Odiapua.com

ଦିଲ୍ଲୀ ହିଂସାରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆଉ ୫ ଗିରଫ

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦିଲ୍ଲୀ ହିଂସା ସମୟରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ଶବ ହିଂସା ପରଦିନ ନାଳରେ ମିଳିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ଗୁରୁବାରଦିନ ସଲମାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ଆଜି ଦିଲ୍ଲୀ ପୋଲିସ୍ ଏହି ମାମଲାରେ ଫିରୋଜ, ଜାଭେଦ, ଗୁଲଫାମ, ଶୋଏବ ଏବଂ ଅନାସ ନାମକ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟଯେ, ଦିଲ୍ଲୀ ହିଂସା ସମୟରେ ୨୬ ବର୍ଷୀୟ ଅଙ୍କିତ ଶର୍ମାଙ୍କୁ ବାରମ୍ବାର ଛୁରାମାରି ହତ୍ୟା କରିଥିଲେ ଅଭିଯୁକ୍ତମାନେ ହତ୍ୟା କରିବା ପରେ ଚାନ୍ଦ ବାଗ ଅଞ୍ଚଳରେ ଥିବା ଏକ ଡ୍ରେନରେ ଫୋପାଡ଼ି ଦେଇଥିଲେ। ତାଙ୍କର ମୃତ ଦେହ ଏକ ଗନ୍ଧା ନାଳରୁ ଉଦ୍ଧାର କରାଯାଇଥିଲା। ତାଙ୍କ ପରିଚୟ ଲୁଚାଇବା ପାଇଁ ଶର୍ମାଙ୍କ ମୁହଁ ଏବଂ ଶରୀରର ଅନ୍ୟ କିଛି ଅଂଶ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି।

ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ କହିଥିଲେଯେ ଶର୍ମାଙ୍କ ହତ୍ୟାରେ ଏକ ସଫଳତା ହାତକୁ ଲାଗିଛି। ଦିଲ୍ଲୀର ବାସିନ୍ଦାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ପ୍ରମାଣ ଦ୍ୱାରା ଅଭିଯୁକ୍ତଙ୍କୁ ଧରିବା ସମ୍ଭବ ହୋଇପାରିଛି।

ସୂଚନାଯୋଗ୍ୟଯେ, ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଗତ ସପ୍ତାହରେ ଦିଲ୍ଲୀ ପୋଲିସ ନିଲମ୍ବିତ ଆମ୍ ଆଦମୀ ପାର୍ଟି (ଆପ) କାଉନସିଲର ତାହିର ହୁସେନ୍‌ଙ୍କୁ ଗିରଫ କରିଥିଲା। ପୋଲିସ ହୁସେନ୍‌ଙ୍କ ଘରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି। କିନ୍ତୁ ତାହିର ହୁସେନ୍ ଶର୍ମାଙ୍କ ହତ୍ୟା କିମ୍ବା ହିଂସା ଘଟଣାରେ ନିଜର କୌଣସି ଭୂମିକାକୁ ଅସ୍ୱୀକାର କରିଛନ୍ତି।