Odiapua.com

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

ଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ।ଭାରତର ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ଗାନ୍ଧୀଙ୍କୁ କୁହାଯାଏ।ଆଉ ଜଣେ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ।ସ୍ୱାମୀ ବିବେକାନନ୍ଦଙ୍କ ପରେ ବିଶ୍ୱ ଦରବାରରେ ଭାରତର ସମ୍ମାନ ବୃଦ୍ଧି କରାଇବାରେ ମୋଦୀଙ୍କ ନାମ କୁହାଯାଉଛି।ଗାନ୍ଧୀଙ୍କୁ ମହାତ୍ମା କୁହାଯାଉଥିବା ବେଳେ ମୋଦୀଙ୍କୁ କୁହାଯାଉଛି ଆଧୁନିକ ଭାରତର ନିର୍ମାତା।ତେବେ ଏ’ ଭିତରେ ରାଷ୍ଟ୍ରପିତା (ଫାଦର ଅଫ ନେସନ)/ ଜାତିର ପିତା ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି।ଆଜି ଯାଏଁ ଗାନ୍ଧୀଙ୍କୁ ରାଷ୍ଟ୍ରପିତା ବା ଜାତିର ପିତା କୁହାଯାଇ ଆସୁଥିଲା।କିନ୍ତୁ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ କାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ରାଷ୍ଟ୍ରପିତା (ଫାଦର ଅଫ ନେସନ) କହିବାକୁ ନେଇ ବିବାଦ ଉପୁଜିଛି।ଗାନ୍ଧୀଙ୍କ ଠାରୁ ରାଷ୍ଟ୍ରପିତା ଉପାଧିଟି ଛଡ଼ାଇ ନେବାକୁ ଉଦ୍ୟମ ହେଉଛି ବୋଲି କୁହାଯାଉଛି।ତେବେ ବାସ୍ତବରେ ରାଷ୍ଟ୍ରପିତା କିଏ?

ଇତିହାସରେ ମାନାଯାଏ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଙ୍କୁ ରାଷ୍ଟ୍ରପିତା କହିଥିଲେ।୬, ଜୁଲାଇ, ୧୯୪୪ରେ ସିଙ୍ଗାପୁର ରେଡ଼ିଓରେ ସୁବାଷ ବୋଷ ଗାନ୍ଧୀଙ୍କୁ ରାଷ୍ଟ୍ରପିତା କହି ସମ୍ବୋଧନ କରିଥିଲେ।ଏହାପରେ ୨୮, ଏପ୍ରିଲ ,୧୯୪୭ ମସିହାରେ ସରୋଜିନୀ ନାଇଡୁ ଏକ ସମ୍ମିଳନୀରେ ଗାନ୍ଧୀଙ୍କୁ ରାଷ୍ଟ୍ରପିତା କହି ସମ୍ବୋଧନ କରିଥିଲେ।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ଗାନ୍ଧୀଙ୍କ ଦେହାନ୍ତ ପରେ ରାଷ୍ଟ୍ରକୁ ସମ୍ବୋଧନ କରିବା ସମୟରେ ଗାନ୍ଧୀଙ୍କୁ ରାଷ୍ଟ୍ରପିତା କହି ସମ୍ବୋଧନ କରିଥିଲେ।ତେବେ, ୟୁପିଏ- ୨ ଶାସନ ସମୟରେ ୨୦୧୨/୧୩ ମସିହାରେ ଜଣେ ୧୦ ବର୍ଷର ଛାତ୍ରୀ ଐଶ୍ୱର୍ଯ୍ୟା ପରାସର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମିଓ)କୁ ସୂଚନା ଅଧିକାର ଆଇନ ଅନୁଯାୟୀ ଚିଠି ଲେଖି ଗାନ୍ଧୀଙ୍କୁ ରାଷ୍ଟ୍ରପିତା ଉପାଧି ଦିଆଯିବାର ସରକାରୀ ଆଦେଶର ଫଟୋ କପି ମାଗିଥିଲେ।ପିଏମିଓରୁ ଉତ୍ତର ଆସିଲା ଯେ ତାଙ୍କ ପାଖେ ସେପରି ରେକର୍ଡ କିଛି ନାହିଁ।ଏହାସହ ପିଏମଓ ଗୃହ ମନ୍ତ୍ରାଳୟକୁ ତଥ୍ୟ ଅନୁସନ୍ଧାନ ପାଇଁ ପଠାଇଦେଲା।ଗୃହ ମନ୍ତ୍ରାଳୟ ଏହାକୁ ରାଷ୍ଟ୍ରୀୟ ଅଭିଲେଖାଗାର (ଏନଏଆଇ)କୁ ପଠାଇଦେଲା।ତେବେ ଏନଏଆଇ ପାଖରେ ମଧ୍ୟ ଝିଅଟିର ପ୍ରଶ୍ନର ଉତ୍ତର ନଥିଲା।

ଗାନ୍ଧୀଙ୍କୁ ସୁବାଷ ବୋଷ କି ସରୋଜିନୀ ନାଇଡୁ ରାଷ୍ଟ୍ରପିତା କହିଥିଲେ।ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କୁ ରାଷ୍ଟ୍ରପିତା କହିଲେ।ବାସ୍ତବରେ ଟ୍ରମ୍ପ ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ମୋଦୀ ଭାରତର (ରାଷ୍ଟ୍ର)ପିତା ପରି, ସେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରୁଛନ୍ତି।ପ୍ରତ୍ୟେକ ରାଷ୍ଟ୍ରର ମୁଖ୍ୟ ପିତାତୁଲ୍ୟ ପରି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ଉଚିତ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାରେ ପିତୃତୁଲ୍ୟ ପରି କାର୍ଯ୍ୟ କରିବା ଉଚିତ।ପିତୃତୁଲ୍ୟ, କିନ୍ତୁ ପିତା ନୁହେଁ।ଏ’ ଦେଶର ଇତିହାସ, ସଭ୍ୟତା ବହୁ ପୁରାତନ।ମୋଦୀ ଏବଂ ଗାନ୍ଧୀଙ୍କ ପୂର୍ବରୁ ଏ’ ଜାତି, ଏବଂ ସଭ୍ୟତା ଥିଲା।ରାଷ୍ଟ୍ରକୁ ଆମେ “ଭାରତ ମାତା” କହି ମାତୃତୁଲ୍ୟ ପୂଜା କରୁ।ଗାନ୍ଧୀ ବା ମୋଦୀ ନିଶ୍ଚିତ ଭାବରେ ଏ’ ରାଷ୍ଟ୍ରର ସୁପୁତ୍ର।ପିତା କିପରି?ପୁରାଣ ବର୍ଣ୍ଣିତ (ଅଲିଖିତ ଇତିହାସ) ଅନୁଯାୟୀ ଲଙ୍କା ବିଜୟ ପରେ ଶ୍ରୀରାମ ତାଙ୍କ ଅନୁଜ ଲକ୍ଷ୍ମଣଙ୍କୁ କହିଥିଲେ : –
।।ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ,ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ।।
ଅର୍ଥାତ: “ହେ ଲକ୍ଷ୍ମଣ ଏପରିକି ଏହି ସ୍ୱର୍ଣ୍ଣର ଲଙ୍କା ବି ମତେ ଆକର୍ଷିତ କରୁ ନାହିଁ।ମା’ ଏବଂ ମାତୃଭୂମି ସ୍ୱର୍ଗଠାରୁ ଶ୍ରେଷ୍ଠ ହୋଇଥାଏ”।//-ଦେବଦତ୍ତ ରଥ