– ଶ୍ରୀ ପୀୟୂଷ ଗୋୟଲ ଭାରତରେ ଆଇପିଆର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଡିପିଆଇଆଇଟି ଦ୍ୱାରା କରାଯାଇଥିବା ନିରନ୍ତର ପ୍ରୟାସକୁ କଲେ ଉଚ୍ଚ ପ୍ରଶଂସା
– ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି ) ତଥା ବୌଦ୍ଧିକ ସମ୍ପତ୍ତି (ଆଇପି) କାର୍ଯ୍ୟାଳୟର ସମନ୍ୱିତ ପ୍ରୟାସ ଭାରତକୁ ବୈଶ୍ୱିକ ନବସୃଜନ ସୂଚକାଂକରେ ଚୂଡ଼ାନ୍ତ ୨୫ ସ୍ଥାନରେ ପହଞ୍ଚାଇବ: ଶ୍ରୀ ଗୋୟଲ
– ଗତ ସାତ ବର୍ଷରେ ପେଟେଣ୍ଟ ଦାଖଲ କରାଯାଇଥିବା ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି।
– ଆର୍ଥିକ ବର୍ଷ ୨୦୧୪-୧୫ ତୁଳନାରେ ଆର୍ଥିକ ବର୍ଷ ୨୦୨୧-୨୨ରେ ପେଟେଣ୍ଟ ପ୍ରଦାନ କରାଯିବା ସଂଖ୍ୟାରେ ହାରାହାରି ପାଞ୍ଚଗୁଣ ବୃଦ୍ଧି ଘଟିଛି
ଭାରତ ଆଇପି ନବୋନ୍ମେଷ ପରିସଂସ୍ଥାନ କ୍ଷେତ୍ରରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି, ଯେଉଁଥିରେ ୧୧ ବର୍ଷରେ ପ୍ରଥମ ଥର ପାଇଁ ଜାନୁଆରୀ- ମାର୍ଚ୍ଚ ୨୦୨୨ ଅବଧିରେ ଘରୋଇ ପେଟେଣ୍ଟ ଦାଖଲ କରାଯାଉଥିବା ଆବେଦନ ସଂଖ୍ୟା ଭାରତରେ କରାଯାଉଥିବା ଆନ୍ତର୍ଜାତିକ ପେଟେଣ୍ଟ ଫାଇଲିଂ ସଂଖ୍ୟାଠାରୁ ଅଧିକ ହୋଇଛି। ଅର୍ଥାତ୍, ଦାଖଲ କରାଯାଇଥିବା ମୋଟ ୧୯୭୯୬ଟି ପେଟେଣ୍ଟ ଆବେଦନ ମଧ୍ୟରୁ ଭାରତୀୟ ଆବେଦକଙ୍କ ଦ୍ୱାରା ୧୦୭୦୬ ପେଟେଣ୍ଟ ଆବେଦନ ଦାଖଲ କରାଯାଇଛି ଯଦ୍ୟପି ଅଣ ଭାରତୀୟମାନଙ୍କ ଦ୍ୱାରା ୯୦୯୦ଟି ଆବେଦନ ଦାଖଲ କରାଯାଇଛି। ଏହାକୁ ନିମ୍ନାନୁସାରେ ପ୍ରତିନିଧିତ୍ୱ କରାଯାଇଛି।
ଅଣ ଭାରତୀୟ ଆବେଦକମାନଙ୍କ ତୁଳନାରେ ଭାରତୀୟ ଆବେଦକମାନଙ୍କ ଦ୍ୱାରା ଦାଖଲ ତ୍ରୈମାସିକ ଆବେଦନ ସଂଖ୍ୟା
କେନ୍ଦ୍ରୀୟ ବାଣିଜ୍ୟ ଏବଂ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଭାରତରେ ଆଇପିଆର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ ଏବଂ ଅନୁପାଳନ ବୋଝକୁ ହ୍ରାସ କରିବା ନିମନ୍ତେ ଡିପିଆଇଆଇଟି ଦ୍ୱାରା କରାଯାଉଥିବା ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଡିପିଆଇଆଇଟି ତଥା ଆଇପି କାର୍ଯ୍ୟାଳୟର ସମନ୍ୱିତ ପ୍ରୟାସ ଫଳରେ ସମାଜର ସବୁ ବର୍ଗ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ଜନିତ ସଚେତନତା ବୃଦ୍ଧି ପାଇଛି। ଏହି ପ୍ରୟାସ କାରଣରୁ ଯେଉଁଠି ଗୋଟିଏ ପଟେ ଆଇପିଆର ଦାଖଲ ସଂଖ୍ୟାରେ ବୃଦ୍ଧି ଘଟିଛି ଅପର ପକ୍ଷରେ ଆଇପି କାର୍ଯ୍ୟାଳୟରେ ପେଟେଣ୍ଟ ଆବେଦନର ବିଚାରାଧୀନ ଅବଧିରେ ମଧ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି। ମନ୍ତ୍ରୀ ଶ୍ରୀ ଗୋୟଲ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହା ଭାରତର ବୈଶ୍ୱିକ ନବସୃଜନ ସୂଚକାଂକରେ ଚୂଡ଼ାନ୍ତ ୨୫ଟି ରାଷ୍ଟ୍ରଙ୍କ ମଧ୍ୟରେ ଦେଶସାମିଲ ହେବା ଦ୍ୱାରା ଭାରତର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଦିଗରେ ଆଉ ଗୋଟିଏ ପାଦ ନିକଟତର ହେବା ଦିଗରେ ସହାୟକ ହେବ ।
ଗତ କିଛି ବର୍ଷରେ ସରକାରଙ୍କ ଦ୍ୱାରା କରାଯାଇଥିବା କିଛି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାରତର ଆଇପି ବ୍ୟବସ୍ଥା ମଜଭୁତ ହୋଇପାରିଛି ଯେଉଁଥିରେ ଅନଲାଇନ୍ ଫାଇଲିଂ କରିବା ଉପରେ ୧୦ ପ୍ରତିଶତ ରିହାତି ପ୍ରଦାନ, ଷ୍ଟାର୍ଟ ଅପ୍ସ, ଛୋଟଛୋଟ ସଂସ୍ଥାମାନ ତଥା ଶୈକ୍ଷିକ ସଂସ୍ଥାନମାନଙ୍କ ନିମନ୍ତେ ୮୦ ପ୍ରତିଶତ ଶୁଳ୍କ ରିହାତି ଓ ଅନ୍ୟ ବର୍ଗଙ୍କ ସହିତ ଷ୍ଟାର୍ଟ ଅପ୍ସ ଏବଂ ଏମଏସଏମଇ ନିମନ୍ତେ ତ୍ୱରିତ ପରୀକ୍ଷାର ପ୍ରାବଧାନ ମଧ୍ୟ ସାମିଲ।
ଜାତୀୟ ଆଇପିଆର ନୀତି ଦ୍ୱାରା ନିର୍ଦ୍ଧାରିତ ଭିତ୍ତିଭୂମି ତଥା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁ ଭାରତରେ ନିମ୍ନଲିଖିତ ଉପଲବ୍ଧି ହାସଲ କରାଯିବା ସମ୍ଭବପର ହୋଇପାରିଛି:
– ପେଟେଣ୍ଟ ଦାଖଲ ସଂଖ୍ୟା ଆର୍ଥିକ ବର୍ଷ ୨୦୧୪-୧୫ରେ ୪୨୭୬୩ ହୋଇଥିବାବେଳେ ତାହା ବୃଦ୍ଧି ପାଇ ୨୦୨୧-୨୨ ଆର୍ଥିକ ବର୍ଷରେ ୬୬୪୪୦ ଛୁଇଁଛି ଯାହାକି ସାତବର୍ଷ ଅବଧି ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ବୋଲି କୁହାଯାଇପାରେ।
– ଆର୍ଥିକ ବର୍ଷ ୨୦୧୪-୧୫ (୫୯୭୮) ତୁଳନାରେ ଆର୍ଥିକ ବର୍ଷ ୨୦୨୧-୨୨ (୩୦, ୦୭୪)ରେ ପେଟେଣ୍ଟ ପ୍ରଦାନ କରାଯିବା ସଂଖ୍ୟାରେ ହାରାହାରି ପାଞ୍ଚଗୁଣ ବୃଦ୍ଧି ସମ୍ଭବପର ହୋଇପାରିଛି।
– ବିଭିନ୍ନ ପ୍ରାଦ୍ୟୋଗିକ କ୍ଷେତ୍ର ନିମନ୍ତେ ପେଟେଣ୍ଟର ଯାଞ୍ଚର ସମୟସୀମାକୁ କମ୍ କରାଯାଇଛି ଯାହାକି ୨୦୧୬ରେ ୭୨ ମାସର ସମୟ ଲାଗୁଥିଲା ଓ ତାହା ଏବେ ୫ରୁ ୨୩ ମାସ ମଧ୍ୟରେ ସମାଧାନ କରାଯାଇପାରୁଛି।
– ବୈଶ୍ୱିକ ନବସୃଜନ ସୂଚକାଂକରେ ଭାରତର ରାଙ୍କିଙ୍ଗ ଆର୍ଥିକ ବର୍ଷ ୨୦୧୫-୧୬ରେ ୮୧ତମ ସ୍ଥାନରେ ରହିଥିବାବେଳେ ୨୦୨୧ରେ ଏହା ୪୬ତମ ସ୍ଥାନକୁ ଖସିଆସିଛି (ଅର୍ଥାତ ୩୫ଟି ପାହାଚ ଉପରେ)।