରିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମ ଯେପରି ଉପଯୁକ୍ତଭାବେ ପାଳନ କରାଯିବ ସେଥିପ୍ରତି ସତର୍କଦୃଷ୍ଟି ରଖିବାକୁ କୁହାଯାଇଛି।