Odiapua.com

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ୧୦ ପ୍ରତିଶତ ସଂରକ୍ଷଣ ଅକ୍ଷୁର୍ଣ୍ଣ ରହିବ

– ଜଷ୍ଟିସ୍ ଭଟ୍ଟ EWS ସଂରକ୍ଷଣ ଉପରେ ଅସହମତ।

– EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର।
– ଆର୍ଥିକ ଭିତ୍ତିରେ ଉଚ୍ଚ ଜାତି ପାଇଁ ୧୦% ସଂରକ୍ଷଣ
– ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ଲାଗିଲା ମୋହର

ନୂଆଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ଆଜି ସୁପ୍ରିମକୋର୍ଟରେ ଆର୍ଥିକ ଅନଗ୍ରସର ବର୍ଗ ଅର୍ଥାତ୍ EWS ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉପରେ ନିଷ୍ପତ୍ତି ପ୍ରଦାନ କରୁଥିବାବେଳେ ୧୦ ପ୍ରତିଶତ ସଂରକ୍ଷଣକୁ ସମର୍ଥନ କରିଛନ୍ତି। ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଅକ୍ଷୁର୍ଣ୍ଣ ରହିବ।

ଏହି ମାମଲା ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ଦୀନେଶ ମହେଶ୍ୱରୀ EWS ସଂରକ୍ଷଣକୁ ସମର୍ଥନ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି କୋଟା ସମ୍ବିଧାନର ମୌଳିକ ନୀତି ଏବଂ ଆତ୍ମାକୁ ଉଲ୍ଲଂଘନ କରୁନାହିଁ। ଏଥି ସହିତ ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେପି ପାରଦୀୱାଲା ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ଯଥାର୍ଥତା ବୋଲି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, EWS କୋଟାର ବୈଧତାକୁ ଚ୍ୟାଲେଞ୍ଜ କରି କୋର୍ଟ ୩୦ ରୁ ଅଧିକ ପିଟିସନ ଶୁଣାଣି କରିଥିଲେ। ସେପ୍ଟେମ୍ବର ୨୭ ରେ କୋର୍ଟ ଏହା ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ମାମଲାରେ ନିଜର ରାୟ ଦେଇଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ଏହି ବ୍ୟବସ୍ଥା ୨୦୧୯ ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏଥିପାଇଁ ୧୦୩ ତମ ସଂଶୋଧନ ମଧ୍ୟ ସମ୍ବିଧାନରେ କରାଯାଇଥିଲା। ଏହା ପରେ କିଛି ରାଜନୈତିକ ଦଳ ସମେତ ଅନେକ ଆବେଦନକାରୀଙ୍କ ଦ୍ୱାରା EWS କୋଟାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହାକୁ ସମ୍ବିଧାନ ବିରୁଦ୍ଧରେ କହି ଆବେଦନକାରୀମାନେ ଏହି କୋଟା ହଟାଇବାକୁ ଦାବି କରିଥିଲେ।

୨୦୨୨ ମସିହାରେ ସମ୍ବିଧାନ ବେଞ୍ଚ ଗଠନ କରାଯାଇଥିଲା ଏବଂ ୧୩ ସେପ୍ଟେମ୍ବରରେ ପ୍ରଧାନ ବିଚାରପତି ୟୁୟୁ ଲଲିତ, ଜଷ୍ଟିସ ଦୀନେଶ ମହେଶ୍ୱରୀ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାଦରୱାଲାଙ୍କ ସମ୍ବିଧାନ ବେଞ୍ଚ ଶୁଣାଣି ଆରମ୍ଭ କରିଥିଲା।