Odiapua.com

ଓଡ଼ିଶା ବିଜେପିରେ ଚରମ ବିଶୃଙ୍ଖଳା: ବିଶୃଙ୍ଖଳାକାରୀ କିଏ ଆଉ ଦଣ୍ଡ ପାଉଛି କିଏ ..

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଘୁରି ବୁଲିଲା ଯେ, ଦଳୀୟ ବିଶୃଙ୍ଖଳା ପାଇଁ ବିଜେପି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ଲିଙ୍ଗରାଜ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ପଟ୍ଟନାୟକଙ୍କୁ ଦଳରୁ ନିଲମ୍ବିତ କରାଗଲା। ଜିଲ୍ଲା ସଭାପତି ବାବୁ ସିଂଙ୍କ ଲେଟର୍ ପ୍ୟାଡରେ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ବେହେରାଙ୍କ ଦସ୍ତଖତରେ ଲିଖିତ ଏହି ଚିଠିରେ ସବିତା ପଟ୍ଟନାୟକଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ନକରିବା ପାଇଁ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି ଓ ଅନ୍ୟାନ୍ୟ ନେତୃତ୍ୱ ମଣ୍ଡଳୀଙ୍କୁ ବାରଣ କରାଯାଇଛି। ଏହା ସହ ସବିତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ରାଜ୍ୟ ସଭାପତିଙ୍କୁ ସୁପାରିଶ କରାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ସବିତା ପଟ୍ଟନାୟକ କହିଛନ୍ତି, ଯାହା ପ୍ୟାଡରେ ଏହି ଲେଖା ଆସିଛି ଓ ଯେଉଁ ବ୍ୟକ୍ତିଙ୍କ ଦସ୍ତଖତରେ ଏହି ଲେଖା ବୁଲୁଛି ସେମାନେ ଭାରତୀୟ ଜନତା ପାର୍ଟିର ଦାୟୀତ୍ତ୍ବହୀନ ବ୍ୟକ୍ତି ପରି କାର୍ଯ୍ୟ କରିଛନ୍ତି। ଏହି ବିଶୃଙ୍ଖଳିତ ପଦାଧିକାରୀ ମାନଙ୍କୁ ଦାୟିତ୍ଵ ମୁକ୍ତ କରାଯାଉ। ନିଜକୁ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ବୋଲି କହିବା ସହ ଏଣ୍ଡୁଅ ପରି ରଙ୍ଗ ବଦଳାଇବା ଅଭ୍ୟାସ ମୋର ନାହିଁ ବୋଲି କହିଛନ୍ତି ସବିତା। ଏହାସହ ବିନା କାରଣ ଦର୍ଶାଅ ନୋଟିସରେ କାହାକୁ ଦଳରୁ ନିଲମ୍ବିତ କରିବାର ଅଧିକାର କାହାର ନାହିଁ ବୋଲି କହିଛନ୍ତି ସବିତା। ସମ୍ଭବତଃ ଜିଲ୍ଲା ସଭାପତି ବାବୁ ସିଂଙ୍କୁ ଇଙ୍ଗିତ କରି ସବିତା କହିଛନ୍ତି, କାଲି ବିଜେଡିରେ ଥିଲେ ଆଜି ଏ ଘରକୁ ଆସିଛନ୍ତି। ମୁଁ ଏ’ ଘରର ଝିଅ। ବିଜେପିର ବ୍ୟବସ୍ଥା ବାହାରକୁ ଯାଇ ଭୁଲ୍ ପଦକ୍ଷେପ ନିଆଯାଇଛି କହି ସବିତା ସେମାନଙ୍କ ଠାରୁ କ୍ଷମା ପାର୍ଥନା ଦାବୀ କରିଛନ୍ତି। ଏହାସହ ସାମାଜିକ ଗଣମାଧ୍ୟମରେ ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଥିବା କହି ଏହାକୁ ପ୍ରତିବାଦ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସବିତା ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ସବିତାଙ୍କ ନିକଟତର ସଂପର୍କ କାରଣରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟନୁଷ୍ଠାନ ନିଆଗଲା ବୋଲି ଆଲୋଚନା ହେଉଛି। ବିଶେଷ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଜଣେ ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଅତ୍ୟନ୍ତ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକଙ୍କୁ ଧକ୍କା ମାରିଥିଲେ। ଯାହା କି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଧର୍ମେନ୍ଦ୍ର – ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣାମ ବୋଲି ଆଲୋଚନା ହେଲା। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଛବିକୁ ମଳିନ କଲା। କାରଣ ରଞ୍ଜିତ ଦାସଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଖାସ୍ ଅନୁଗତ ଭାବରେ ସମସ୍ତେ ଜାଣନ୍ତି। ତେଣୁ ଏହା ଧର୍ମେନ୍ଦ୍ର କରାଇଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲା। ଠାକୂର ରଞ୍ଜିତ ଦାସଙ୍କ ସେଦିନର ବିଶୃଙ୍ଖଳିତ ଆଚରଣ ସମୟରେ ସବିତା ପଟ୍ଟନାୟକ ଏହାକୁ ପ୍ରତିବାଦ କରିଥିଲେ। ପରିଣାମ ସ୍ୱରୂପ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି କୁହାଯାଉଛି। ଏହାକୁ ନେଇ ବିଶୃଙ୍ଖଳା କଲା କିଏ, ଆଉ ଦଣ୍ଡ ଭୋଗିଲା କିଏ ବୋଲି ସାଧାରଣରେ ଆଲୋଚନା ହେଉଛି। ଆଉ ଏହି ଘଟଣା ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ଦର୍ଶାଉଛି ବୋଲି କୁହାଯାଉଛି।
-/Dr