Odiapua.com

ଇସିଏଲ୍‌ଜିଏସ୍‌, ପିସିଜିଏସ୍‌ ଏବଂ ଏସ୍‌ଓଡିଏସ୍‌ର କାର୍ଯ୍ୟକାରିତା ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମୀକ୍ଷା

ନୂଆଦିଲ୍ଲୀ ୪-୯ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌), ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ୍‌-୨.୦) ଏବଂ ସବ୍‌ର୍ଡିନେଟ୍‌ ଋଣ ଯୋଜନା ଆଦିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି। ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାଗୁଡିକର ମୁଖ୍ୟମାନଙ୍କ ସହ ସେ ଏ ବିଷୟରେ ସମୀକ୍ଷା କରିବା ଅବସରରେ ସେମାନଙ୍କର ଆର୍ଥିକ ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଛନ୍ତି। କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ବିଶେଷ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକୁ ଋଣ ଯୋଗାଇ ଦେବାପାଇଁ ଯେଉଁ ଉପରୋକ୍ତ ଯୋଜନା ଓ କାର୍ଯ୍ୟସୂଚୀ ସରକାର ପ୍ରସ୍ତୁତ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାରେ ଏହିସବୁ ବିତ୍ତୀୟ ସଂସ୍ଥା ଓ ବ୍ୟାଙ୍କ କେତେ ପ୍ରସ୍ତୁତ ତାହା ଅର୍ଥମନ୍ତ୍ରୀ ପଚାରି ବୁଝିଥିଲେ। ସେ କହିଥିଲେ ଯେ ଋଣ ଫେରସ୍ତ ସଂକ୍ରାନ୍ତ ରହିତାଦେଶ ଉଠିବା ମାତ୍ରେ ଋଣକାରୀଙ୍କୁ ତୁରନ୍ତ କରୋନା ସହାୟତା କାର୍ଯ୍ୟକ୍ରମରେ ଆବଶ୍ୟକ ଋଣ ସହାୟତା ଯୋଗାଇ ଦେବା ଉଚିତ। କରୋନା ମହାମାରୀ କାରଣରୁ ଯେଉଁ ଋଣ ଆଦାୟ ହୋଇପାରିନାହିଁ ତାହାକୁ ବିଚାରକୁ ନେଇ ପୁନଃ ଋଣ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଋଣପ୍ରଦାନକାରୀ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସମୂହ ଋଣ ପ୍ରସଙ୍ଗର ସମାଧାନ ପାଇଁ ବୋର୍ଡ ଦ୍ୱାରା ଅନୁମୋଦିତ ନୀତିକୁ କାର୍ଯ୍ୟକାରୀ କରିବା ଉଚିତ। ଏଥିରେ ଯୋଗ୍ୟ ଋଣକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଋଣ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ସବୁ ଯଥାର୍ଥ ବ୍ୟବସାୟିକ ସଂସ୍ଥାକୁ ପୁନଃରୁଦ୍ଧାର କରିବା ପାଇଁ ଯଥା ସମ୍ଭବ ସରକାରୀ ନୀତି ଅନୁସାରେ ଋଣ ଯୋଗାଇ ଦେବାକୁ ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତମାସ ୧୫ ସୁଦ୍ଧା ଏହି ଋଣ ପ୍ରଦାନ ଯୋଜନା କାର୍ଯ୍ୟକାରୀ ହେବା ଉଚିତ। ଏଥିପାଇଁ ନିରନ୍ତରଭାବେ ଗଣମାଧ୍ୟମ ପ୍ରଚାର ଅଭିଯାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ଋଣ ପ୍ରଦାନ ସଂକ୍ରାନ୍ତ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର ଓ ଅନ୍ୟାନ୍ୟ ତଥ୍ୟ ସଂପର୍କରେ ନିଜ ନିଜର ୱେବସାଇଟରେ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ତଥ୍ୟ ରଖିବାକୁ ସେ ସବୁ ବ୍ୟାଙ୍କ ଶାଖାକୁ ପରାମର୍ଶ ଦେଇଛନ୍ତି।

ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନର ମୁଖ୍ୟମାନେ କହିଥିଲେ ଯେ ସରକାରଙ୍କ ଋଣ ଯୋଗାଣ ନୀତିକୁ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରସ୍ତୁତ। ଋଣ ଲୋଡୁଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ସହ ଯୋଗାଯୋଗ ଆରମ୍ଭ ହୋଇଛି। ଋଣ ଯୋଗାଣ ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତଫସିଲଭୁକ୍ତ ବ୍ୟବସାୟିକ ବ୍ୟାଙ୍କ ଏବଂ ଅର୍ଥଲଗାଣକାରୀ ସଂସ୍ଥାଗୁଡିକ ଯେପରି ଅର୍ଥାଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରିଜର୍ଭ ବ୍ୟାଙ୍କ ସହିତ ଅର୍ଥ ମନ୍ତ୍ରଣାଳୟ କଥାବାର୍ତ୍ତା ଜାରି ରଖିଛି।

ଅର୍ଥମନ୍ତ୍ରୀ ଏହି ଅବସରରେ ଇସିଏଲ୍‌ଜିଏସ୍‌, ପିସିଜିଏସ୍‌-୨.୦ ଏବଂ ସବ୍‌ର୍ଡିନେଟ ଡେଟ୍‌ ସ୍କିମ୍‌ ଯାହା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ ଘୋଷଣା କରାଯାଇଛି ତାହାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ। ଆସନ୍ତା ପାର୍ବଣଋତୁ ପୂର୍ବରୁ ଋଣ ଆବେଦନକାରୀଙ୍କୁ ସମ୍ଭାବ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଇସିଏଲ୍‌ଜିଏସ୍‌ରେ ୧.୫୮ ଲକ୍ଷ କୋଟି ଟଙ୍କା ମଂଜୁର କରାଯାଇଛି। ସେଥିମଧ୍ୟରୁ ୧.୧୧ ଲକ୍ଷ କୋଟି ଟଙ୍କା ବଣ୍ଟାଯାଇ ସାରିଲାଣି। ସେହିଭଳି ପିସିଜିଏସ୍‌-୨.୦ ଅଧୀନରେ ୨୫, ୦୫୫-୫ କୋଟି ଟଙ୍କାର ବଣ୍ଡ ଓ ସିପିକୁ ସରକାର ଅନୁମୋଦନ କରିଛନ୍ତି। ଏ ସବୁକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ କ୍ରୟ କରିବେ। ସେଥିମଧ୍ୟରୁ ୧୩, ୩୧୮-୫ କୋଟି ଟଙ୍କାର ବଣ୍ଡ ଓ ସିପି (୫୩ ପ୍ରତିଶତ) ଏଏ-ରେଟ ତଳର।

ଲକ୍‌ଡାଉନ ସମୟରେ ବିଭିନ୍ନ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାଗୁଡିକର ଉଲ୍ଲେଖନୀୟ କାର୍ଯ୍ୟକୁ ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ଏହି ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଭଳି କାର୍ଯ୍ୟକ୍ରମକୁ ସଫଳ କରିବାରେ ଉତ୍ତମ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ବିଶେଷ କ୍ଷତିଗ୍ରସ୍ତ କଂପାନୀ, ବ୍ୟବସାୟ ପ୍ରତିଷ୍ଠାନ, ବ୍ୟକ୍ତିବିଶେଷ ଆଦିଙ୍କୁ ପୁଣି ଥରେ ସମର୍ଥ କରାଇବା ପାଇଁ ସେମାନଙ୍କ ଆବଶ୍ୟକତାକୁ ଚାହିଁ ଯଥାସମ୍ଭବ ଋଣ ସହାୟତା ଯୋଗାଇ ଦେବାକୁ ଶ୍ରୀମତୀ ସୀତାରମଣ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାଗୁଡିକୁ ଏହି ଅବସରେ ପରାମର୍ଶ ଦେଇଛନ୍ତି।