Odiapua.com

୨୦୨୪ ପାଇଁ ପ୍ରସ୍ତୁତି: ଦେଶବ୍ୟାପୀ ୧୨୦ ଦିନିଆ ଯାତ୍ରା କରିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୪କୁ ଦୃଷ୍ଟିରେ ରଖି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡିସେମ୍ବର ମାସରେ ଦେଶବ୍ୟାପୀ ୧୨୦ ଦିନିଆ ଯାତ୍ରା ଆରମ୍ଭ କରିବେ। ଏହା ଭିତରେ ସେ ପ୍ରତ୍ୟେକ ରାଜ୍ୟ ଗସ୍ତ କରି ସଙ୍ଗଠନର ଦୁର୍ବଳ ସ୍ଥିତି ଗୁଡ଼ିକୁ ସଜାଡ଼ିବା ପାଇଁ ପ୍ରୟାସ କରିବେ। ଡିସେମ୍ବର ପ୍ରଥମ ସପ୍ତାହରେ ଉତ୍ତରାଖଣ୍ଡରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏହି ଯାତ୍ରା ଆରମ୍ଭ କରିବେ। ସମ୍ଭବତଃ ୫ ଡିସେମ୍ବରରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ଆଗାମୀ ରଣନୀତି ଉପରେ ମଧ୍ୟ ଆଲୋଚନା କରିବେ ଏବଂ ସମୀକ୍ଷା କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ୧୨୦ ଦିନିଆ ପ୍ରବାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସଂଗଠନକୁ ଆହୁରି ମଜବୁତ କରିବା ଏବଂ ପ୍ରତ୍ୟେକ ବୁଥ ୟୁନିଟକୁ ସକ୍ରିୟ ତଥା ମଜବୁତ କରିବା। ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସଙ୍ଗଠନକୁ ମଜବୁତ କରିବାର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯିବ। ଖବର ମୁତାବକ ଏହି ୧୨୦ ଦିନିଆ ପ୍ରବାସ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବଡ଼ ସହର ଗୁଡ଼ିକରେ ତିନି ଦିନ ଏବଂ ଛୋଟ ସହର ଗୁଡ଼ିକରେ ଦୁଇ ଦିନ ବିତାଇବେ। ନଡ୍ଡା ଏହି ସମୟ ମଧ୍ୟରେ ଏନଡିଏର ସହଯୋଗୀ ଦଳ ଗୁଡ଼ିକର ନେତାମାନଙ୍କୁ ମଧ୍ୟ ଭେଟିବ ଏବଂ ସାଧାରଣ ସଭା ସହିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବିଜେପି ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଦେଶ ଗସ୍ତ କରିଥିଲେ।

ବୁଥ୍ ଏବଂ ମଣ୍ଡଳ କମିଟି ଠାରୁ ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ ନଡ୍ଡା –
ସୂଚନା ମୁତାବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ରାଷ୍ଟ୍ରବ୍ୟାପୀ ଏହି ପ୍ରବାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବୁଥ ସଭାପତି ଏବଂ ବୁଥ କମିଟି ସହିତ ଏକ ବୈଠକ ହେବ। ସେହିପରି ମଣ୍ଡଳ ସଭାପତି ଏବଂ ମଣ୍ଡଳ କମିଟି ସହିତ ମଧ୍ୟ ବୈଠକ ହେବ। ବୁଥ କମିଟି ଏବଂ ମଣ୍ଡଳ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିଲ୍ଲା ସଭାପତି ମାନଙ୍କ ବ୍ୟତୀତ ରାଜ୍ୟ ପଦାଧିକାରୀ, ଦଳର ବରିଷ୍ଠ ନେତା, ସାଂସଦ ଏବଂ ବିଧାୟକମାନଙ୍କୁ ମଧ୍ୟ ଭେଟିବେ। ଏହି ସମୟ ମଧ୍ୟରେ ବିଜେପି ଶାସିତ ରାଜ୍ୟ ଗୁଡ଼ିକ ମଧ୍ୟ ସେମାନଙ୍କର ବିକାଶ କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ଏକ ଉପସ୍ଥାପନା କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ପ୍ରସ୍ତୁତି ଉପରେ ନଜର ରଖିବେ ଏବଂ ଏହି ପ୍ରବାସ କାର୍ଯ୍ୟକ୍ରମ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ ସଙ୍ଗଠନର ସ୍ଥିତି ସମୀକ୍ଷା କରିବେ। ସୂଚନାଯୋଗ୍ୟ ଯେ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
/-ଦେବଦତ୍ତ ରଥ