Odiapua.com

ସରକାରୀ ଯୋଜନା ଏମାନଙ୍କ ପାଇଁ ଏବେବି ଅପହଂଚ

କୋଲାବିରା, ୯।୯ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ସରକାର ଗରିବ ଖଟିଖିଆଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଇନ୍ଦିରା ଆବାସ ଠାରୁ ଆରମ୍ଭ କରି ବିଜୁ ପକ୍କାଘର ପର୍ପ୍ୟନ୍ତ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଅଧିକାଂଶ ଗରୀବ ଲୋକ ସରକାରଙ୍କ ଏହି ସୁବିଧାରୁ ଏବେ ବି ବଂଚିତ ହେଉଛନ୍ତି। ସେମାନେ ଏଥିନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ବର୍ଷବର୍ଷ ଧରି ସେମାନଙ୍କୁ ନିରାଶ ହେବାକୁ ଡୁଡଛି। ସ୍ଥାନୀୟ ଅଂଚଳର ନେତା ମାନେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି। କେଉଁଠି ରାଜନୈତିକ ଆକ୍ରୋଶରୁ ଗରୀବଟିଏ ସରକାରୀ ସୁବିଧାରୁ ବଂଚିତ ହେଉଛି ତ ଆଉ କେଉଁଠି ସେମାନେ ଦୃଷ୍ଟି ଆଢୁଆଳରେ ରହିଯାଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ କୋଲାବିରା ବ୍ଲକ ଅଂଚଳରେ ଏଠି ପ୍ରହଲ୍ଲାଦ କଣ୍ଡରାଙ୍କ ପରି ଅନ୍ୟାନ୍ୟ ପରିବାରର ଲୋକେ ଝୁଡି, ଡାଲା, କୁଲା, ଟୋପି, ନାଳିଆ ଇତ୍ୟାଦି ବାଉଁଶ ପାତିଆରେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରିଥାନ୍ତି। ସେଥିରେ ନିଜର ପରିବାର ଭରଣ ପୋଷଣ କରନ୍ତି। ନିଜ ପ୍ରସ୍ତୁତ ସାମଗ୍ରୀ ସ୍ଥାନୀୟ ଅଂଚଳରେ ବିକ୍ରି ହୋଇ ନପାରିଲେ ପେଟ ଚାଖଣ୍ଡକ ପାଇଁ ଏମାନେ ମୂଳ ମଜୁରୀ ମଧ୍ୟ ଲାଗନ୍ତି। ସରକାର ଏହି ଗରୀବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସବୁ ସରକାରୀ ଯୋଜନା ଏହି ପରିବାରଙ୍କ ପାଇଁ ଯେମିତି ସାତ ସପନ ହୋଇ ରହିଛି। ଖାଦ୍ୟ ସୁରକ୍ଷା ଯୋଜନାରୁ ଏମାନେ ବାଦ ପଡିଥିବାରୁ ରେସନ କାର୍ଡ ଖଣ୍ଡେ ମଧ୍ୟ ପାଇନାହାଁନ୍ତି। ସେହିପରି ନୁଆଁଣିଆ ଭଙ୍ଗା ଚାଳଘରେ ସେମାନେ ନିଜ ପରିବାରକୁ ନେଇ ବର୍ଷବର୍ଷ ଧରି ପଡିରହିଥିଲେ ମଧ୍ୟ ସରକାରୀ ଯୋଜନା ଏମାନଙ୍କ ଭାଗ୍ୟରେ ଜୁଟୁନାହିଁ। କେବଳ ନିର୍ବାଚନ ସମୟରେ ସ୍ଥାନୀୟ ରାଜନେତାମାନେ ଏମାନଙ୍କୁ ଗୁଡାଏ ମିଥ୍ୟା ପ୍ରତିଶୃତି ଦେଇ ପରବର୍ତି ସମୟରେ ନଚିହ୍ନିଲାପରି ଅଭିନୟ କରୁଛନ୍ତି। ତେବେ ପ୍ରଶାସନର ଦୃଷ୍ଟି ଆଢୁଆଲରେ ରହି ଆସିଥିବା କୋଲାବିରା -ସମାସିଂହା ଅଂଚଳର ଏହି ପରିବାର ଗୁଡିକ ପାଇଁ ସରକାରୀ ବାବୁ ଓ ରାଜନେତାଙ୍କ ଦରଦ କେବେ ହେବ ତାହା ଦେଖିବାକୁ ବାକିରହିଛି।