Odiapua.com

ଗୀତା ଜୟନ୍ତୀ ଉପଲକ୍ଷେ ବିଶାଳ ବାଇକ୍ ରାଲି ଏବଂ ଧର୍ମସଭା ଆୟୋଜିତ ..

ଭୁବନେଶ୍ୱର: ପବିତ୍ର ଗୀତା ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା (ଶୌର୍ଯ୍ୟ ସଞ୍ଚଳନ) ଏବଂ ଧର୍ମସଭା ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଖର ରାଷ୍ଟ୍ରବାଦୀ ତଥା ହିନ୍ଦୁତ୍ୱବାଦୀ ଯୁବାନେତ୍ରୀ ହରପ୍ରିୟା ସାହୁ ଯୋଗଦେଇ ପବିତ୍ର ଗୀତାର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିବା ସହ ବୃଦ୍ଧି ପାଉଥିବା ଗୋହତ୍ୟା ଏବଂ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ କରିଛନ୍ତି। ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ରାମେଶ୍ୱର ଛକ ସ୍ଥିତ ମା’ ବଘେଇଙ୍କ ପୀଠ ନିକଟରୁ ବାହାରି ନିରାକାରପୁର ଗଣେଶ ପଡ଼ିଆ ନିକଟରେ ପହଞ୍ଚି ନୀଳକଣ୍ଠେଶ୍ୱର ମନ୍ଦିର ଦର୍ଶନ କରି ସେଠାରୁ ଆସି “ଶ୍ରୀରାମ ଦୟା ପରିଷଦ” ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ଏଠାରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ଏକ ଧର୍ମସଭାର ଆୟୋଜନ ହୋଇଥିଲା। ଏଠାରେ ଉଦ୍ବୋଧନ ଦେଇ ହରପ୍ରିୟା ବୃଦ୍ଧି ପାଉଥିବା ଗୋହତ୍ୟା ଏବଂ ଲଭ୍ ଜିହାଦ୍ ବିରୋଧରେ ଉଦ୍ବେଗ ପ୍ରକାଶ କରିବା ସହ ଏହା ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ୍ କରିଥିଲେ। ହରପ୍ରିୟା କହିଥିଲେ, ବାସ୍ତବରେ ଭାଇଚାରା ଏବଂ ସହଶୀଳତାର ପାଠ ପଢ଼ାଇ ଦୀର୍ଘ ଦିନ ହେଲା ହିନ୍ଦୁ ସମାଜକୁ ଗୁଲାମ୍ ମାନସିକତା ଭିତରେ ରଖିବାର ପ୍ରୟାସ କରାଯାଇଛି। ଭାଇଚାରାର କଥା କହି ଏଣେ ଆମ ଆସ୍ଥା, ଆମ ବିଶ୍ୱାସର କେନ୍ଦ୍ର ଗୋମାତାର ହତ୍ୟା କରାଯାଉଛି। ପୋଲିସ୍ ପ୍ରଶାସନର ପ୍ରୋତ୍ସାହନରେ ବେଆଇନ ଗୋଚାଲାଣ ଚାଲିଛି। ଯଦି କେହି ଗୋସେବକ ବେଆଇନ୍ ଗୋଚାଲାଣକୁ ରୋକିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ନାମରେ ମିଥ୍ୟା କେସ୍ କରି ସେମାନଙ୍କୁ ଫସାଇ ଦିଆଯାଉଛି। ସେହିପରି ହେତୁବାଦୀଙ୍କୁ ଆକ୍ଷେପ କରି ହରପ୍ରିୟା କହିଥିଲେ, ଭାରତର ଅଖଣ୍ଡତା ଏବଂ ହିନ୍ଦୁ ଧର୍ମୀୟ ଭାବନା ଉପରେ ଅହରହ ଆକ୍ରମଣ ଚାଲିଛି। କିଛି ଚାଇନିଜ୍ ଏଜେଣ୍ଟ, ଅର୍ବାନ୍ ନକ୍ସଲ ହେତୁବାଦୀ ଚିଲାଉଛନ୍ତି। ଆମର ସହନଶୀଳତା ତଥା ନୀରବତାର ସୁଯୋଗ ନେଇ ସେମାନେ ଆମର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀରାମଙ୍କ ଅପମାନ କରୁଛନ୍ତି। ଜଗନ୍ନାଥଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ କରିବାର ସାହସ କରୁଛନ୍ତି। ସହନଶୀଳତା ନାମରେ ଆମକୁ କ’ଣ ନପୁସଙ୍କତା ଗ୍ରାସ କରିଛି? ପ୍ରତିବାଦ କରିବାର ସ୍ୱର ଆମର ହଜିଯାଇଛି!ସେହିପରି ଲାଉଡସ୍ପିକରରେ ଅଜାନ୍ ପାଠ ଉପରେ ଆପତ୍ତି ଉଠାଇ ହରପ୍ରିୟା କହିଥିଲେ, ଭାରତ ଏକ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର। ସବୁ ଧର୍ମର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏଠି ସମାନ ଅଧିକାର ରହିଛି। ଯାହା ପାଇଁ ଯାହା ଧର୍ମ ବଡ଼, ଯାହା ପାଇଁ ଯାହା ପ୍ରାର୍ଥନା ବଡ଼। କିନ୍ତୁ, ଏହାର ଅର୍ଥ ନୁହେଁ, ନିଜର ପ୍ରାର୍ଥନା/ନମାଜ୍ ପାଠ ଅନ୍ୟକୁ ଶୁଣାଇବା। ଶବ୍ଦ ପ୍ରଦ୍ୟୁଷଣ, ବାୟୁ ପ୍ରଦୂଷଣ ଆଦି ପାଇଁ ଦୀପାବଳୀରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବିବାହ ବରଯାତ୍ରୀରେ ଡିଜେ/ଲାଉଡସ୍ପିକର ବଜାଇବା ଉପରେ ଅଙ୍କୁଶ ଲଗାଯାଉଛି। କିନ୍ତୁ, ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଚାର ଓ ପ୍ରସାର ପାଇଁ ନିୟମରେ ବ୍ୟତିକ୍ରମ କାହିଁକି? କେତେବେଳେ କେମିତି କୌଣସି ପର୍ବପର୍ବାଣୀ କଥା ଭିନ୍ନ। କିନ୍ତୁ, ପ୍ରତ୍ୟେକ ଦିନ, ଦିନକୁ ୫ ଥର ପୁଣି ବଡ଼ି ଭୋରରୁ ଚିଲାଇ ଚିଲାଇ ଅଜାନ୍ ପାଠ କରିବାର ମାନେ କ’ଣ? ନିଜେ ଅଜାନ୍ ପାଠ କରନ୍ତୁ, ନିଜେ ଶୁଣନ୍ତୁ। ଅନ୍ୟର ଶାନ୍ତିରେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ। ହରପ୍ରିୟା କହିଥିଲେ, ମୁଁ କୌଣସି ଧର୍ମକୂୁ ବିରୋଧ କରୁନି। କିନ୍ତୁ, ସମସ୍ତଙ୍କ ସୁବିଧାକୁ ଦେଖି ପଦକ୍ଷେପ ଗ୍ରହଣ କରିବା ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟ। ନିଜ ପକ୍ଷରୁ ସେମାନେ ଏପରି ପ୍ରଥା ବନ୍ଦ୍ କରନ୍ତୁ। ନଚେତ୍ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଏ’ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସେହିପରି ଲଭ୍ ଜିହାଦ୍ ଉପରେ ଆପତ୍ତି ଉଠାଇ ହରପ୍ରିୟା କହିଥିଲେ, ସୁଚିନ୍ତିତ ଯୋଜନା କରି ହିନ୍ଦୁ ଯୁବତୀ ମାନଙ୍କୁ ଭୁଲାଇ, ଫୁସୁଲାଇ, ପ୍ରଲୋଭନ ଦେଖାଇ କିମ୍ବା ଧମକ ଚମକ ଦେଇ ପ୍ରଥମେ ପ୍ରେମ ଜାଲରେ ଫସାଇ ଦିଆଯାଉଛି। ଏହା ପରେ ସେମାନଙ୍କ ସହିତ ଯୌନ ଶୋଷଣ, ସାମୂହିକ ଦୁଷ୍କର୍ମ କରାଯାଉଛି। ଧର୍ମାନ୍ତରୀକରଣ କରାଯାଉଛି, ନମାଜ୍ ପାଠ କରିବା ପାଇଁ, ଗୋମାଂସ ଭକ୍ଷଣ କରିବାକୁ ବାଧ୍ୟ କରାଯାଉଛି। ଏମିତି ଅନେକ ଝିଅ ଲଭ୍ ଜିହାଦର ଶିକାର ହେଲେଣି। ଏବେ ଆମେ ଲଭ୍ ଜିହାଦର ଶୀକାର ଶ୍ରଦ୍ଧାଙ୍କ ପରିଣତି ଦେଖିଲେ। ଆଫତାବ ଶ୍ରଦ୍ଧାଙ୍କୁ ମାରି ଶରୀରକୁ ୩୫ ଖଣ୍ଡ କରି ନୂଆ ଫ୍ରିଜ କିଣି ତାହା ଭିତରେ ରଖି ୧୮ ଦିନ ପର୍ଯ୍ୟନ୍ତ ପ୍ର୍ୟତେକ ଦିନ ରାତିରେ ଜଙ୍ଗଲ ନେଇ ଫିଙ୍ଗୁଥିଲା। ଭାରତର କୋଣ ଅନୁକୋଣରେ ଏପରି ଅନେକ ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଯୁବତୀ ଲଭ୍ ଜିହାଦର ଶୀକାର ହୋଇ ମରଣକୁ ବରଣ କରୁଛନ୍ତି। ଏହି ସମୟରେ ସେ କିଛି ଦିନ ତଳେ ଭଦ୍ରକରେ ଘଟିଥିବା ତୃଷ୍ଣାରାଣୀଙ୍କ ଆତ୍ମହତ୍ୟା ଘଟଣା ସହିତ ଏଇ ନିକଟରେ ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଘଟିଥିବା ଇପ୍ସିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ। ହରପ୍ରିୟା କହିଥିଲେ, ଭଲ ପାଇବାର ପରିଣତି ସ୍ୱରୂପ ନିଜକୁ ନିଜେ ହତ୍ୟା କରିବାକୁ ସେମାନେ ବାଧ୍ୟ ହେଲେ। ଏବେଠାରୁ ଆମେ ଯଦି ସତର୍କ ନରହିବା ଏହାର କିଛି ଗୋଟେ ନିର୍ଣ୍ଣାୟକ ସମାଧାନ ନ’କରିବା ତେବେ ଆଗାମୀ ଦିନରେ ହୁଏତ ଆମର ଜଣେ କେହି ଆତ୍ମୀୟ ବା ନିଜର ଝିଅଟିଏ ଲଭ୍ ଜିହାଦର ଶୀକାର ହୋଇଯିବ। ଏସବୁ କହିଲେ କେହି କେହି ଆମକୁ ସଂପ୍ରଦାୟିକ ବୋଲି କହୁଛନ୍ତି। ଭାଇଚାରା କଥା କହି ଶାନ୍ତି ଦୂତମାନେ ଶାନ୍ତି କମିଟି କରୁଛନ୍ତି। ଏବଂ ପୁଣି ସେମାନଙ୍କ ପକ୍ଷରୁ ଆଉ ଏକ ଆକ୍ରମଣକୁ ଆମେ ଅପେକ୍ଷା କରି ରହୁଛେ। ବହୁତ ହୋଇଗଲା ଏବେ ଆଉ ବରଦାସ୍ତ କରାଯିବନି। ହିନ୍ଦୁ ସମାଜ ଏକ ହେବ। ଗୋହତ୍ୟା, ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ଆରମ୍ଭ ହେବ ବୋଲି ହରପ୍ରିୟା ଚେତାବନୀ ଦେଇଥିଲେ। ଏହି ଅବସରରେ ସେ ପଦ୍ମପୁର ଗ୍ରାମରେ ଲଭ୍ ଜିହାଦର ଶୀକାର ହୋଇ ଆତ୍ମହତ୍ୟା କରିଥିବା ଯୁବତୀ ଇପ୍ସିତାଙ୍କ ପରିବାରକୁ ଯାଇ ଭେଟିବା ସହିତ ତାଙ୍କ ମା’ ଏବଂ ଭଉଣୀଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।
-/Dr