Odiapua.com

ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳ ଏହି ପଦକ୍ଷେପ ନେଇଥିବା କହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି। ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କୁ ଦଳରୁ ନିଲମ୍ବନ ଅବା ବହିଷ୍କୃତ କରାଯାଏ। ଏଠି କିନ୍ତୁ, ‘ଜନ ବିରୋଧୀ’ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି। ତେବେ ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଥିଲେ, ସେ ସଂପର୍କରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍‌ରେ କିଛି ସ୍ପଷ୍ଟ କରାଯାଇନି।

ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିକଟରେ ଗିରଫ ହୋଇଥିବା ଅଭୟ ପାଠକଙ୍କ ସହିତ ପ୍ରଦୀପ ପାଣିପ୍ରାହୀଙ୍କ ସଂପର୍କକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଅଭୟ ପାଠକଙ୍କ ପୁଅ ଅକାଶ ପାଠକଙ୍କ ସହିତ ପ୍ରଦୀପ ପାଣିପ୍ରାହୀଙ୍କ ଝିଅର ବାହାଘର ହେବାର ଥିଲା। ଡିସେମ୍ବର ମାସରେ ଏହି ବାହାଘର ହେବାର ଥିଲା। କୁହାଯାଉଛି, ପାଠକ ମାମଲାରେ ବିଜେଡି ନିଜ ଛବି ନିର୍ମଳ କରିବା ପାଇଁ ପାଣିପ୍ରାହୀଙ୍କୁ ବହିଷ୍କୃତ କରିଛି। ସେହିପରି ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ରହିଥିବା ପ୍ରଦୀପ ପାଣିଗ୍ରାହୀଙ୍କର ଆଉ କ୍ଷମତା କେନ୍ଦ୍ରଙ୍କ ସହିତ ଭଲ ସଂପର୍କ ନଥିଲା। ଅନେକ ସମୟରେ ସେ କ୍ଷମତାକେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରୁଥିଲେ। ତେଣୁ ଦଳୀୟ କନ୍ଦଳ ଯୋଗୁ ତାଙ୍କୁ ବହିଷ୍କାର କରାଯାଇ ଥାଇପାରେ ବୋଲି କୁହାଯାଉଛି। ସେହିପରି ‘ପରୀ’ ଘଟଣାରେ ଶାସକ ଦଳର ଜଣେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ନେଇ ବିରୋଧୀ ଜୋରଦାର ଆନ୍ଦୋଳନ କରୁଛି। ଏଥିରେ ଶାସକ ଦଳର ଭାବମୂର୍ତ୍ତିରେ ପ୍ରଭାବ ନପଡ଼ୁ ଏବଂ ଏଥିରୁ ଧ୍ୟାନ ହଟାଇବା ପାଇଁ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଦେଖାଇବା ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି ବୋଲି କୁହାଯାଉଛି।
/-@DevDr