Odiapua.com

ଆସାମର ତେଲ କୂଅରେ ଭୟଙ୍କର ନିଆଁ

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଆସାମର ତେଲ କୂଅରେ ନିଆଁ ଲାଗିଥିବା ଖବର ମିଳିଛି। ଖବରରୁ ପ୍ରକାଶଯେ, ଗତ ୧୪ ଦିନ ଧରି ଗ୍ୟାସ ଲିକ୍ ହେଉଥିବା ଉପର ଆସାମର ତିନସୁକିଆ ଜିଲ୍ଲାର ଅଏଲ ଇଣ୍ଡିଆ ଲିମିଟେଡ୍ (OIL) ର ଏକ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କରୁଥିବା କୂଅରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଖବରରୁ ପ୍ରକାଶ ଯେ ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ନିକଟସ୍ଥ ଅଞ୍ଚଳକୁ ବ୍ୟାପିପାରେ।

ସୋମବାର ଦିନ ସିଙ୍ଗାପୁରରୁ ୱେଲ କିଲିଙ୍ଗ ବିଶେଷଜ୍ଞମାନେ ଉଡ଼ାଣ ଭରି ଆସିସାରିଛନ୍ତି ଏବଂ ସେମାନେ ଆଜି ସକାଳେ ନିଆଁଲିଭା କାର୍ଯ୍ୟରେ ଯୋଗ ଦେଇଥିଲେ।

ଗୌହାଟି ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ବାଗଜାନ୍ ଟିନସୁକିଆରେ ଥିବା ଏହି ତୈଳ କୂପରେ ମେ ୨୭ ରୁ ଗ୍ୟାସ ଲିକ ହେଉଛି।

ସଂଲଗ୍ନ ଗ୍ରାମରେ ଧାନ କ୍ଷେତ, ପୋଖରୀ ଏବଂ ଆର୍ଦ୍ରଭୂମି ମଧ୍ୟ ଦୂଷିତ ହୋଇଛି ଏବଂ ଦିନକୁ ଦିନ ବିପଦ ବଢ଼ିବାରେ ଲାଗିଥିଲା।

ପ୍ରାକୃତିକ ଗ୍ୟାସ ଉତ୍ପାଦନ କରୁଥିବା ଏହି ସ୍ଥାନରୁ ୧.୫ କିଲୋମିଟର ବ୍ୟାସାର୍ଦ୍ଧରେ ବାସ କରୁଥିବା ଅତି କମରେ ୬,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି। ଅଏଲ ଇଣ୍ଡିଆ ଲିମିଟେଡ୍ ମଧ୍ୟ ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୩୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି।
ଗ୍ୟାସ୍ ଲିକ୍ ହେବା ଦିନଠାରୁ ଏନଡିଆରଏଫ୍ ଏହି ଅଞ୍ଚଳରେ ନିୟୋଜିତ ହୋଇଛି। ରାଜ୍ୟ ସରକାର ଏହି ଘଟଣାର ସମୀକ୍ଷା କରୁଛନ୍ତି।

ଆଜି ଅପରାହ୍ନରେ କୂଅରେ ବ୍ୟାପକ ଅଗ୍ନିକାଣ୍ଡ ଘଟିବା ପରେ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ମଧ୍ୟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଟେଲିଫୋନ୍ ଆଲୋଚନା କରିଛନ୍ତି।