Odiapua.com

ଭଲ ମୂଲଚାଲ କରି ରାଜନୀତିରେ ଯୋଗ ଦେଉଛନ୍ତି ପ୍ରଶାସକ

ଭୁବନେଶ୍ୱର ୪-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଗୋଟିଏ ଲକ୍ଷରେ। ଭୁବନେଶ୍ୱରରୁ ସାଂସଦ ହୋଇ ପାର୍ଲାମେଣ୍ଟରେ ବସିବେ। ସେଥିସକାଶେ ବିଜୁ ଯୁବ ବାହିନୀର ଦାୟୀତ୍ତ୍ୱ ନେବାଠୁ ଆରମ୍ଭ କରି ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ଥରରେ ପରିଚିତ କରାଇବାର ଦାୟୀତ୍ତ୍ୱ ମଧ୍ୟ ସେ ନିର୍ବାହ କରିଥିଲେ। ବଲିଉଡ଼୍ ଷ୍ଟାର ଶାରୁକ୍ ଖାନ୍, ସଲମାନ ଖାନ୍,, ମାଧୁରୀ ଦିକ୍ଷୀତ, ଏ.ଆର.ରହେମାନ୍ ପ୍ରମୁଖଙ୍କୁ ଆଣି କଳିଙ୍ଗ ଷ୍ଟାଡ଼ିୟମରେ ନଚାଇବାର ସମସ୍ତ ଶ୍ରେୟ ତାଙ୍କ ଉପରେ ନ୍ୟସ୍ତ ଥିଲା। ଏଥିରେ ସିଏ ସଫଳ ହେଲେ। ପ୍ରତିବଦଳରେ ଦଳ ବିଜେଡ଼ି ତାଙ୍କୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କରିବା ପାଇଁ ପ୍ରତିଶୃତି ଦେଇଛି। କଳେବଳେ କୌଶଳେ ତାଙ୍କୁ ଜିତେଇବା ପାଇଁ ମଧ୍ୟ ଦାୟୀତ୍ତ୍ୱ ନେଇଛି।

ଶ୍ରୀଯୁକ୍ତ ଅମର ପଟ୍ଟନାୟକ ତିନୋଟି ରାଜ୍ୟର ପୂର୍ବତନ ମହାଲେଖାଗାର। ଚାକିରି ଛାଡ଼ିଲେ ଏବଂ ବିଜଦରେ ଯୋଗ ଦେଲେ। ଦଳର ଆଇଟି ସେଲ୍ ର ମୁଖ୍ୟ ହେଲେ, ଦଳ ସହିତ ମୂଲଚାଲ ହୋଇଛିଯେ, ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବେ ଏବଂ ବିଜଦ ସରକାର ଆସିଲେ ସେ ଅର୍ଥ କିମ୍ବା ରାଜସ୍ୱ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେବେ। ତେଣୁ ଯେତେ ସବୁ କଳ୍ପନା ଜଳ୍ପନା ଆସୁଛି ଭୁବନେଶ୍ୱର ମଧ୍ୟ ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାଶ, ସୁଲତା ଦେଓ ପ୍ରମୁଖ ଆଶାୟୀ ଅଛନ୍ତି। ମାତ୍ର ଦଳ ଓ ଗଣ ମାଧ୍ୟମକୁ ଅନ୍ଧାରରେ ରଖି ତୃତୀୟ ମହଲାର କରିତକର୍ମା ବ୍ୟକ୍ତିଗତ ସଚିବ ଅମର ପଟ୍ଟନାୟକଙ୍କର ନାମ ଏକ ପ୍ରକାର ଚୂଡ଼ାନ୍ତ କରିସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ପୂର୍ବତନ ପୂର୍ତ୍ତ ଯନ୍ତ୍ରୀ ନଳିନୀ ପ୍ରଧାନ ବିଜେଡ଼ିରେ ଯୋଗ ଦେଉଛନ୍ତି ବୋଲି ରାଜ୍ୟବାସୀ ଅବଗତ। ସମ୍ବଲପୁର ଲୋକସଭା ଆସନ ପାଇଁ ସେ ବିଜଦ ପ୍ରାର୍ଥୀ ହେବେ ବୋଲି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି। ମାତ୍ର ଯାହା ଖବର ହସ୍ତଗତ ହୋଇଛି ସେ ସଞ୍ଜୀବ ସାହୁଙ୍କ ବଦଳରେ ଆଠମଲ୍ଲିକରୁ ପ୍ରାର୍ଥୀ ହେବେ। ଜିତିକରି ଆସିବା ପରେ ସେ ପୂର୍ତ୍ତ କିମ୍ବା ନଗର ଉନ୍ନୟନ ମନ୍ତ୍ରୀ ହେବେ।

ମାଧବାନନ୍ଦ ମଲ୍ଲିକ ଓଡ଼ିଶା ସରକାରଙ୍କର ବରିଷ୍ଠ ପ୍ରଶାସକ ବିଜଦରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଯୋଜନା କରୁଛି ଯାଜପୁର ଲୋକସଭା କିମ୍ବା ବିଞ୍ଝାରପୁର ବିଧାନସଭା ଆସନରେ ପ୍ରାର୍ଥୀ କରିବା ପାଇଁ। ମାତ୍ର ସେ ଇଚ୍ଛୁକ ବିଞ୍ଝାରପୁର ବିଧାନସଭା ଆସନପାଇଁ। ସେଠାରୁ ଜିତିକି ଆସିଲା ପରେ ସେ ରାଜ୍ୟ କ୍ୟାବିନେଟ୍ ରେ ଏସି/ଏସଟି ମନ୍ତ୍ରୀ ହେବାପାଇଁ ଆଶା ପୋଷଣ କରିଛନ୍ତି।

ଶ୍ରୀଯୁକ୍ତ ରବି ନାରାୟଣ ନନ୍ଦ ବରିଷ୍ଠ ପ୍ରଶାସକ ଚାକିରୀରୁ ଅବସର ନେଲା ପରେ ବିଜଦରେ ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର ସାଂସ୍କୃତିକ ମୁଖ୍ୟ ସଂଯୋଜକ ପଦବୀରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ସେ ମଧ୍ୟ ଦଳ ସହିତ ଏକ ବୃହତ ମୂଲଚାଲ କରି ଯୋଗ ଦେଇଛନ୍ତି।

ଏହା ହେଉଛି କିଛିଟା କିଞ୍ଚିତ ଉଦାହରଣ। ସମ୍ପୂର୍ଣ୍ଣ ତଥ୍ୟ ପରିପ୍ରକାଶ କଲେ ପ୍ରଶାସନିକ କ୍ଷେତ୍ରରେ ଏକ ବୃହତ ଅସନ୍ତୋଷ ସୃଷ୍ଟି ହେବାର ଆଶଂକା କହିଛି। ତେଣୁ କିଞ୍ଚିତ ଉଦାହରଣ ଭିତରେ ଆମେ ନିଜକୁ ସୀମିତ ରଖିବାକୁ ବାଧ୍ୟ ହେଉଛୁ। ରାଜ୍ୟ ସରକାରରେ ପ୍ରଶାସନିକ କ୍ଷମତାର ଦଖଲ ଓଡ଼ିଶାବାସୀ ପୂର୍ବରୁ ଅନୁଭବ କରିସାରିଛନ୍ତି। ଏବେ ରାଜନୀତିରେ ପ୍ରଶାସନିକ ପ୍ରବେଶକୁ ଓଡ଼ିଶାବାସୀ କିପରି ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।