Odiapua.com

ଚାଷୀ ସମସ୍ୟା ନେଇ : ଅଗଷ୍ଟ ୯ କ୍ରାନ୍ତି ଦିବସରୁ କୃଷକ ଅଧିକାର ପଦଯାତ୍ରା ଶୁଭାରମ୍ଭ

ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଷୀ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ଭୁବନେଶ୍ୱର, ତା- ୨୮/୭ (ଓଡ଼ିଆ ପୁଅ) – ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ଦଳ ଚାଷୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ ପୁନଃ ଶାସନକୁ ଆସିବାପରେ ଏବେ ଚାଷୀଙ୍କ ବାସ୍ତବ ସମସ୍ୟାର ସମାଧାନ କରିବାକୁ ଭୁଲି ଯାଇଛନ୍ତି। ସଂପ୍ରତି ରାଜ୍ୟର ୨୫ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ। ପ୍ରାକୃତିକ ବିପର୍ଯ୍ୟୟ ସାଂଗକୁ ସରକାରଙ୍କ କୃତ୍ରିମ ମରୁଡ଼ି ଚାଷୀକୁଳକୁ ବ୍ୟଥିତ କରିଛି। ଆଜି ଚାଷ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଜଳସେଚନ ବ୍ୟବସ୍ଥା କେତେଦୂର ସଫଳ, ଚଳିତବର୍ଷ ମରୁଡ଼ିରୁ ପ୍ରମାଣିତ ହୋଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କେନ୍ଦ୍ର ସରକାର ମାତ୍ର ୬୫ ଟଙ୍କା ବୃଦ୍ଧି କରି ବାହାବା ନେଉଛନ୍ତି। କୃଷିଋଣ ଛାଡ଼ ଓ ଠିକଣା ସମୟରେ ଫସଲ ବୀମା କ୍ଷତି ପୂରଣ ଚାଷୀଙ୍କୁ ଦେବାରେ ଅହେତୁକ ଅବହେଳା କରାଯାଉଛି। କମ୍ପାନୀ ଜାଲରେ ଫସଲବୀମା ଯୋଜନା। ଉଭୟ ସରକାର ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ଦୀର୍ଘ ସ୍ଥାୟୀ ସମାଧାନ ନ କରି ସାମୟିକ ଆଶ୍ୱସ୍ତି ସ୍ୱରୂପ ପି.ଏମ୍ କିଷାନ ଯୋଜନା ଓ କାଳିଆ ଯୋଜନାରେ ଚାଷୀଙ୍କୁ ବାର୍ଷିକ ଯଥାକ୍ରମେ କେନ୍ଦ୍ର ୬ ହଜାର ଟଙ୍କା ଓ ରାଜ୍ୟ ସରକାର ୧୦ ହଜାର ଟଙ୍କା ଦେବା ଦ୍ୱାରା ଚାଷୀଙ୍କ ମୁଖ୍ୟ ସମସ୍ୟାର ସମାଧାନ ହେଉନାହିଁ। ଯଦି ଚାଷପାଇଁ ଜଳସେଚନ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସୁବିକ୍ରିବଟା ଓ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସହିତ ଚାଷୀ ଓ ଭାଗଚାଷୀଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟବସ୍ଥା କରାନଯାଏ, ତେବେ ଚାଷୀଙ୍କ ଅବସ୍ଥା ସୁଧୁରିବ ନାହିଁ ବୋଲି ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ। ସରକାର ମରୁଡ଼ିର ପ୍ରତିକାର ପାଇଁ ସଂପୃକ୍ତ ଅଂଚଳଗୁଡିକୁ ମରୁଡି ଅଂଚଳ ଘୋଷଣା, ସ୍ୱଳ୍ପବୃଷ୍ଟିର ବିକଳ୍ପ ଚାଷ ଓ ମାଗଣାରେ ବିହନ ଓ ସାର ଯୋଗଇବା ସହିତ ଉଠା ଜଳସେଚନ ପଏଂଟଗୁଡିକୁ ଯୁଦ୍ଧକାଳିନ ଭିତିରେ କାର୍ଯ୍ୟକ୍ଷମ କରିବା। ଗତବର୍ଷଗୁଡ଼ିକର ଫସଲବୀମା କ୍ଷତିପୂରଣ ସହାୟତା ରାଶି ତୁରନ୍ତ ଚାଷୀଙ୍କୁ ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି, ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ଅଭିଯୋଗ ସେଲ୍ ସ୍ଥାପନ, ସମସ୍ତ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼, ଚାଷ କାର୍ଯ୍ୟପାଇଁ ମାଗଣା ବିଜୁଳି, ପି.ଏମ୍ କିଷାନ ଯୋଜନା ଓ କାଳିଆ ଯୋଜନାର ପ୍ରକୃତ ହିତାଧିକାରୀ ଚିହ୍ନଟ ଓ ସମସ୍ତ ଚାଷୀଙ୍କୁ ଉକ୍ତ ସହାୟତା ତୁରନ୍ତ ପ୍ରଦାନ, ଫନୀ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ୧୪ ଗୋଟି ଜିଲ୍ଲାର ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ରାଶି ପ୍ରଦାନ, ଚାଷ କ୍ଷେତ୍ରକୁ ଜଳସେଚନରେ ସର୍ବାଧିକ ବ୍ୟବସ୍ଥା ଓ ଆବଶ୍ୟକ ଥିବା ପ୍ରତି ବ୍ଳକସ୍ତରରେ ଶୀତଳଭଣ୍ଡାର ଏବଂ ପ୍ରତି ପଂଚାୟତରେ ଗୋଦାମ ଘର ସ୍ଥାପନ, ପନିପରିବା ଚାଷୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଭେଜଫେଡ଼୍ ସ୍ଥାପନ, ଭାଗଚାଷୀମାନଙ୍କୁ ଆଇନଗତ ସ୍ୱୀକୃତି, ଦାଦନ ଶ୍ରମିକମାନଙ୍କର ଥଇଥାନ ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥା, ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ସହାୟତା ହେକ୍ଟର ପିଛା ଦୁଇଗୁଣା ବୃଦ୍ଧି, ପ୍ରତି ପଂଚାୟତ ପରିବର୍ତେ ରାଜସ୍ୱଗ୍ରାମକୁ ଏକକ ଫସଲବୀମା ୟୁନିଟ୍, ଆମ୍ବ, କଦଳୀ, କାଜୁ ଫସଲକୁ ବୀମା ଅନ୍ତର୍ଭୁକ୍ତ ଏବଂ ଅନିୟମିତ ଜଳବାୟୁର ପରିବର୍ତ୍ତନ, ବଜାର ଦର କୃଷି ଶ୍ରମିକର ଅଭାବ, ପାରିପାର୍ଶ୍ୱିକ ପରିବେଶ ଏବଂ କୃଷି ପ୍ରତି ଚାଷୀକୁଳର ଅନାଗ୍ରହକୁ ଦୃଷ୍ଟିରେ ରଖି ଏକ ଚୁଡ଼ାନ୍ତ ସଂଶୋଧିତ କୃଷିନୀତି ତୁରନ୍ତ ପ୍ରଣୟକ କରିବାକୁ କଂଗ୍ରେସ କୃଷକ ସେଲ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏତଦ୍ବ୍ୟତୀତ ରାଜ୍ୟରେ ଥିବା ସମସ୍ତ ଗୋ-ମିତ୍ର, କୃଷକ ସାଥିଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଦୀର୍ଘଦିନ ହେଲା ଅଧ୍ୟୟନ ସାରିଥିବା ବେକାର ଛାତ୍ର/ଛାତ୍ରୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ କିଷାନ କଂଗ୍ରେସ ଦାବି କରିଛି। ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଯଦି ଉପରୋକ୍ତ ସମସ୍ୟାଗୁଡ଼ିକର ଆଶୁ ସମାଧାନ ନ କରନ୍ତି, କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ କେନ୍ଦ୍ର ଓ ରାଜ୍ୟ ବିଜେପି ବିଜେଡ଼ି ସରକାରଙ୍କ ବିରୁଦ୍ଧରେ ଚାଷୀ ଅଧିକାର ଯାତ୍ରା ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏହି ବୈଠକରେ କିଷାନ କଂଗ୍ରେସର ଦୁର୍ଯ୍ୟୋଧନ ଗର୍ତିଆ, ବୃନ୍ଦାବନ ଖଟେଇ, ଶଶିଭୂଷଣ ପାତ୍ର, କୃଷ୍ଣଚନ୍ଦ୍ର ନେପାକ, ହେମନ୍ତ କୁମାର କର, ଜାନକୀକାନ୍ତ ପଟ୍ଟନାୟକ, ସଦାନନ୍ଦ ଓଝା, ସୁଧାକର ସାହୁ, ସନ୍ତୋଷ ସାହୁ, ନିତ୍ୟାନନ୍ଦ ପଣ୍ଡା, ନିରଞ୍ଜନ ବେହେରା, କାର୍ତିକଚନ୍ଦ୍ର ଦାସ, ଅରୁଣ ଜେନା, ସୁବାସ ରାଉତ, ସାଇରାମ ପାତ୍ର, ତାପସ ରଂଜନ ମିଶ୍ର, ସୁଧିର କୁମାର ଦାସ, ବିଜୟ କୁମାର ସ୍ୱାଇଁ, ରାଜକିଶୋର ପ୍ରଧାନ ପ୍ରମୁଖ ସମସ୍ତ ଜିଲ୍ଲାର ଶତାଧିକ କର୍ମକର୍ତା ଅଂଶଗ୍ରହଣ କରିଥିଲେ।