Odiapua.com

ମଜୁରିଆ ବାପର ଝିଅ ଆକାଉଣ୍ଟକୁ ଆସିଲା ୯ କୋଟି ୯୯ ଲକ୍ଷ ଟଙ୍କା! ହେଲେ କିପରି .. ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବାଁସଡିହ ରୁକୁନପୁରା ଗାଁର ଜଣେ ମଜୁରିଆ ବାପର କିଶୋରୀ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ଦଶ କୋଟି ଟଙ୍କା ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯେତେବେଳେ କିଶୋରୀ ତାଙ୍କ ମା’ଙ୍କ ସହିତ ବ୍ୟାଙ୍କରେ ପହଞ୍ଚିଥିଲେ, ବ୍ୟାଙ୍କ କର୍ମଚାରୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିବା କଥା ନିଶ୍ଚିତ କରିଥିଲେ। ଏହାଶୁଣି ମା’, ଝିଅଙ୍କ ହୋସ୍ ଉଡ଼ିଗଲା। ରୁକୁନପୁରା ଗାଁ’ର ମଜଦୂରୀ କାମ କରି ଘର ଚଳାଉଥିବା ସୁବେଦାର ସାହନିଙ୍କ ଝିଅ ସରୋଜଙ୍କର ଆହ୍ଲାବାଦ ବ୍ୟାଙ୍କର ବାଁସଡିହ ଶାଖାରେ ଏକ ଆକାଉଣ୍ଟ ଥିଲା। ଆକାଉଣ୍ଟରେ କାରବାର କରିବାକୁ ମା’ଙ୍କ ସହ ସରୋଜ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କରୁ ଆକାଉଣ୍ଟରେ ଉପଲବ୍ଧ ଟଙ୍କା ବିଷୟରେ ସୂଚନା ପାଇଥିଲେ। ବ୍ୟାଙ୍କ କର୍ମଚାରୀମାନେ ସୂଚନା ଦେଇଥିଲେ ଯେ ତାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୪ ହଜାର ୭୩୬ ଟଙ୍କା ଜମା ଅଛି। ତେବେ ଏହାସହ କର୍ମଚାରୀମାନେ ଏହା ମଧ୍ୟ କହିଥିଲେ ଯେ ବ୍ୟାଙ୍କ ମ୍ୟାନେଜମେଣ୍ଟ ତାଙ୍କ ଆକାଉଣ୍ଟରେ କାରବାର ଉପରେ ପ୍ରତିବନ୍ଧ ଲଗାଇଛି। ତାଙ୍କ ଆକାଉଣ୍ଟରେ ଅନେକ ଥର ଟଙ୍କା କାରବାର ହୋଇଥିବା ବିଷୟରେ ମଧ୍ୟ ତାଙ୍କୁ ସୂଚନା ଦିଆଯାଇଥିଲା।

ଏଥିରେ ଆଶ୍ଚର୍ଯ୍ୟ ହୋଇ ସରୋଜ ବାଁସଡିହ ଥାନାରେ ପହଞ୍ଚି ପୁରା ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସରୋଜ ଏହି ମାମଲାରେ ଅଭିଯୋଗ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଅଭିଯୋଗ ପତ୍ରରେ ସରୋଜ ସୂଚନା ଦେଇଛନ୍ତି ଯେ ତାଙ୍କ ଆକାଉଣ୍ଟ ୨୦୧୮ ମସିହାରେ ଆହ୍ଲାବାଦ ବ୍ୟାଙ୍କରେ ଖୋଲା ଯାଇଥିଲା। ଦୁଇ ବର୍ଷ ପୂର୍ବେ କାନପୁର ଦେହାଟ ଜିଲ୍ଲା, ବଦୀର ଗାଁ’ ର ନୀଲେଶ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ଆବାସ କରାଇଦେବା ନାମରେ ଆଧାର କାର୍ଡ ଏବଂ ଫଟୋ ଇତ୍ୟାଦି ଦେବାକୁ ତାଙ୍କୁ କହିଥିଲେ। ସରୋଜ ଆଧାର କାର୍ଡର ଫଟୋ କପି ଏବଂ ଅନ୍ୟାନ୍ୟ ଦଲିଲ ତାଙ୍କ ଠିକଣାରେ ପଠାଇଥିଲେ। ଏହା ପରେ ସରୋଜ ଡାକ ମାଧ୍ୟମରେ ଏଟିଏମ୍ କାର୍ଡ ପାଇଥିଲେ। ନୀଲେଶ ସରୋଜଙ୍କୁ ତାଙ୍କ ଏଟିଏମ୍ କାର୍ଡ ମାଗିଥିଲେ। ସରୋଜ ମଧ୍ୟ ନିଲେଶଙ୍କ ପାଖକୁ ରେଜେଷ୍ଟି ପୋଷ୍ଟ ଦ୍ୱାରା ତାଙ୍କ ଏଟିଏମ୍ କାର୍ଡ ପଠାଇଥିଲେ। ଏହାପରେ ନିଲେଶ ମାଗିବାରୁ ସରୋଜ ତାଙ୍କ ପିନ୍ କୋର୍ଡ ମଧ୍ୟ ତାଙ୍କୁ ଦେଇଥିଲେ। ଏବେ ଏତେ ଟଙ୍କା କେଉଁଠୁ ଆସିଛି ସେ ଜାଣିନାହାଁନ୍ତି। ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଯେଉଁ ନମ୍ବରରେ ସରୋଜ ନୀଲେଶଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ସେ ମୋବାଇଲ୍ ଏବେ ସୁଇଚ୍ ଅଫ୍ ବୋଲି କହୁଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। -@DevDr