Odiapua.com

ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଲାଗିଗଲା ଗ୍ରହଣ ..

ଭୁବନେଶ୍ୱର: ଏବେ ଘଟିଥିବା ସୂର୍ଯ୍ୟ ପରାଗର ପ୍ରଭାବ ସିନା ଓଡ଼ିଶାରେ ସେମିତି ପଡ଼ିଲା ନାହିଁ, କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବିଜେପିକୁ ଗ୍ରାସ କରିଛି ଗ୍ରହଣ। ଏବେ ଏବେ ଦାୟିତ୍ୱ ନେଇଥିବା ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ଉପରେ ଦଳ ଅସନ୍ତୁଷ୍ଟ। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଜାରୀ କରାଯାଇଛି କାରଣ ଦର୍ଶାଅ ନୋଟିସ୍। ଜିଲ୍ଲା ସଭାପତି ତାଙ୍କ ଜିଲ୍ଲା ଟିମ୍ ଘୋଷଣା କରୁ କରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ରାଜ୍ୟରେ ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ କେହି କୁଆଡ଼େ ଜିଲ୍ଲା କମିଟି ଘୋଷଣା କରିନଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ତରବରିଆ ଭାବରେ ଘୋଷଣା କରିଦେଲେ ଜିଲ୍ଲା କମିଟି। ତେବେ ଏଥିରେ ସେ ସମସ୍ତଙ୍କ ସହମତି ନନେଇ ମନଇଚ୍ଛା କମିଟି ଘୋଷଣା କରିଥିବା ନେଇ ଅସନ୍ତୁଷ୍ଟ କେତେଜଣ ରାଜ୍ୟ ନେତୃତ୍ୱଙ୍କ ପାଖରେ ଅଭିଯୋଗ କଲେ। ଏହାପରେ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି।

ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ପରାମର୍ଶ କ୍ରମେ ଜିଲ୍ଲା କମିଟି ଗଠନ କରିବା ସହ ତାହା ରାଜ୍ୟର ଅନୁମୋଦନ ପାଇଁ ପଠାଇବା ଦଳୀୟ ସାମ୍ବିଧାନିକ ପ୍ରକ୍ରିୟା। କିନ୍ତୁ, ରାଜ୍ୟ ଅନୁମୋଦନ ବିନା ଜିଲ୍ଲା କମିଟି ଗଠନ କରି ତାକୁ ପୁଣି ସୋସିଆଲ୍ ମିଡିଆରେ ପ୍ରଚାର କରିବା ଦଳୀୟ ସମ୍ବିଧାନର ବିରୁଦ୍ଧ। ଏହା ସର୍ବ ସାଧାରଣରେ ଚର୍ଚ୍ଚିତ ହେବା ଦ୍ୱାରା ଦଳୀୟ ସମ୍ମାନରେ ଆଞ୍ଚ ଆସିଛି। ଏଣୁ ଦଳ ବିରୋଧି କାର୍ଯ୍ୟ ପାଇଁ କାହିଁକି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ବୋଲି ଜିଲ୍ଲା ସଭାପତିଙ୍କୁ ଲିଖିତ ଜବାବ ମଗାଯାଇଥିବା ଜଣାପଡ଼ିଛି। ଏହିପରି ଜାରୀ ହୋଇଥିବା ଏକ କାରଣ ଦର୍ଶାଅ ନୋଟିସ୍ ଏବେ ସୋସିଆଲ୍ ମିଡିଆ ମାଧ୍ୟମରେ ଘୁରି ବୁଲୁଛି। ତେବେ, ଏହାକୁ ନେଇ ଆଶ୍ଚର୍ଯ୍ୟ ମଧ୍ୟ ଅନୁଭବ ହେଉଛି। ଯଦି, ଜିଲ୍ଲା ସଭାପତି ଭୁଲ୍ କରି ଦଳୀୟ ଶୃଙ୍ଖଳା ଭାଙ୍ଗି କମିଟି ଗଠନ କରି ତାହା ସୋସିଆଲ୍ ମିଡିଆରେ ପ୍ରଚାର କଲେ, ତେବେ ରାଜ୍ୟ ବିଜେପି ପକ୍ଷରୁ ଜାରୀ କରାଯାଇ ଥିବା କାରଣ ଦର୍ଶାଅ ନୋଟିସ୍ କେମିତି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏହାଦ୍ୱାରା କ’ଣ ଦଳୀୟ ଶୃଙ୍ଖଳା ମଧ୍ୟ ଭଙ୍ଗ ହେଉନି କି, ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ବିଜେପି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଆଲୋଚନା ହୁଏ। ସେହିପରି ଖୋର୍ଦ୍ଧା ଜିଲ୍ଲା ସଭାପତି ଚୟନ ସଂପୂର୍ଣ୍ଣ ଭାବରେ ଅପରାଜିତା ଷଡ଼ଙ୍ଗୀଙ୍କ ସହମତିରେ ହୋଇଥିବା କୁହାଯାଏ। ଏମିତିରେ ଖୋର୍ଦ୍ଧା ଜିଲ୍ଲା ବିଜେପିରେ ୪/୫ ଗୋଷ୍ଠୀ ଥିବାବେଳେ ଜିଲ୍ଲା ସଭାପତି ଚୟନକୁ ନେଇ ଅନ୍ୟ ଗୋଷ୍ଠୀ ଏବଂ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ। ଅପରାଜିତାଙ୍କ ଉପରେ ଅସନ୍ତୁଷ୍ଟ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷ ଏହି ଗୋଷ୍ଠୀ ସବୁବେଳେ ଏକ ସୁଯୋଗ ଖୋଜୁଥିଲେ। ବାସ୍ ଏତିକି ବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ଏହି ଭୁଲ୍ କରି ବସିଲେ ଏବଂ ଏମାନେ ତ’ ଚାହିଁ ବସିଥିଲେ, ମାଡ଼ି ବସିଲେ।

ତେବେ, ଏଠାରେ କେତେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ଖୋର୍ଦ୍ଧା ଜିଲ୍ଲା ସଭାପତି ମନଇଛା କମିଟି ଗଠନ କରି ଭୁଲ୍ କରିଛନ୍ତି, ତେବେ ଏହା ପୂର୍ବରୁ ଭୁବନେଶ୍ୱର ପୂର୍ବତନ ଜିଲ୍ଲା ସଭାପତି ଯେତେବେଳେ ମନଇଛା ରାତାରାତି କାହାକୁ ଦାୟିତ୍ୱରୁ କାଢ଼ି ଦେଉଥିଲେ ଏବଂ କାହାକୁ ଦଳରେ ଦାୟିତ୍ୱ ଦେଉଥିଲେ ତାହା କିପରି ଦଳୀୟ ଶୃଙ୍ଖଳା ଥିଲା। ସେହିପରି ଏହା ଠିକ୍ ଯେ, ରାଜ୍ୟ ଅନୁମୋଦନ ବିନା ଜିଲ୍ଲା କମିଟି ଘୋଷଣା କରିବା ଦଳୀୟ ସମ୍ବିଧାନ ବିରୋଧି। କିନ୍ତୁ, ଖବର ଅନୁଯାୟୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱୀକୃତିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଏପରି କରିଛନ୍ତି। ତେବେ, ଯଦି ଅପରାଜିତା କିମ୍ବା ଖୋର୍ଦ୍ଧା ଜିଲ୍ଲା ସଭାପତି ଦଳୀୟ ସମ୍ବିଧାନ ଜାଣି ପାରିଲେନି, ତେବେ ସେଠାରେ ଉପସ୍ଥିତ ଥିବା ନିଜକୁ ବରିଷ୍ଠ ନେତା ବୋଲାଉଥିବା ନେତା ଅପରାଜିତାଙ୍କୁ ଏ’ ନେଇ ଅବଗତ କରାଇଲେ ନାହିଁ କାହିଁକି। କ’ଣ ଅପରାଜିତାଙ୍କ ପାଖରେ ରହି କାହା ନିର୍ଦ୍ଦେଶରେ ଅପରାଜିତାଙ୍କୁ ଫସାଇବାକୁ ସେମାନେ ଚାହୁଁଥିଲେ କି ବୋଲି ପ୍ରଶ୍ନ ଉଠୁଛି। ଦଳ ଭିତରେ ଏକ ଗୋଷ୍ଠୀ ତାଙ୍କ ନେତାଙ୍କ ନିର୍ଦ୍ଦେଶରେ ଅପରାଜିତାଙ୍କୁ ବିରୋଧ କରୁଥିବା ହୁଏତ ଅପରାଜିତା ଜାଣିଥାଇ ପାରନ୍ତି। କିନ୍ତୁ, ଦଳ ଭିତରେ ଥିବା ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଯେଉଁମାନେ କି ଅପରାଜିତାଙ୍କୁ ସମର୍ଥନ କରନ୍ତି, ସେମାନେ ଅବହେଳିତ ହେଉଛନ୍ତି କାହିଁକି। ବିରୋଧି ଗୋଷ୍ଠୀଙ୍କ କଥା ଅଲଗା, ବାସ୍ତବରେ ଅପରାଜିତାଙ୍କ ପାଖରେ କିଛି ଚାଟୁକାର ଗୋଷ୍ଠୀ ଘେରି ରହିଛନ୍ତି। ଯେଉଁମାନେ କି ଅପରାଜିତାଙ୍କୁ ଅଧିକ କ୍ଷତି ପହଞ୍ଚାଉଛନ୍ତି ବୋଲି ଆଲୋଚନା ହେଉଛି। /-ଦେବଦତ୍ତ ରଥ