Odiapua.com

ମୋଦୀଙ୍କ ଉପରେ ଆଫ୍ରିଦିଙ୍କ ବିବାଦୀୟ ଟିପ୍ପଣୀ; ଗମ୍ଭୀରଙ୍କ ଜବାବ୍: ବାଂଲାଦେଶ ମନେ ଅଛି ତ ..

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏଣେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରୀ ରଖିଥିବା ବେଳେ ପାକିସ୍ତାନ କିନ୍ତୁ ସେହି କାଶ୍ମୀର ପ୍ରସଙ୍ଗରେ ଚିତ୍କାର କରିବା ଚଲାଇଛି। ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଏହି ସମୟରେ କାଶ୍ମୀରର ପ୍ରସଙ୍ଗ ଉଠାଇ କାଶ୍ମୀର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସହିଦ ଆଫ୍ରିଦିଙ୍କ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀ କାଶ୍ମୀରବାସୀଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ଆମକୁ ଏହାର ଉତ୍ତର ଦେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ଧର୍ମକୁ ନେଇ ରାଜନୀତି କରୁଥିବା କହିବା ସହ ପିଏମ ମୋଦୀଙ୍କୁ ଭୟଭୀତ ଏବଂ ମାନସିକ ରୋଗୀ ବୋଲି କହିଛନ୍ତି ସୟଦ ଆଫ୍ରିଦି। ଆଫ୍ରିଦି ପିଏମ ମୋଦୀଙ୍କୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କହିଛନ୍ତି। ଆଫ୍ରିଦିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି, ଆଫ୍ରିଦି କିଛି ଦିନ ତଳେ ପିଓକେ ଯାଇଥିଲେ।ଯେଉଁଠାରେ ପାକିସ୍ତାନ ସେନାଙ୍କ ଉପସ୍ଥିତିରେ ଆଫ୍ରିଦି କହୁଛନ୍ତି, “ଦୁନିଆରରେ ଏକ ବଡ଼ ରୋଗ (କରୋନା ଭାଇରସ୍) ବ୍ୟାପିଛି। କିନ୍ତୁ, ତା’ ଠାରୁ ବଡ଼ ରୋଗ ମୋଦିଙ୍କ ହୃଦୟ ଏବଂ ମନରେ ରହିଛି। ଏହି ରୋଗ ଧର୍ମକୁ ନେଇ, ମୋଦି ଧର୍ମକୁ ନେଇ ରାଜନୀତି କରୁଛନ୍ତି।” ସେ ଆହୁରି କହିଛନ୍ତି, “ମୋଦୀ ନିଜକୁ ଜଣେ ସାହସୀ ଭାବରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ବାସ୍ତବରେ ସେ ଜଣେ ଭୀରୁ। ଏକ ଛୋଟ କାଶ୍ମୀର ପାଇଁ ୭ ଲକ୍ଷ ସୈନ୍ୟ ମୁତୟନ କରିଛନ୍ତି। ଯେତେବେଳେ କି ପାକିସ୍ତାନର ସମୁଦାୟ ସେନା ୭ ଲକ୍ଷ ହୋଇଥିବା ବେଳେ ସେ ଜାଣିନାହାଁନ୍ତି ଯେ ପାକିସ୍ତାନୀ ସେନା ପଛରେ ୨୨/୨୩ କୋଟି ଲୋକ ଅଛନ୍ତି। କାଶ୍ମୀରରେ ପାକିସ୍ତାନୀ ସେନାକୁ ସମର୍ଥନ କରୁଥିବା ଲୋକଙ୍କୁ ମୁଁ ସଲାମ କରୁଛି।”

ସୟଦ ଆଫ୍ରିଦିଙ୍କ ଏହି ଭାଇରାଲ ଭିଡିଓର ଜବାବ୍ ଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ବିଜେପି ସାଂସଦ ଗୌତ୍ତମ ଗମ୍ଭୀର। ଗମ୍ଭୀର ଟ୍ୱିଟରରେ ଲେଖିଛନ୍ତି ଯେ “୧୬ ବର୍ଷ ବୟସ୍କ ସହିଦ ଆଫ୍ରିଦି କହିଛନ୍ତି ପାକିସ୍ତାନର ୭ ଲକ୍ଷ ସୈନ୍ୟଙ୍କ ପଛରେ ୨୦ କୋଟି ଲୋକ ଠିଆ ହୋଇଛନ୍ତି। ତଥାପି ସେମାନେ ୭୦ ବର୍ଷ ଧରି କାଶ୍ମୀର ପାଇଁ ଭିକ୍ଷା ମାଗୁଛନ୍ତି।” ଗମ୍ଭୀର ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ଆଫ୍ରିଦି, ଇମ୍ରାନ ଖାନ ଏବଂ ବାଜୱାଙ୍କ ପରି ଜୋକରମାନେ ପାକିସ୍ତାନର ଲୋକଙ୍କୁ ବୋକା ବନାଇବା ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। କିନ୍ତୁ ଜଜମେଣ୍ଟ ଡେ’ (ବିଚାର ଦିବସ) ପର୍ଯ୍ୟନ୍ତ ସେମାନେ କାଶ୍ମୀର ପାଇବେ ନାହିଁ।” ଏହା ସହ ଗମ୍ଭୀର ଆଫ୍ରିଦିଙ୍କୁ ପ୍ରଶ୍ନ କରିଛନ୍ତି ବାଂଲାଦେଶ ମନେ ଅଛି ତ’। ଏହା ପ୍ରଥମ ଥର ନୁହେଁ ଯେ ଗମ୍ଭୀର ଆଫ୍ରିଦିଙ୍କ କ୍ଲାସ କରିଛନ୍ତି, ସେ ପୂର୍ବରୁ ମଧ୍ୟ ଅନେକ ଥର ଆଫ୍ରିଦିଙ୍କ ବକ୍ତବ୍ୟରେ ତାଙ୍କୁ ବହୁତ ଭଲ ଭାବରେ ଶୁଣାଇଛନ୍ତି।

ଗୌତମ ଗମ୍ଭୀରଙ୍କ ବ୍ୟତିତ ଭାରତୀୟ ଦଳର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ମଧ୍ୟ ଆଫ୍ରିଦିଙ୍କୁ ଉତ୍ତର ଦେଇଛନ୍ତି। ଏକ ଜାତୀୟ ଟିଭି ଚ୍ୟାନେଲକୁ ମନ୍ତବ୍ୟ ଦେଇ ହରଭଜନ ସିଂ କହିଛନ୍ତି ଯେ “ଆଫ୍ରିଦି ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାହା କହିଛନ୍ତି ତାହା ଆଦୈ ସହିବା ଯୋଗ୍ୟ ନୁହେଁ। ସେ ଏହି ପ୍ରସଙ୍ଗରେ ତାଙ୍କର ସମସ୍ତ ସୀମା ଉଲଙ୍ଘନ କରିଛନ୍ତି। ମୁଁ ଭାବୁଥିଲି ଯେ ଆଫ୍ରିଦି ଆମର ବନ୍ଧୁ। କିନ୍ତୁ, ବନ୍ଧୁ କେବେବି ଏପରି କାର୍ଯ୍ୟ କରିପାରିବ ନାହିଁ। ଆଜିଠାରୁ ତାଙ୍କ ସହିତ ମୋର କୌଣସି ଯାଆସ ନାହିଁ। ଆମ ଦେଶ ତଥା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାର ତାଙ୍କର କୌଣସି ଅଧିକାର ନାହିଁ। /-ଦେବଦତ୍ତ ରଥ

https://twitter.com/ashokepandit/status/1261718511518224384?s=19