Odiapua.com

ଆତ୍ମନିର୍ଭର ଭାରତ ୩.୦ ପାଇଁ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଘୋଷଣା

– ଏମ୍ଏସ୍ଏମ୍ଇ, ବ୍ୟବସାୟ, ମୁଦ୍ରା ଋଣକାରୀ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଇସିଏଲ୍ଜି ସ୍କିମ୍ର ମିଆଦ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା; ଏମାନଙ୍କ ପାଇଁ ଅତିରିକ୍ତ ୨୦ ଶତାଂଶ ଋଣ ଯୋଗାଣ ବ୍ୟବସ୍ଥା

– ଚାମ୍ପିଅନ କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସୁବିଧା

– ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ

– ସରକାରୀ ଟେଣ୍ଡରରେ ଅଗ୍ରୀମ ଓ କାର୍ଯ୍ୟ ପ୍ରଦର୍ଶନ ନିରାପତ୍ତା ଜମା ନୀତି କୋହଳ

– ଗୃହକ୍ରେତା ଓ ଡେଭଲପରଙ୍କୁ ଆୟକର କ୍ଷେତ୍ରରେ ରିଆତି ଦେବା ପାଇଁ ସର୍କଲ ରେଟ ଏବଂ ଚୁକ୍ତିନାମା ମୂଲ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ୨୦% ବୃଦ୍ଧି କରାଗଲା

– ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍ଆଇଆଇଏଫ୍)ର ଡେଟ୍ପ୍ଲାଟଫର୍ମରେ ସରକାର ୬ ହଜାର କୋଟି ଟଙ୍କାର ଇକ୍ୟୁଟି ନିବେଶ କରିବେ

– କୃଷି କ୍ଷେତ୍ରକୁ ସହାୟତା ପାଇଁ ସାର ଉପରେ ୬୫ ହଜାର କୋଟି ଟଙ୍କାର ରିଆତି

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନିମନ୍ତେ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ

– ପ୍ରୋଜେକ୍ଟ ଏକ୍ସପୋର୍ଟ ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କାର ପ୍ରୋତ୍ସାହନ

– ପୁଞ୍ଜି ଓ ଔଦ୍ୟୋଗିକ ବ୍ୟୟ ପାଇଁ ବଜେଟରେ ଅତିରିକ୍ତ ୧୦, ୨୦୦ କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା

– ଭାରତୀୟ କୋଭିଡ୍ଟିକାର ବିକାଶ ଓ ଗବେଷଣା ପାଇଁ ୯୦୦ କୋଟି ଟଙ୍କା ଯୋଗାଇ ଦିଆଯିବ

ନୂଆ ଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ) ଦେଶର ଅର୍ଥନୀତିକୁ ପ୍ରୋତ୍ସାହିତ ଓ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ୩.୦ ଯୋଜନାରେ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତରାମନ୍ଙ୍କ ଦ୍ୱାରା ଆଜି ଏସଂପର୍କରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଏଥିରେ ଆତ୍ମନିର୍ଭର ଭାରତ ୩.୦ ପ୍ରୟାସରେ ମୋଟ ୨.୬ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ଏ ବିଷୟରେ ଘୋଷଣା କରି ଶ୍ରୀମତୀ ସୀତାରାମନ୍କହିଛନ୍ତି ଯେ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପର୍ଯ୍ୟନ୍ତ ଯେଉଁ ସମସ୍ତ ପ୍ରୋତ୍ସାହନମୂଳକ ଆର୍ଥିକ ପଦକ୍ଷେପ ଘୋଷଣା କରିଛନ୍ତି ତାହାର ମୋଟ ପରିମାଣ ୨୯.୮୭ ଲକ୍ଷ କୋଟି ଟଙ୍କା। ଏହି ଅର୍ଥ ଦେଶର ଜିଡିପିର ୧୫ ଶତାଂଶ। ଏହି ପ୍ରୋତ୍ସାହନ ମଧ୍ୟରୁ ଜିଡିପିର ୯ ଶତାଂଶ ପରିମାଣର ଅର୍ଥ କେବଳ ଭାରତ ସରକାର ଯୋଗାଇ ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ତାହାକୁ ଭରଣା କରି ଏହାକୁ ଆଗେଇ ନେବା ପାଇଁ ଏହି ପ୍ରୋତ୍ସାହନମୂଳକ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ଘୋଷଣା ହୋଇଥିବା ୧୨ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିମ୍ନରେ ପ୍ରଦାନ କରାଯାଇଛି। ସେଗୁଡିକ ହେଲା–

୧) ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା

କରୋନା ମହାମାରୀ କାଳରେ କ୍ଷତିଗ୍ରସ୍ତ ହୋଇଥିବା ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମକୁ ସୁଧାରିବା ପାଇଁ ଏକ ନୂଆ ସ୍କିମ୍ଆରମ୍ଭ କରାଯାଇଛି। ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ନାମକ ଏହି କାର୍ଯ୍ୟକ୍ରମରେ ଯଦି କୌଣସି ଇପିଏଫ୍ଓ ପଞ୍ଜୀକୃତ ସଂସ୍ଥା ବା ଅନୁଷ୍ଠାନ ବିନା ଇପିଏଫ୍ଓ ପଞ୍ଜୀକରଣରେ କୌଣସି କର୍ମଚାରୀଙ୍କୁ ଗ୍ରହଣ କରନ୍ତି କିମ୍ବା ମହାମାରୀ କାଳରେ ଯଦି କେହି କର୍ମଚାରୀ ସେମାନଙ୍କର ବୃତ୍ତି ହରାଇଥାନ୍ତି ସେମାନେ ଏହି ଯୋଜନାଦ୍ୱାରା ଉପକୃତ ହେବେ।

ଏହି ଯୋଜନାର ହିତାଧିକାରୀ/ନୂଆ କର୍ମଚାରୀମାନଙ୍କ ପାଇଁ ନିମ୍ନଲିଖିତ ବିଷୟଗୁଡିକ ପ୍ରଯୁଜ୍ୟ ହେବ।

– କୌଣସି ନୂଆ କର୍ମଚାରୀ ଇପିଏଫ୍ଓ ପଞ୍ଜୀକୃତ ସଂସ୍ଥାରେ ମାସିକ ୧୫ ହଜାର ଟଙ୍କାରୁ କମ୍ରେ ଯୋଗଦେଲେ ସେମାନେ ଏହାର ଲାଭ ପାଇବେ।

– ଇପିଏଫ୍ଓ ସଦସ୍ୟ, ଯେଉଁମାନେ ମାସିକ ୧୫ ହଜାର ଟଙ୍କାରୁ କମ୍ବେତନ ପାଉଥିଲେ ଏବଂ କରୋନା ମହାମାରୀ କାଳରେ ୨୦୨୦ ମାର୍ଚ୍ଚ ୧ ତାରିଖଠାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଯଦି ଚାକିରି ହରାଇଥିବେ ବା ଅକ୍ଟୋବର ପହିଲା କିମ୍ବା ତାପରେ ଯଦି ଚାକିରିରେ ଯୋଗଦେଇଥିବେ, ସେମାନଙ୍କ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ।

– ୨୦୨୦ ଅକ୍ଟୋବର ୧ କିମ୍ବା ତାପରେ କାର୍ଯ୍ୟରେ ଯୋଗଦେଇଥିବା ଯୋଗ୍ୟ କର୍ମଚାରୀଙ୍କୁ କେନ୍ଦ୍ର ସରକାର ୨ ବର୍ଷ ପାଇଁ ସବ୍ସିଡି ଯୋଗାଇଦେବେ। ଏହି ସବ୍ସିଡି ରାଶି ନିମ୍ନମତେ ପ୍ରଦାନ କରାଯିବ।

– ଏକ ହଜାର ପର୍ଯ୍ୟନ୍ତ କର୍ମଚାରୀ ଥିବା ସଂସ୍ଥା- ଏସବୁ ସଂସ୍ଥାରେ ଇପିଏଫ୍ଓ ବାବଦ କର୍ମଚାରୀଙ୍କ ଅବଦାନ, ବେତନର ୧୨ ଶତାଂଶ ଏବଂ ନିଯୁକ୍ତିଦାତାଙ୍କ ଅବଦାନ ବେତନର ୧୨ ଶତାଂଶ ରହିବ। ଏପରି ଏହି ମୋଟ ଅବଦାନ ପରିମାଣ ବେତନର ୨୪ ଶତାଂଶ ହେବ।

– ଏକ ହଜାରରୁ ଅଧିକ କର୍ମଚାରୀ ଥିବା ପ୍ରତିଷ୍ଠାନ- ଏଭଳି ସଂସ୍ଥାରେ କର୍ମଚାରୀମାନଙ୍କର ଇପିଏଫ୍ଓ ଅବଦାନ ବେତନର ୧୨ ଶତାଂଶରେ ସୀମିତ ରହିବ।

୨୦୨୦ ଅକ୍ଟୋବର ପହିଲାରୁ ଏହି ଯୋଜନା ପିଛିଲାଭାବେ ଲାଗୁ ହେବ ଏବଂ ୨୦୨୧ ଜୁନ୍୩୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହାଛଡା ଏ କ୍ଷେତ୍ରରେ ଆଉ କେତେକ ଯୋଗ୍ୟତା ସର୍ତ୍ତକୁ ପୂରଣ କରାଯିବ ଏବଂ କେନ୍ଦ୍ର ସରକାର ନୂଆ ଯୋଗ୍ୟ କର୍ମଚାରୀମାନଙ୍କୁ ୨ ବର୍ଷ ପାଇଁ ଇପିଏଫ୍ଓ ଅଂଶ କ୍ଷେତ୍ରରେ ସବ୍ସିଡି ଯୋଗାଇବେ।

୨) ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍ଜି)

ଏମ୍ଏସ୍ଏମ୍ଇ, ବିଭିନ୍ନ ପ୍ରକାର ବ୍ୟବସାୟ କାରବାର, ମୁଦ୍ରା ଋଣକାରୀ ଏବଂ ବ୍ୟବସାୟ ପାଇଁ ବ୍ୟକ୍ତିଗତ ଋଣ କରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହି ଇସିଏଲ୍ଜି ସ୍କିମର ମିଆଦକୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ଏହା ପୂର୍ବରୁ ଇସିଏଲ୍ଜି ସ୍କିମ୍୨.୦ ସ୍ୱାସ୍ଥ୍ୟସେବା ଓ ୨୬ଟି ଅତିଶୟ କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିଲା। ୨୦୨୦ ଫେବୃୟାରୀ ୨୯ ସୁଦ୍ଧା ଯେଉଁମାନଙ୍କ ଋଣ ପରିମାଣ ୫୦ କୋଟିରୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଥିଲା ସେମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା। କରୋନା ମହାମାରୀ ଯୋଗୁଁ ଏହିସବୁ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଏହି ଗ୍ୟାରେଣ୍ଟି ସ୍କିମ୍ପ୍ରବର୍ତ୍ତନ କରିଥିଲେ। ଏବେ ସେ ସବୁ ସଂସ୍ଥା ନିଜ ବକେୟା ଋଣର ଅତିରିକ୍ତ ୨୦ ଶତାଂଶ ପର୍ଯ୍ୟନ୍ତ ଅର୍ଥ ଋଣ ଆକାରରେ ପାଇପାରିବେ। ପାଞ୍ଚବର୍ଷ ଭିତରେ ଏହି ଋଣ ପରିଶୋଧ କରିବାକୁ ପଡିବ। ତେବେ ମୂଳଧନ ସୁଝିବା ପାଇଁ ସେମାନଙ୍କୁ ଏକ ବର୍ଷର ରିଆତି ଦିଆଯାଇଛି। ଏହି ଯୋଜନା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ।

୩) ୧୦ଟି ଚାମ୍ପିଅନ କ୍ଷେତ୍ରକୁ ୧.୪୬ ଲକ୍ଷ କୋଟି ଟଙ୍କାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସୁବିଧା ଯୋଗାଣ

ଆଉ ୧୦ଟି ଚାମ୍ପିଅନ ସେକ୍ଟରକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ଏହି କ୍ଷେତ୍ରର ଉଦ୍ୟୋଗଗୁଡିକୁ ପ୍ରତିଯୋଗିତା ପାଇଁ ସକ୍ଷମ କରିବା ନିମନ୍ତେ ଏହା ଉଦ୍ଦିଷ୍ଟ। ଏହାଦ୍ୱାରା ଦେଶର ଅର୍ଥନୀତି, ପୁଞ୍ଜିନିବେଶ, ରପ୍ତାନୀ ବାଣିଜ୍ୟ ଓ ନିଯୁକ୍ତି ସୃଷ୍ଟିକୁ ବଳ ମିଳିବ। ଆସନ୍ତା ୫ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ର ନିମନ୍ତେ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥ ଏଥିପାଇଁ ବରାଦ କରାଯାଇଛି। ଯେଉଁ ୧୦ଟି କ୍ଷେତ୍ର ଏହି ପିଏଲ୍ଆଇ ସ୍କିମର ଅନ୍ତର୍ଭୁକ୍ତ ହୋଇଛି ସେଗୁଡିକ ହେଲା- ଆଡଭାନ୍ସ ସେଲ୍କେମିଷ୍ଟ୍ରି ବ୍ୟାଟେରୀ, ଇଲେକ୍ଟ୍ରୋନିକ/ଟେକ୍ନୋଲଜି ସାମଗ୍ରୀ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଫାର୍ମାସ୍ୟୁଟିକାଲ୍ସ ଡ୍ରଗ୍ସ, ଟେଲିକମ ଓ ନେଟୱାର୍କିଂ ପ୍ରଡକ୍ଟ, ବୟନ ସାମଗ୍ରୀ, ଖାଦ୍ୟ ପଦାର୍ଥ, ହାଇ-ଏଫିସିଏନ୍ସି ସୋଲାର ପିଭି ମଡ୍ୟୁଲ୍ସ, ଏସି ଓ ଏଲ୍ଇଡି ଭଳି ହ୍ୱାଇଟ ଗୁଡ୍ସ ଏବଂ ସ୍ପେଶାଲିଟିସ ଷ୍ଟିଲ୍ସ।

୪) ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ

ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ସରକାରଙ୍କ ପକ୍ଷରୁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ଏହା ପୂର୍ବରୁ ଏହି ଯୋଜନା ନିମନ୍ତେ ୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହା ଫଳରେ ଦେଶରେ ବିଭିନ୍ନ ସହରାଞ୍ଚଳରେ ୧୨ ଲକ୍ଷ ନୂଆ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହିତ ୧୮ ଲକ୍ଷ ଆବାସର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହା ଫଳରେ ୭୮ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁବିଧା ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ମଧ୍ୟ ଉଭୟ ଇସ୍ପାତ ଓ ସିମେଣ୍ଟ ଭଳି ନିର୍ମାଣ ସାମଗ୍ରୀର ଉତ୍ପାଦନ ଓ ବିକ୍ରିବଟା ବଢିବ ଏବଂ ତାହାର ବହୁବିଧ ଅନୁକୂଳ ପ୍ରଭାବ ଅର୍ଥନୀତି ଉପରେ ପଡିବ।

୫) ନିର୍ମାଣ ଓ ଭିତ୍ତିଭୂମି ପାଇଁ ସହାୟତା: ସରକାରୀ ଟେଣ୍ଡର କ୍ଷେତ୍ରରେ ଅଗ୍ରୀମ (ଇଏମ୍ଡି) ଓ ପ୍ରଦର୍ଶନ ନିରାପତ୍ତା ବାବଦ ଜମା ଅର୍ଥ ନୀତି କୋହଳ

କାମଧନ୍ଦା ଓ ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବା ସହିତ ଠିକାଦାରମାନଙ୍କୁ ଚାପୁମକ୍ତ କରିବା ନିମନ୍ତେ ଏହି ଯୋଜନାରେ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ଟେଣ୍ଡରରେ କାମ ପାଇବା ପାଇଁ ଠିକାଦାରମାନଙ୍କୁ ଅଗ୍ରୀମ ଜମା ବା ଇଏମ୍ଡି ଓ କାର୍ଯ୍ୟ ପ୍ରଦର୍ଶନ ନିରାପତ୍ତା (ୱାର୍କ ଫରଫରମାନ୍ସ ସିକ୍ୟୁରିଟି) ବାବଦରେ ଯେଉଁ ଅର୍ଥ ଜମା ଦେବାକୁ ପଡୁଥିଲା ତାହା ସେମାନଙ୍କ କୌଣସି କାମରେ ଆସୁ ନ ଥିଲା। ଏ ବାବଦରେ ସେମାନେ ବିପୁଳ ଅର୍ଥ ଜମା କରି ତାହାର କିଛି ଫାଇଦା ପାଉ ନ ଥିଲେ। ଏ ବାବଦରେ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ପ୍ରାୟ ୫ରୁ ୧୦ ଶତାଂଶ ଅର୍ଥ ଜମା ଦେବାକୁ ପଡୁଥିଲା। ସରକାର ସେହି ନୀତିକୁ କୋହଳ କରି ଏହାକୁ ୩ ଶତାଂଶକୁ ହ୍ରାସ କରିଛନ୍ତି। ଏହି ସୁବିଧା ଏବେ କାର୍ଯ୍ୟକାରୀ ହେଉଥିବା ଠିକା କାମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ହେଉଥିବା କାର୍ଯ୍ୟ ପାଇଁ ମଧ୍ୟ ଲାଗୁ ହେବ। ଟେଣ୍ଡର ପାଇଁ ଯେଉଁ ଇଏମ୍ଡି ଦାଖଲ କରିବାକୁ ପଡୁଥିଲା ତାହା ନ ଦେଇ ଠିକାଦାରମାନଙ୍କୁ ବିଡ୍ସିକ୍ୟୁରିଟି ଡିକ୍ଲାରେସନ ଦେବାକୁ ପଡିବ। ବିତ୍ତୀୟ ନୀତିର ସାଧାରଣ ନିୟମରେ ଏହି କୋହଳ ବ୍ୟବସ୍ଥା ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।

୬) ଡେଭଲପର ଓ ଗୃହକ୍ରେତାଙ୍କ ପାଇଁ ଆୟକର ରିଆତି

ଆଜି ଘୋଷିତ ପ୍ରୋତ୍ସାହନ ବ୍ୟବସ୍ଥାରେ ଉଭୟ ଡେଭଲପର (ବିଲ୍ଡର) ଏବଂ ଗୃହକ୍ରେତାଙ୍କ ପାଇଁ କେତେକ ଆୟକର ରିଆତି ଘୋଷଣା କରାଯାଇଛି। ରିଅଲ ଇଷ୍ଟେଟ ଆୟକର ନିୟମ ଧାରା ୪୩ ଅନୁସାରେ ସର୍କଲ ରେଟ ଓ ଆଗ୍ରିମେଣ୍ଟ ଭ୍ୟାଲୁ ମଧ୍ୟରେ ଥିବା ପାର୍ଥକ୍ୟକୁ ୧୦ ଶତାଂଶରୁ ୨୦ ଶତାଂଶକୁ ବଢାଇ ଦିଆଯାଇଛି। ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଆବାସିକ ୟୁନିଟର ପ୍ରାଥମିକ ବିକ୍ରି ମୂଲ୍ୟ କ୍ଷେତ୍ରରେ ଏହି କୋହଳ ବ୍ୟବସ୍ଥା ସ୍କିମ୍ର ଘୋଷଣା ତାରିଖଠାରୁ ଲାଗୁ ହେବ ଏବଂ ଏହା ୨୦୨୧ ଜୁନ୍୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆହୁରି ମଧ୍ୟ ଏ କ୍ଷେତ୍ରରେ ୨୦ ଶତାଂଶ ପର୍ଯ୍ୟନ୍ତ ଆନୁଷଙ୍ଗିକ କୋହଳ ସୁବିଧା ଗୃହକ୍ରେତାମାନଙ୍କୁ ଆୟକର ଆଇନର ଧାରା ୫୬ (୨) (ଢ) ଅନୁସାରେ ୨୦୨୧ ଜୁନ୍୩୦ ତାରିଖ ପର୍ଯ୍ୟନ୍ତ ମିଳିବ। ମଧ୍ୟମବିତ୍ତବର୍ଗଙ୍କୁ ଘର କିଣିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଆୟକରରେ ଏହି ସୁବିଧା ପ୍ରଦାନ କରାଯାଇଛି।

୭) ଇନ୍ଫ୍ରା ଡେଟ୍ଫାଇନାନ୍ସିଂ ପାଇଁ ୬ ହଜାର କୋଟି ଟଙ୍କାର ଇକ୍ୟୁଟି ନିବେଶ

ନ୍ୟାସନାଲ ଇନ୍ଭେଷ୍ଟମେଣ୍ଟ ଏଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଫଣ୍ଡ ବା ଏନ୍ଏଆଇଆଇଏଫ୍(ନିଫ୍) ନାମରେ ଯେଉଁ ଋଣ ପ୍ଲାଟଫର୍ମ ସରକାର ଗଠନ କରିଛନ୍ତି ସେଥିରେ ୬ ହଜାର କୋଟି ଟଙ୍କାର ଇକ୍ୟୁଟି ନିବେଶ କରିବେ। ସରକାରଙ୍କ ଦ୍ୱାରା ଏହି ନିବେଶର ବ୍ୟବସ୍ଥା କରାଯିବ। ଏହା ଫଳରେ ୨୦୨୫ ସୁଦ୍ଧା ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ନିଫ୍୧.୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେଇପାରିବ।

୮) କୃଷି କ୍ଷେତ୍ର ପାଇଁ ସହାୟତା: ସାର ରିଆତି ନିମନ୍ତେ ୬୫ ହଜାର କୋଟି ଟଙ୍କାର ବ୍ୟବସ୍ଥା

ଦେଶରେ ଏବେ ସାରର ବ୍ୟବହାର ଉଲ୍ଲେଖନୀୟଭାବେ ବଢୁଛି। ଆସନ୍ତା ଚାଷ ଋତୁରେ ଚାଷୀଙ୍କୁ ଠିକ୍ସମୟରେ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାର ଉପରେ ସରକାର ମୋଟ ୬୫ ହଜାର କୋଟି ଟଙ୍କାର ରିଆତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଉଭୟ ଚାଷ ଓ ଚାଷୀ ଉପକୃତ ହେବେ ଏବଂ ଦେଶରେ କୃଷି ଉତ୍ପାଦନ ବଢିବ।

୯) ଗ୍ରାମାଞ୍ଚଳରେ ନିଯୁକ୍ତି ପ୍ରୋତ୍ସାହନ

ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ନିମନ୍ତେ ଅତିରିକ୍ତ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ଗ୍ରାମ୍ୟ ଅର୍ଥନୀତି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

୧୦) ପ୍ରୋଜେକ୍ଟ ଏକ୍ସପୋର୍ଟକୁ ପ୍ରୋତ୍ସାହନ

ସରକାର ଆଇଡିଆ ସ୍କିମ ନାମରେ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଭାରତୀୟ ବିକାଶ ଏବଂ ଆର୍ଥିକ ସହାୟତା ଯୋଜନା ବା ଆଇଡିଆଭାବେ ପରିଚିତ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ରପ୍ତାନୀ ପ୍ରକଳ୍ପ (ପ୍ରୋଜେକ୍ଟ ଏକ୍ସପୋର୍ଟ)କୁ ପ୍ରୋତ୍ସାହିତ କରିବାକୁ ସରକାର ଏଥିପାଇଁ ଉଦ୍ଦିଷ୍ଟ ଏକ୍ଜିମ୍ବ୍ୟାଙ୍କକୁ ୩ ହଜାର କୋଟି ଟଙ୍କା ଯୋଗାଇ ଦେବେ। ସଂପୃକ୍ତ ଉଦ୍ୟୋଗଗୁଡିକୁ ଆବଶ୍ୟକସ୍ଥଳେ ଋଣ ଯୋଗାଇ ସେମାନଙ୍କର ଉତ୍ପାଦନ ବଢାଇବା ସହ ଦେଶର ରପ୍ତାନୀ ବାଣିଜ୍ୟ ବୃଦ୍ଧି କରିବାକୁ ଏକ୍ଜିମ୍ବ୍ୟାଙ୍କ କାର୍ଯ୍ୟ କରିବ।

୧୧) ପୁଞ୍ଜି ଓ ଔଦ୍ୟୋଗିକ ପ୍ରୋତ୍ସାହନ

ଦେଶରେ ପୁଞ୍ଜି ଓ ଔଦ୍ୟୋଗିକ ବ୍ୟୟ ବାବଦରେ ସରକାର ଅତିରିକ୍ତଭାବେ ୧୦, ୨୦୦ କୋଟି ଟଙ୍କାର ବଜେଟ ପ୍ରୋତ୍ସାହନ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହା ଫଳରେ ଯେଉଁସବୁ ଘରୋଇ ପ୍ରତିରକ୍ଷା ଉପକରଣ, ଔଦ୍ୟୋଗିକ ଭିତ୍ତିଭୂମି ଏବଂ ସବୁଜ ଊର୍ଜ୍ଜା ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ତାହା ପ୍ରୋତ୍ସାହିତ ହେବ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ।

୧୨) କରୋନା ଟିକାର ଗବେଷଣା ଓ ବିକାଶ ପାଇଁ ଅନୁଦାନ

ଭାରତରେ କୋଭିଡ୍୧୯ (କରୋନା) ଟିକା ପ୍ରସ୍ତୁତି ପାଇଁ ଗବେଷଣା ଓ ବିକାଶ ନିମନ୍ତେ ସରକାର ୯୦୦ କୋଟି ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅର୍ଥ ବାୟୋଟେକ୍ନୋଲଜି ବିଭାଗକୁ ଯୋଗାଇ ଦିଆଯିବ। ଏହାଦ୍ୱାରା ଏହି ଟିକାର ବିକାଶ ପାଇଁ ଅର୍ଥ ପ୍ରତିବନ୍ଧକ ହେବନାହିଁ।