Odiapua.com

ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ଜିଦ୍ ଧରିଲେ କୃଷକ ସଂଗଠନ: ସରକାରଙ୍କ ପ୍ରସ୍ତାବକୁ କଲେ ପ୍ରତ୍ୟାଖ୍ୟାନ

ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ଗତକାଲି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ପ୍ରତ୍ୟାଖ୍ୟାନ କରିଛି ବୋଲି କୃଷକ ସଂଗଠନଗୁଡିକ ଏକ ବିବୃତ୍ତି ଜାରି କରିଛନ୍ତି।

ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ଦେଢ଼଼ ବର୍ଷ ସ୍ଥଗିତ ରଖାଯାଇପାରିବ ବୋଲି ସରକାର କହିଥିଲେ। କୃଷକ ସଂଗଠନ ଏବଂ ସରକାର ଆଲୋଚନା କରି ସମାଧାନ ଖୋଜି ପାରିବେ। ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ସଂଗଠନ ଗୁରୁବାର ବୈଠକ କରିଥିଲେ, ଏହା ପରେ କୃଷକ ସଂଗଠନଗୁଡ଼ିକ ଏହି ପ୩ସ୍ତବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ।

କୃଷକ ନେତା ଯୋଗୀନ୍ଦର ସିଂ ଉଗ୍ରାହାନ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ କୌଣସି ସରକାରୀ ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ। ଆସନ୍ତାକାଲି ଆମେ ସରକାରଙ୍କୁ କହିବୁ ଯେ, ଏହି ଆଇନଗୁଡ଼ିକୁ ରଦ୍ଦ କରିବା ପାଇଁ। ଏମଏସପି ଉପରେ ଆଇନ ଆଣିବା ଆମର ଲକ୍ଷ୍ୟ। ଆମେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛୁ। ସୂଚନାଯୋଗ୍ୟଯେ, ଆସନ୍ତା କାଲି ଶୁକ୍ରବାର ଦିନ ଅର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ଏକାଦଶ ରାଉଣ୍ଡ ବୈଠକ ହେବ।

ଏହା ବ୍ୟତୀତ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଏକ ବିବୃତ୍ତି ଜାରି କରିଛନ୍ତି ଯେ, ଏହି ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବା ଉଚିତ୍। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ପୂର୍ଣ୍ଣ ସାଧାରଣ ସଭାରେ ଗୁରୁବାର ଦିନ ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, ତିନୋଟି କୃଷି ଆଇନ ଏବଂ ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି କୃଷକ ସଂଗଠନ। ଏହା ବ୍ୟତୀତ କୃଷକ ନେତାମାନେ ଏହା ମଧ୍ୟ କହିଛନ୍ତି ଯେ, ଜାନୁଆରୀ ୨୬ ରେ ଦିଲ୍ଲୀର ରିଙ୍ଗ ରୋଡରେ ଟ୍ରାକ୍ଟର ପ୍ୟାରେଡ଼ ଅନୁଷ୍ଠିତ ହେବ।

ଆସନ୍ତାକାଲି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଏକାଦଶତମ ବୈଠକ ଅନୁଷ୍ଠିତ ହେବ
କୃଷକ ସଂଗଠନର ପ୍ରତିନିଧୀଙ୍କ ସହ ଦଶମ ରାଉଣ୍ଡ ଆଲୋଚନାରେ କେନ୍ଦ୍ର ସରକାର ବୁଧବାର ତିନୋଟି ଚାଷ ଆଇନକୁ ଦେଢ଼଼ ବର୍ଷ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ।