Odiapua.com

ଫେକ୍ ନ୍ୟୁଜ୍ ବିକ୍ରେତା ବୈଜୟନ୍ତ; ନାଁ ଫେକ୍ ନ୍ୟୁଜ୍ ଆକ୍ରାନ୍ତ ଅନୁଭବ ?

ଭୁବନେଶ୍ୱର: ନିକଟରେ ଓଟିଭି ନାମରେ ମାନହାନି ମକଦ୍ଦମା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀ ଜିଲ୍ଲା କୋର୍ଟରେ ଅନୁଭବ ଏହି ମାନହାନି ମକଦ୍ଦମା ଦାଏର କରିଛନ୍ତି। ଅନୁଭବଙ୍କ ବିରୋଧରେ ଓଟିଭି ଉଦ୍ଦ୍ୟେଶମୂଳକ ଭାବେ ଭିତ୍ତିହୀନ ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି। ଓଟିଭିର ଭିତ୍ତିହୀନ ଖବର ପରିବେଷଣ ଯୋଗୁଁ ସାଂସଦଙ୍କ ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ ହୋଇଥିବା ଅପରାଧିକ ମାନହାନି ମକଦ୍ଦମାରେ ଦର୍ଶାଇଛନ୍ତି ଅନୁଭବ। ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭି ସମ୍ପାଦକ ରାଧାମାଧବ ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଉଦ୍ଦେଶ୍ୟ ପ୍ରଣୋଦିତ, ଭିତ୍ତିହୀନ ଖବର ପ୍ରସାରଣ ଦ୍ୱାରା ମାନସିକ ଶାନ୍ତି ଭଙ୍ଗ ହୋଇଥିବା ମାନହାନି ମକଦ୍ଦମାରେ ଉଲ୍ଲେଖ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏହା ପୂର୍ବରୁ ମଧ୍ୟ ସାଂସଦ ଅନୁଭବ ମହାନ୍ତି ଓଟିଭି ଏବଂ ଏହାର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ଓକିଲ ନୋଟିସ ପଠାଇଥିଲେ। ଅନୁଭବ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଚ୍ୟାନେଲ୍ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରିଛି। ଓଟିଭି ତାଙ୍କ ବିରୋଧରେ ହୀନ ଓ ରାଜନୈତିକ ଉଦ୍ଦେଶ୍ୟ ରଖି, ତାଙ୍କ ପଦମର୍ଯାଦା କ୍ଷୁର୍ଣ୍ଣ ହେଲା ଭଳି ଖବର ପ୍ରସାରଣ କରିଥିଲା ଏବଂ ତାଙ୍କ ରେପୁଟେସନ କ୍ଷୁର୍ଣ୍ଣ କରିବାକୁ ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ କରିଥିଲେ ଅନୁଭବ।

କିଏ କରୁଛି କାହାକୁ ଟାର୍ଗେଟ୍ –
ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ଅପରାଧିକ ଘଟଣାକୁ ନେଇ ନିକଟରେ ସଂସଦରେ ଉଦ୍ବେଗ ପ୍ରକାଶ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୨ ତାରିଖରେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟକୁ ଆଧାର କରି ଅପରାଜିତା କହିଥିଲେ, ଏନସିଆରବି- ୨୦୧୮ ରେକର୍ଡ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନ ସଂଖ୍ୟାରେ ମହିଳା ଅପରାଧିକ ଘଟଣା ୯୧.୩। ଯାହା ଦିନକୁ ଦିନ ବୃଦ୍ଧି ପାଉଛି। ଯେଉଁଥିରୁ ମାତ୍ର ୮.୩ ଘଟଣାରେ ଅପରାଧୀ ଦୋଷୀ ସାବ୍ୟସ୍ତ ହେଉଛି ଅଥବା ଦଣ୍ଡ ପାଉଛି। ଯାହାର ପେଣ୍ଡିଂ (ଅଟକି ରହିଥିବା) ମାମଲା ସଂଖ୍ୟା ଶତକଡ଼ା ୯୪.୭। ଯାହା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ ଏବଂ ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ଅପରାଧିକ ଘଟଣାରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ। ଓଡ଼ିଶାରେ ଥିବା (ଓମେନ୍ସ ସ୍ଲେଟର ହୋମ) ମହିଳା ଅନ୍ତବାସୀ ଗୃହ ଗୁଡ଼ିକରେ ଏପରି ଘଟଣା ସବୁ ବୃଦ୍ଧି ପାଉଛି। ଏ’ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ତାହା ନିଆଯାଉ ନାହିଁ। ସ୍ଥିତି ବହୁତ ଗମ୍ଭୀର, ଚିନ୍ତାଜନକ ଏବଂ ଦୁଃଖଦ। କେନ୍ଦ୍ରଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରନ୍ତୁ, ଯାହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହୁ ବୋଲି ଅପରାଜିତା ଷଡ଼ଙ୍ଗୀ ଦାବୀ ଉପସ୍ଥାପନ କରିଥିଲେ। ତେବେ, ଏହାପରେ ଏହା ଉପରେ ମତ ରଖିଥିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। ହାତଯୋଡ଼ି ବିନତି କରୁଛି, ବହୁତ ଗମ୍ଭୀର ପ୍ରସଙ୍ଗ, ଓଡ଼ିଶା ମୋ ମା’ କହି, ମୋ ସାମ୍ମାରେ, ମୋ ମା’ ନାମରେ ଏହି ସଂସଦରେ ଫେକ୍ ନ୍ୟୁଜ୍ କୁହାଗଲା ବୋଲି କହିଥିଲେ ଅନୁଭବ ମହାନ୍ତି। ମାନନୀୟା ସଦସ୍ୟା (ଅପରାଜିତା ଷଡ଼ଙ୍ଗୀ) ଜଣେ ଶିକ୍ଷିତ ଲୋକ ହୋଇ ଯେଉଁ ଭୁଲ୍ ତଥ୍ୟ ରଖିଲେ, ସେଥିପାଇଁ ମତେ ଦୁଃଖ ଲାଗୁଛି, ଲଜ୍ଜା ଲାଗୁଛି। ଛୋଟ କଥା, ତାଙ୍କୁ ବୁଝିବାର ଥିଲା, ଆମ ଓଡ଼ିଶା ପ୍ରସଙ୍ଗ ଏଠି କହିବାର ନଥିଲା। ଏପରି ଫେକ୍ ନ୍ୟୁଜ ଯୁବ ସମାଜକୁ ଭୁଲ୍ ସନ୍ଦେଶ ଦେଉଛି, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି କହି ତାଙ୍କ ଦଳ (ବିଜେପି)ର ଜଣେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କର ଏକ ସଂସ୍ଥାରେ ଜଣେ ନାବାଳିକା ଝିଅ ସହିତ ତାଙ୍କ କର୍ମଚାରୀ ଗଣଦୁଷ୍କର୍ମ କରୁଛନ୍ତି, ନିର୍ଯ୍ୟାତନା ଦେଉଛନ୍ତି କହି ବୈଜୟନ୍ତ ପଣ୍ଡା ଏବଂ ଓଟିଭିକୁ ଆକ୍ଷେପ କରିଥିଲେ ଅନୁଭବ। ଛୋଟ କଥା, ତାଙ୍କୁ ବୁଝିବାର ଥିଲା ଆମ ରାଜ୍ୟ (ଓଡ଼ିଶା) ପ୍ରସଙ୍ଗ ଏଠି (ସଂସଦରେ) କହିବାର ନଥିଲା ବୋଲି ଅପରାଜିତାଙ୍କୁ ପରାମର୍ଶ ଦେଇ ନିଜେ ହିଁ ଆମ ରାଜ୍ୟ ପ୍ରସଙ୍ଗ ସେହି ସଂସଦରେ କହି ପକାଇଲେ ଅନୁଭବ। ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ କୌଣସି ଦୁର୍ବଳତା କିମ୍ବା ରାଜ୍ୟ ସରକାରଙ୍କ କୌଣସି ତଦନ୍ତକାରୀ ସଂସ୍ଥା ବାବଦରେ ବିରୋଧୀ ଦଳ ନେତ୍ରୀ ହିସାବରେ ସଂସଦରେ ଅପରାଜିତା ଉଠାଇ ପାରନ୍ତି। କିନ୍ତୁ, କେବଳ ବୈଜୟନ୍ତଙ୍କୁ ଆକ୍ଷେପ କରିବାକୁ ଯାଇ ଯେଉଁ ଘଟଣା ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା, ରାଜ୍ୟ ପୋଲିସ ଦ୍ୱାରା ଏବେ ତଦନ୍ତ ଅଧୀନରେ ଅଛି, ସେ କଥା ସଂସଦରେ ଉଠାଇ ଅନୁଭବ କ’ଣ କହିବାକୁ ଚାହୁଁଥିଲେ ବୋଲି ପ୍ରଶ୍ନ ଉଠୁଛି। କ’ଣ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ଭରଷା ନକରି କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଦ୍ୱାରା ତା’ର ତଦନ୍ତ କରାଯାଉ ବୋଲି ଅନୁଭବ ଚାହୁଁଥିଲେ କି ବୋଲି ପ୍ରଶ୍ନ ଉଠୁଛି।

ଟିଆରପି ଲଢ଼େଇ କରନ୍ତୁନି –
ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ତଥା ଆଇନଗତ ଲଢ଼େଇକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ତାଙ୍କ ଘର ଆଗରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ରୁଣ୍ଡ ହେଉଛନ୍ତି। ଏହାକୁ ନେଇ ବିରକ୍ତି ପ୍ରକାଶ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଅନୁଭବ ମହାନ୍ତି। ମୋ ଘର ଆଗରେ ଗୋଳିଆ ରାଜନୀତି କରନ୍ତୁନି। ମୋ ବାପାଙ୍କ ଦେହ ଖରାପ ଅଛି, ତାଙ୍କର କିଛି ହେଇଗଲେ କିଏ ସେ ଦାୟିତ୍ୱ ନେବ ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଏଇଟା ପ୍ରଥମ ବାହାଘର ନୁହେଁ, ଯାହା ଭାଙ୍ଗୁଛି। କିନ୍ତୁ, ଗଣମାଧ୍ୟମକୁ କ’ଣ ମଜା ମିଳୁଛି ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ସେହିପରି ବର୍ଷାଙ୍କ ସହିତ ତାଙ୍କର ଚାଲିଥିବା ବିବାଦ ଏବଂ ଆଇନଗତ ଲଢ଼େଇ ବାବଦରେ ବିଭିନ୍ନ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ତଥା ସୋସିଆଲ୍ ମିଡିଆରେ ପ୍ରଚାରକୁ ନେଇ ଅସନ୍ତୋଷ ପ୍ରକାଶ କରି ତାଙ୍କର ବ୍ୟକ୍ତିଗତ ଘଟଣାକୁ କାହିଁକି ରାଜନୈତିକ ରୂପ ଦିଆଯାଉଛି ଏବଂ ସର୍ବ ସାଧାରଣ କରାଯାଉଛି ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଯେତେବେଳେ କି ନିଜେ ଅନୁଭବ ତାଙ୍କର ଏହି ବ୍ୟକ୍ତିଗତ ଘଟଣା ବାବଦରେ ନିଜ ଏମପି ଲେଟର୍ ପ୍ୟାଡରେ ପ୍ରେସ ବିଜ୍ଞପ୍ତି ଦେଇ ନିଜେ ହିଁ ଘଟଣାକୁ ସାର୍ବଜନୀନ କରିଥିଲେ, ଏମପି ପ୍ୟାଡରେ ଲେଖି ନିଜର ଘରୋଇ ବ୍ୟାପାରକୁ ରାଜନୈତିକ କରିଥିଲେ, ରାଜନୈତିକ କ୍ଷମତାର ଉପଯୋଗ କରିଥିଲେ।

ଫେକ୍ ନ୍ୟୁଜ୍ ଆକ୍ରାନ୍ତ ନାଁ ଫେକ୍ ନ୍ୟୁଜ୍ ସ୍ପ୍ରେଡର୍ ଅନୁଭବ –
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ମେଡିକାଲ୍ ତରଫରୁ ଘୋଷଣା ହେବା ପୂର୍ବରୁ ବିଳମ୍ବିତ ସନ୍ଧ୍ୟାରୁ ସୋସିଆଲ୍ ମିଡିଆରେ ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହୋଇଥିଲା। ଯେପରି ଘଟିଥିଲା ଅଭିନେତା ବିଜୟ ମହାନ୍ତିଙ୍କ କ୍ଷେତ୍ରରେ। ଘଟଣାର ସତ୍ୟତା ନଜାଣି ତରବରିଆ ଭାବରେ ଅନେକ ଲୋକ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ମହାରଥୀଙ୍କ ମୃତ୍ୟୁ ଖବର ପୋଷ୍ଟ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଅନୁଭବ ମହାନ୍ତି। ତେବେ, କିଛି ସମୟ ଭିତରେ ସେ ପୋଷ୍ଟଟିକୁ ଡିଲିଟି କରି ଭୁଲରେ ପୋଷ୍ଟ କରି ଦେଇଥିଲେ ଲେଖି କ୍ଷମା ପ୍ରାର୍ଥନା କରିଥିଲେ। ସେଦିନ ପ୍ରଦୀପ ମହାରଥୀଙ୍କର ବିଳମ୍ବିତ ରାତି ପ୍ରାୟ ୨ ଟା ୩୬ ମିନିଟରେ ପରଲୋକ ହୋଇଥିବା ବେଳେ ତାଙ୍କ ମୃତ୍ୟୁର ଯଥେଷ୍ଟ ପୂର୍ବରୁ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଦେଇଥିଲେ ଅନୁଭବ। ଟ୍ବିଟ କରି ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ କିଛି ସମୟ ପରେ ଏହାକୁ ଡିଲିଟ୍ କରି ଭୁଲରେ ଲେଖି ଦେଇଥିଲେ ବୋଲି ଆଉ ଏକ ଟ୍ୱିଟ୍ କରିଥିଲେ ଅନୁଭବ ମହାନ୍ତି। ତେବେ ଏପରି ପୋଷ୍ଟ କରି ଅନୁଭବ ମହାନ୍ତି ଟ୍ରୋଲ୍ ହେବା ପରେ ପୁଣି ଥରେ ଟ୍ବିଟରରେ ଆଉ ଏକ ସ୍ପଷ୍ଟିକରଣ ରଖିଥିଲେ ଏବଂ ଲେଖିଥିଲେ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କୁ କିଏ ଫସାଇ ଦେବା ପାଇଁ ଏପରି ଷଡ଼ଯନ୍ତ୍ର କରି ତାଙ୍କୁ ଫେକ୍ ନ୍ୟୁଜ୍ ଦେଇଥିଲା। ପ୍ରଥମ ଟ୍ୱିଟରେ ଶ୍ରଦ୍ଧାଞ୍ଜଳି ଦେଇ ଡିଲିଟ୍ କରିବା ପରେ ଅନୁଭବ ଟ୍ୱିଟ୍ କରିଥିଲେ, “ମୁଁ ଏକ କଲ୍ ପାଇଲି ଯେ ତାଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ। ଯଦିଓ ଏ’ ପର୍ଯ୍ୟନ୍ତ ନିଶ୍ଚିତ ନୁହେଁ, ତଥାପି ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ମୁଁ ମୋ ଖବରରେ ଭୁଲ୍ ଥାଇପାରେ। ଯଦି ପ୍ରଦୀପ ମହାରଥୀ ବାବୁଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ରହେ, ତେବେ ମୁଁ ସବୁଠାରୁ ଖୁସି ହେବି। ଯଦି ମୁଁ ଭୁଲ୍, ତେବେ ମୋତେ କ୍ଷମା କରିବାକୁ ସମସ୍ତଙ୍କୁ ଅନୁରୋଧ।” ତେବେ ଏହାକୁ ନେଇ ମଧ୍ୟ ପ୍ରବଳ ଟ୍ରୋଲ୍ ହେବା ପରେ ପୁଣି ଏକ ଟ୍ୱିଟ୍ କରି ଅନୁଭବ ଲେଖିଥିଲେ, “ତ୍ରୁଟି ହୁଏ କିନ୍ତୁ, ଏପରି ତ୍ରୁଟି ହେବା ଅନୁଚିତ୍। ମୋର ପୋଷ୍ଟ ପାଇଁ ମୁଁ ଦୁଃଖିତ, ଯାହା ଭାଗ୍ୟବଶତଃ ସତ୍ୟ ନୁହେଁ। ଏବେ ମୁଁ ଜାଣିବାକୁ ପାଇଲି ଯେ ଫେକ୍ ନ୍ୟୁଜ୍ (ମିଥ୍ୟା ଖବର) ବିକ୍ରେତା ବ୍ୟବସାୟୀଙ୍କ ସହିତ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମୁଁ ସେହି ଖବର ପାଇଥିଲି। ଯିଏ ଉଦ୍ଦେଶ୍ୟମୂଳକ ଭାବରେ ସମସ୍ତଙ୍କ ନଜରରେ ମତେ ଭୁଲ୍ ପ୍ରମାଣ କରିବା ପାଇଁ ଚାହୁଁଥିଲା।” ଏହା ପରେ ମଧ୍ୟ ପ୍ରବଳ ଟ୍ରୋଲ୍ ହୋଇ ଚାଲିଲେ ଅନୁଭବ। ଏବର ଘଟଣା ସହିତ ପୂର୍ବରୁ ରାତି ଅଧରେ ସଲମାନ ଖାନଙ୍କ ଠାରୁ ଲାଇକ୍ ପାଇବା ପାଇଁ ନେହୁରା ହୋଇ ଅନୁଭବ କରିଥିବା ଟ୍ୱିଟ୍ ଘଟଣାକୁ ଉଦ୍ଦେଶ୍ୟ କରି ଲାଇକ୍ ପାଇବା ପାଇଁ କାହିଁକି ଏମିତି ହେଉଛ ବୋଲି ଲେଖିଲେ ଅନେକ ୟୁଜର୍ସ। ଏ’ ଭିତରେ ଜଣେ ୟୁଜର୍ସ ଲେଖିଲେ, ତୁମେ କ’ଣ ଏତେ ନିର୍ବୋଧ। ସବୁ ବେଳେ ପଣ୍ଡା ବାବୁଙ୍କ ମୁଣ୍ଡରେ ଅଠା ବୋଳିବା ତମର ଅଭ୍ୟାସ। ବାବୁରେ, ଆଲବମ୍ ଗୀତ ନୁହେଁ ରାଜନୀତି କରିବା, ଯାଇକି ଶୋଇପଡ଼। କୋଉ କୂଳକୁ ନୁହଁ ତମେ, ଲାଇକ୍ ପାଇବା ଲାଗି କାହିଁ ଏମିତି ହେଉଛରେ ” କଳିଙ୍ଗ ଧ – “। ଏହାର ଉତ୍ତର ଦେଇ ଅନୁଭବ ଲେଖିଲେ, ହେ ପ୍ରିୟ ଭାଇ, ମୁଁ ଜଣେ ବ୍ୟବସାୟୀଙ୍କ ବିଷୟରେ କହିଥିଲି ଯିଏ ଫେକ୍ ନ୍ୟୁଜ୍ ବିକ୍ରେତା। କିନ୍ତୁ କାହାର ନାମ ନେଇନଥିଲି। ତୁମେ କିପରି ଜଣଙ୍କ ନାମ ନେଇ ପାରିଲ। ତୁମେ ଭାବୁଥିବ ପଣ୍ଡା ବାବୁ, ଯିଏ ଫେକ ନ୍ୟୁଜ୍ ବିକ୍ରି କରୁଛନ୍ତି। ହେଃ ଭଗବାନ। ତୁମେ କି ଖବର ଦେଇଛ, ଚକିତ। ଏହାର ଉତ୍ତରରେ ସଂପୃକ୍ତ ୟୁଜର୍ସ ଲେଖିଲେ, ଚୋର ମନ, ଚୋର ଗଣ୍ଠିଲିରେ।

ଫେକ୍ ନ୍ୟୁଜ୍ ବିକ୍ରେତା ବୈଜୟନ୍ତ ନାଁ ଫେକ୍ ନ୍ୟୁଜ୍ ଆକ୍ରାନ୍ତ ଅନୁଭବ, ତର୍ଜମା ଆବଶ୍ୟକ –
ତେବେ ଏଠି କଥା ଉଠୁଛି ସତରେ କ’ଣ କେହି ଅନୁଭବଙ୍କୁ ଏହି ଫେକ୍ ନ୍ୟୁଜ୍ ଦେଇଥିଲା, ନାଁ ସୋସିଆଲ୍ ମିଡିଆରେ ଏହି ଭାଇରାଲ୍ ଖବରକୁ ଦେଖି ନିଜେ ବି ସେଥିରେ ସାମିଲ ହୋଇ ଯାଇଥିଲେ ଅନୁଭବ। ଫେକ୍ ନ୍ୟୁଜ୍ ବିକ୍ରେତାଙ୍କ ସହିତ ସଂପୃକ୍ତ କିଏ ସେ ବ୍ୟକ୍ତି ତାଙ୍କୁ ଏହି ଫେକ୍ ନ୍ୟୁଜ୍ ଦେଇଥିଲା ତାଙ୍କ ନାମ ପ୍ରକାଶ କଲେ ନାହିଁ କାହିଁକି ଅନୁଭବ। ଯଦି ବି କେହି ଫେକ୍ ନ୍ୟୁଜ୍ ଦେଇଥିଲା ନିଜ ଦଳର ଜଣେ ନେତାଙ୍କର ମୃତ୍ୟୁ ଭଳି ଅତ୍ୟନ୍ତ ଦୁଃଖଦାୟକ ଖବରର ସତ୍ୟତାକୁ ନପରଖି, ନିଜ ଦଳର ଅନ୍ୟ କୌଣସି ନେତୃତ୍ୱଙ୍କ ଠାରୁ ପଚାରି ନବୁଝି, କିପରି ହଠାତ୍ ଟ୍ୱିଟ୍ କରି ପକାଇଲେ ଅନୁଭବ। କ’ଣ ନିଜ ଦଳୀୟ ଲୋକଙ୍କ ସଂସ୍ପର୍ଷରେ ରହୁ ନାହାଁନ୍ତି କି ଅନୁଭବ। ଅନେକ ୟୁଜର୍ସ ବିଭିନ୍ନ କଥା ଲେଖି ଅନୁଭବଙ୍କୁ ଟ୍ରୋଲ୍ କରିଥିବା ବେଳେ ପଣ୍ଡା ବାବୁଙ୍କ ନାମ ଲେଖାଥିବା ଟ୍ୱିଟ୍ ଉପରେ କାହିଁକି ଗୁରୁତ୍ୱ ଦେଲେ ଅନୁଭବ। ସଂସଦରେ ଅପରାଜିତାଙ୍କୁ କାଉଣ୍ଟର କଲା ବେଳେ ଫେକ୍ ନ୍ୟୁଜ୍ କଥା କହି ପରୋକ୍ଷରେ ବୈଜୟନ୍ତ, ଜାଗି ମଙ୍ଗତ ଏବଂ ଓଟିଭିକୁ ହିଁ କାହିଁକି ଟାର୍ଗେଟ୍ କରିଥିଲେ ଅନୁଭବ। ଏବେ ହାସଟ୍ୟାଗ୍ “ଫାଇଟ୍ ଏଗନେଷ୍ଟ ଫେକ୍ ନ୍ୟୁଜ୍” ନାମରେ ଏକ ଅଭିଯାନ ଆରମ୍ଭ କରି ଟ୍ୱିଟ୍ କରିଥିବା ଅନୁଭବ ଟ୍ୱିଟରେ କିଛି ଇଂରାଜୀ ଗଣମାଧ୍ୟମ ସହିତ ଓଡ଼ିଶାର ପ୍ରମୁଖ ପ୍ରାୟ ସମସ୍ତ ଗଣମାଧ୍ୟମକୁ ଟ୍ୟାଗ୍ କରିଥିବା ବେଳେ ଓଟିଭିକୁ ଛାଡ଼ିଗଲେ କାହିଁକି। ଏହାର ଅର୍ଥ ଓଟିଭି ଟାର୍ଗେଟ୍ କରୁଛି ଅନୁଭବଙ୍କୁ ନାଁ ଅନୁଭବ ଟାର୍ଗେଟ୍ କରୁଛନ୍ତି ଓଟିଭିକୁ, ଏବଂ ଆଉ ଏକ ପ୍ରଶ୍ନ ଫେକ୍ ନ୍ୟୁଜ୍ ବିକ୍ରେତା ଓଟିଭି, ଜାଗି ମଙ୍ଗତ ଏବଂ ବୈଜୟନ୍ତ ନାଁ ଫେକ୍ ନ୍ୟୁଜ୍ ଆକ୍ରାନ୍ତ ଅନୁଭବ, ତର୍ଜମା ଆବଶ୍ୟକ।
/- ଦେବଦତ୍ତ ରଥ