Odiapua.com

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତି (ନଂ ୫୩୪-ଇ ଦିନାଙ୍କ ୨୪ ଅଗଷ୍ଟ ୨୦୨୦)ରେ କୁହାଯାଇଛି ଯେ ଜାତୀୟ ରାଜପଥରେ ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ ୨୦୦୮ ମସିହାର ଆଇନରେ ପରିବର୍ତ୍ତନ କରାଯାଇଛି। ତେଣୁ ଏବେ ଯାନବାହନ ଚାଳକମାନଙ୍କୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ରିହାତି ସୁବିଧା ହାସଲ କରିବା ଏବଂ ଅନ୍ୟାନ୍ୟ ସମସ୍ତ ସ୍ଥାନୀୟ କରଛାଡ ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ଜାତୀୟ ରାଜପଥର ଟୋଲ ଫି ପ୍ଲାଜାଗୁଡିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ। ଗାଡି ଚାଳକମାନଙ୍କ ପଥକର ବାବଦରେ ଯେଉଁ ଅର୍ଥ ଦେବାକୁ ହେବ ତାହା ପ୍ରିପେଡ୍‌ ବ୍ୟବସ୍ଥାରେ ହିଁ ହେବ। ସେହି ଦେୟ ଉପରେ ଆବଶ୍ୟକ ରିହାତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ହିସାବ କରାଯାଇ ନିୟମ ଅନୁସାରେ ଫେରସ୍ତ କରାଯିବ। ଏସବୁ ଦେଣନେଣ ସ୍ମାର୍ଟକାର୍ଡ ବା ଫାଷ୍ଟଟ୍ୟାଗ୍‌ରେ ହେଉଥିବାରୁ ସବୁ ଗାଡିଚାଳକ ଏଭଳି ବ୍ୟବସ୍ଥାକୁ ବ୍ୟବହାର କରିବାକୁ କୁହାଯାଇଛି।

ସଂଶୋଧିତ ନିୟମ ଅନୁସାରେ ଗାଡି ଚାଳକମାନଙ୍କୁ ଯେଉଁସବୁ ସୁବିଧା ପ୍ରଦାନ କରାଯିବ ତାହା ନିମ୍ନରେ ଦିଆଯାଇଛି।

୧- ଗାଡି ଚାଳକଙ୍କୁ ଟୋଲ ପ୍ଲାଜାରେ ଫେରନ୍ତା ଯାତ୍ରା ପାଇଁ ଯାତ୍ରାର ୨୪ ଘଣ୍ଟା ମଧ୍ୟରେ ରିହାତି ବ୍ୟବସ୍ଥାର ସୁବିଧା ମିଳିବ। ଏହି ରିହାତି ଫାଷ୍ଟଟ୍ୟାଗ୍‌ ବା ସେହିଭଳି ବ୍ୟବସ୍ଥାରେ ପ୍ରଦାନ କରାଯିବ। ଏହା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରିବ ଏବଂ ଏଥିପାଇଁ ପାସ୍‌ର ଆବଶ୍ୟକତା ପଡିବ ନାହିଁ।

୨- ଅନ୍ୟାନ୍ୟ କ୍ଷେତ୍ରରେ ଟୋଲ ପ୍ଲାଜାରେ ରିହାତି ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ବୈଧ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରିବାକୁ ପଡିବ।

ସଂଶୋଧନ ଅନୁସାରେ ଆହୁରି ମଧ୍ୟ ଗାଡି ଚାଳକଙ୍କ ପାଇଁ ଏପରି ସୁବିଧା ପ୍ରଦାନ କରାଯାଇଛି। ଯଦି କେହି ଚାଳକ ୨୪ ଘଣ୍ଟାରେ ଫେରିବା ଲାଗି ଦେୟ ରିହାତି ପାଇଥାଏ ସେଥିପାଇଁ ଆଗୁଆ ରସିଦ କିମ୍ବା ସୂଚନାର କୌଣସି ଆବଶ୍ୟକତା ନାହିଁ। ସେ ୨୪ ଘଣ୍ଟା ମଧ୍ୟରେ ଫେରିଲେ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ରିହାତି ପାଇପାରିବେ। ଏଥିପାଇଁ ଗାଡିରେ ବୈଧ ଓ କାର୍ଯ୍ୟକ୍ଷମ ଫାଷ୍ଟଟ୍ୟାଗ୍‌ ଲଗାଇବାକୁ ପଡିବ।