Odiapua.com

ଇଦ୍ ମୁବାରକ୍ : ଇଦ୍- ଉଲ୍- ଫିତର୍ (عيد الفطر)

ଇଦ୍ ମୁବାରକ୍ ..। ରମଜାନ୍ ମାସର ଶେଷ ଦିନ ସନ୍ଧ୍ୟା ପରେ ଆକଶରେ ଚାନ୍ଦ୍ ଦେଖିଲା ପରେ ଯାଇ ପାଳନ ହୋଇଥାଏ ‘ଇଦ୍- ଉଲ୍- ଫିତର୍’। ଯାହାକୁ ସଂକ୍ଷେପରେ ଇଦ୍ କୁହାଯାଏ। ଏହା ରମଜାନ୍ ମାସର ଶେଷ ଦିନ ପାଳନ କରାଯାଏ। ରମଜାନ୍, ଇଦ୍ ଅଲ୍- ଆଧା ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିତର୍ ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ୨୯ ଦିନ ବା ୩୦ ଦିନ ଯାଏଁ ମାସ ସାରା ସୂର‌୍ୟ୍ୟୋଦୟରୁ ସୂର‌୍ୟ୍ୟାସ୍ତ ପର‌୍ୟ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏହି ଦିନ ସାରା ବିଶ୍ୱ ମୁସଲମାନ ମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏହି ଦିନକୁ ଆଲ୍ଲା (ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ବିବେଚନା କରାଯାଏ। ଇସଲାମୀ କ୍ୟାଲେଣ୍ଡର ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାଳନ କରାଯାଏ। ରମଜାନ୍ ମାସର ଶେଷ ଦିନ ସନ୍ଧ୍ୟା ପରେ ଆକାଶରେ ଚାନ୍ଦ ଦେଖିଲା ପରେ ଯାଇ ଏହା ଆରମ୍ଭ ହୋଇଥାଏ। ଇସଲାମରେ ରମଜାନ୍ ମାସକୁ ପବିତ୍ର ମାସ ବୋଲି ମନେ କରାଯାଏ। ମାସ ସାରା ମୁସଲମାନମାନେ ଉପବାସ ପାଳନ କରିଥାଆନ୍ତି। ଇସଲାମୀ ସାଲରେ ଥିବା ଦୁଇଟି ଇଦ୍ ଭିତରୁ ଏହା ଗୋଟିଏ। ଅନ୍ୟଟି ହେଲା ‘ଇଦ୍- ଉଲ୍- ଅଜହା’। ‘ଇଦ୍- ଉଲ୍-ଫିତର୍’କୁ ପୈଗମ୍ବର ମହମ୍ମଦ ସନ ୬୨୪ରେ ‘ଜଙ୍ଗ- ଏ- ବଦର’ ପରେ ପାଳନ କରିଥିଲେ।

ଜକାତ୍- ଉଲ୍ -ଫିତର୍’ –

ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି, ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାଆନ୍ତି। ଏହା ଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି- କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି। ଇଦ୍ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି। ଏହି ଦାନକୁ ‘ଜକାତ୍- ଉଲ୍ -ଫିତର୍’ କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସି ବି ଖାଦ୍ୟ ଦ୍ରବ୍ୟ କିମ୍ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ୍ ଗରିବମାନଙ୍କ ଭିତରେ ବଣ୍ଟାଯାଏ। ଏହି ଦିନ ସଲାତ୍ ନାମକ ଦୁଇଟି ପର‌୍ୟ୍ୟାୟ (ରକ୍କା) ବିଶିଷ୍ଟ ଏକ ବିଶେଷ ପ୍ରାର୍ଥନା କରାଯାଏ। ଯାହା ଏକ ମୁକ୍ତ ପ୍ରାଙ୍ଗଣ ଅଥବା ହଲ ଭିତରେ କରାଯାଇଥାଏ। ଏହାକୁ ସାମୂହିକ ଭାବରେ (ଜମାତ) କରିବା ଅପହିହାର‌୍ୟ୍ୟ ହୋଇଥାଏ। ଏହି ପ୍ରାର୍ଥନାରେ ଅଧିକ ଆଠ ଗୋଟି ମୁଦ୍ରା (ହାତକୁ କାନ ପାଖକୁ ଉଠାଇବା) ରହିଥାଏ ଯାହାକୁ ‘ଆଲ୍ଲା- ହୁ- ଆକବର’ (ଈଶ୍ୱର ମହାନ ଅଟନ୍ତି) କହିଲା ବେଳେ ସମ୍ପନ୍ନ କରାଯାଏ। ଏଥି ମଧ୍ୟରୁ ପ୍ରଥମ ତିନିଟି ପ୍ରଥମ ରକ୍କାର ଆରମ୍ଭରେ କରାଯାଇଥାଏ ଓ ଶେଷ ତିନିଟି ରୁକୁର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ରକ୍କାରେ କରାଯାଇଥାଏ (ହନାଫି ମତରେ)।ଏହି “ଇଦ୍ ଉଲ୍-ଫିତର୍ ସଲାତ୍ ଫର୍ଦ (ବାଧ୍ୟତାମୂଳକ), ମୁସ୍ତାହବ (କରଣୀୟ) ବା ମନ୍ଦୁବ (ଐଚ୍ଛିକ) ହେବ, ତାହା କେଉଁ ମତରୁ ପ୍ରେରିତ ତା’ ଉପରେ ନିର୍ଭର କରେ। କୁରାନ ସରିଫ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ ମାସସାରା ଉପବାସ ରଖିବାକୁ ଏବଂ ଇଦ୍ ପ୍ରାର୍ଥନା ଆଗରୁ ଜାକାତ୍ ଓ ଫିତର୍ ଅର୍ପଣ କରିବାକୁ କହିଛନ୍ତି।
– ଦେବଦତ୍ତ ରଥ