Odiapua.com

ଧର୍ମ ଭିତ୍ତିରେ ପଶ୍ଚିମବଙ୍ଗ ରାଜ୍ୟ ଗଠନରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭୂମିକା

୧୯୫୩ ଜୁନ ୨୩ରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ରହସ୍ୟଜନକ ଭାବେ କାଶ୍ମୀରର ଏକ ଡାକ୍ତରଖାନରେ ମୃତ୍ୟୁ ହୋଇଥିଲା। ପଣ୍ଡିତ ନେହରୁଙ୍କର ନିର୍ଦ୍ଦେଶରେ ଓ ସମ୍ବିଧାନ ପ୍ରଣୟନ ସଭାର ଅନ୍ୟତମ ସଦସ୍ୟ ଶ୍ରୀ ଗୋପାଳ ସ୍ୱାମୀ ଆୟାଙ୍ଗାର ଙ୍କ ତତ୍ତ୍ୱାବଧାନରେ ଧାରା ୩୭୦ ଭାରତୀୟ ସମ୍ବିଧାନରେ ଯୋଡା ଯାଇଥିଲା। ଏହା ଫଳରେ ଜମ୍ମୁକାଶ୍ମୀର ପାଇଁ ସ୍ୱତନ୍ତ୍ର ସଂବିଧାନ, ସ୍ୱତନ୍ତ୍ର ପତାକା ଓ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ପଦବୀ ସୃଷ୍ଟି କରାଯାଇଥିଲା। ଜମ୍ମୁକାଶ୍ମୀରରେ ପ୍ରବେଶ କରିବାକୁ ଜମ୍ମୁକାଶ୍ମୀର ସରକାରଙ୍କଠାରୁ ପରମିଟ୍ ନେବାକୁ ପଡୁଥିଲା। ତାର ପ୍ରତିବାଦ କରି ଶ୍ରୀ ମୁଖାର୍ଜୀ, “ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ, ନେହିଁ ଚଲେଗା” ସ୍ଲୋଗାନ୍‌କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ବିନା ପରମିଟ୍‌ରେ ୧୯୫୩ ମେ ୧୧ରେ କାଶ୍ମୀରରେ ପ୍ରବେଶ କରି ନେହରୁ, ଅବଦୁଲ୍ଲା ଷଢ଼ଯନ୍ତ୍ର ଯୋଗୁଁ ବନ୍ଦୀ ହୋଇଥିଲେ। ଜଣେ ବନ୍ଦୀ ଭାବେ ତାଙ୍କର ଚିକିତ୍ସା ଅଭାବରେ ଦେହାବସାନ ଘଟିଥିଲା। ସେହିଦିନଠାରୁ ଭାରତ ବର୍ଷରେ ତାଙ୍କର ତୀରୋଧାନ ଦିବସକୁ ବଳିଦାନ ଦିବସରୂପେ ପାଳନ କରାଯାଇଆସୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରିଛନ୍ତି। ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ କୋଲକତା ବନ୍ଦରକୁ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀ ବନ୍ଦର ରୂପେ ୨୦୨୦ ଜାନୁଆରୀ ୨୧ରେ ପୁନଃ ନାମିତ କରିଛନ୍ତି। ଏହି ପ୍ରସ୍ତାବ ମୋଦିଙ୍କର କ୍ୟାବିନେଟ ବୈଠକରେ ପାରିତ ହେବା ପରେ ପଶ୍ଚିମବଂଗର କିଛି କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ବାମପନ୍ଥୀ ନେତା ପଶ୍ଚିମବଂଗ ପ୍ରତି ଶ୍ରୀମୁଖାର୍ଜୀଙ୍କର ଅବଦାନ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରତିବେଦନରେ କେନ୍ଦ୍ର ସରକାର ନିଷ୍ପତ୍ତକୁ ସ୍ୱାଗତ କରିବା ସହ ଶ୍ରୀ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଓ ଏହି ପ୍ରଶ୍ନର ଉତ୍ତର ରଖିବା ଆମର ଉଦ୍ଦେଶ୍ୟ।

ଶ୍ରୀ ମୁଖାର୍ଜୀ, ବଙ୍ଗଳାର ବାଘ ରୂପେ ପରିଚିତ ସାର୍ ଆଶୁତୋଷ ମୁଖାର୍ଜୀଙ୍କର ପୁତ୍ର ଥିଲେ ଏବଂ ତାଙ୍କ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ କଲିକତା ବିଶ୍ୱବିଦ୍ୟାଳୟରେ ମାତ୍ର ୩୩ ବର୍ଷ ବୟସରେ କୂଳପତି ଆସନ ଅଳଙ୍କୃତ କରିଥିଲେ। ୧୯୩୭ରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୪୧ରେ ସେ ବଙ୍ଗଳାର ଅର୍ଥମନ୍ତ୍ରୀ ହୋଇଥିଲେ। ୧୯୪୬ରେ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ନେହରୁଙ୍କର ଅନ୍ତରୀଣ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମନ୍ତ୍ରୀ ଥାଇ ମଧ୍ୟ ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କରିଆସୁଥିବା ବେଳେ ଦିଲ୍ଲୀରେ କରାଯାଇଥିବା ନେହରୁ ଲିୟାକତ ଚୁକ୍ତିର ବିରୋଧ କରି ୧୯୫୦ ମସିହା ଏପ୍ରିଲ ୮ରେ ଶ୍ରୀ ମୁଖାର୍ଜୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଏବଂ ଭାରତର ସଂସଦରେ ସ୍ୱତନ୍ତ୍ର ଭାବେ ଭାରତୀୟ ସଂସ୍କୃତିର ସୁରକ୍ଷା, ଦେଶର ସଂଖ୍ୟା ଗରିଷ୍ଠ ହିନ୍ଦୁମାନଙ୍କର ସ୍ୱାର୍ଥରକ୍ଷା ଏବଂ ଭାରତ ବିଭାଜନ ପରେ ପାକିସ୍ତାନରେ ରହିଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କର ସମସ୍ୟାର ସମାଧାନ ଓ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ ନିମନ୍ତେ ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ ଉଦ୍ଦେଶ୍ୟରେ ୧୯୫୧ ଅକ୍ଟୋବର ୨୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠା କରିଥିଲେ। ଦେଶର ଶାସନ ବ୍ୟବସ୍ଥାରେ କଂଗ୍ରେସର ବିକଳ୍ପ ଭାବେ ଏହି ରାଜନୈତିକ ଦଳ ଗଢ଼ାଯାଇଥିଲା। ସେତେବେଳେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହାୟତା ନେଇଥିଲେ ଏବଂ ତତ୍କାଳୀନ ସଂଘ ମୁଖ୍ୟ ଶ୍ରୀ ଗୁରୁଜୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଚାରକ ଭାବେ କାର୍ଯ୍ୟ କରୁଥିବା ସଂଘର ଯୁବନେତୃତ୍ୱ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ, ନାନାଜୀ ଦେଶମୁଖ, ସୁନ୍ଦର ସିଂହ ଭଣ୍ଡାରୀ ଏବଂ ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଜନସଂଘରେ ଯୋଗ ଦେଇଥିଲେ।

ଭାରତୀୟ ସମ୍ବିଧାନ ଅନୁସାରେ ସଂସଦ ପାଇଁ ଅନୁଷ୍ଠିତ ୧୯୫୧-୫୨ ମସିହାର ପ୍ରଥମ ନିର୍ବାଚନରେ ଭାରତୀୟ ଜନସଂଘ ୩ଟି ଆସନ ପାଇଥିଲେ। ସେତେବେଳେ ବିରୋଧୀ ଦଳର ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ କଂଗ୍ରେସ ଚକ୍ରାନ୍ତ କରି କାହାକୁ ବିରୋଧୀ ଦଳ ନେତା ଭାବେ ସ୍ୱୀକୃତି ଦେଇନଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ମୁଖାର୍ଜୀଙ୍କ ନେତୃତ୍ୱରେ ଏକ ରାଷ୍ଟ୍ରୀୟ ଗଣତାନ୍ତ୍ରୀକ ପାର୍ଟି ନାଁରେ ଏକ ସାମ୍ମୁଖ୍ୟ ସୃଷ୍ଟି ହୋଇଥିଲା। ଯେଉଁଥିରେ ତାଙ୍କ ପଛରେ ୩୨ ଜଣ ଲୋକସଭା ସଦସ୍ୟ ଏବଂ ୧୦ ଜଣ ରାଜ୍ୟସଭାର ସଦସ୍ୟଙ୍କ ସମର୍ଥନ ଥିଲା। କଂଗ୍ରେସର ସ୍ୱୀକୃତି ନଥିଲେ ମଧ୍ୟ ଶ୍ରୀ ମୁଖାର୍ଜୀ ହିଁ ପ୍ରଥମ ଲୋକସଭାରେ ବିରୋଧୀଦଳର ଅବିସମ୍ବାଦିତ ନେତା ଥିଲେ।

ପରବର୍ତ୍ତି କାଳରେ ଜନସଂଘ ବିଜେପିରେ ପରିଣତ ହେଲା ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ମଧ୍ୟ ବିଜେପିର ପ୍ରତିଷ୍ଠାତା ରୂପେ ଗୃହୀତ ହୋଇ ଆସିଛନ୍ତି। ସ୍ୱଭାବିକ ଭାବେ ବିଜେପି କେନ୍ଦ୍ରରେ କ୍ଷମତାସୀନ ହୋଇଥିବାରୁ ଶ୍ରୀ ମୁର୍ଖାଜୀଙ୍କ ନାମରେ ପୃଥିବୀର ଅନ୍ୟତମ ବିଶାଳ ନଦୀବନ୍ଦର ରୂପେ ଖ୍ୟାତି ଅର୍ଜନ କରିଥିବା କଲିକତା ବନ୍ଦରର ନାମ ତାଙ୍କ ନାମରେ ପୁର୍ନନାମକରଣ ହେବା ସ୍ୱାଭାବିକ।

ଏବେ ଆମେ ବଙ୍ଗଳାର ବିକାଶ ଓ ସ୍ୱତନ୍ତ୍ର ରାଜ୍ୟ ଗଠନ ପ୍ରତି ଶ୍ରୀ ମୁଖାର୍ଜୀଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିବା। ଲର୍ଡ କର୍ଜନଙ୍କ ସମୟରେ କଲିକତା ପ୍ରେସିଡେନସି ଅଧିନରେ ଥିବା ବେଙ୍ଗଲର ଜନସଂଖ୍ୟା ୮.୫ କୋଟି ଥିବାରୁ ଏହାକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ ହୋଇଥିଲା। ସେହି ଅନୁସାରେ ମୁସଲିମ ବହୁଳ ଜିଲ୍ଲା ଦିନାଜପୁର, ରଙ୍ଗପୁର ମାଲଦା, ମୁର୍ସିଦାବାଦ, ରାଜସାହି, ବୋଗ୍ରା, ପାବନା, ମଇମନସିଂହ, ଯଶୋର, ନଦିଆ, ଫରିଦପୁର, ଢ଼ାକା, ପିପେରା, ବାକରଗଂଜ, ନୂଆଖାଲି ଓ ଚିଟାଗଙ୍ଗକୁ ନେଇ ପୂର୍ବ ବଙ୍ଗ ଏବଂ ଅଣମୁସଲିମ ସଂଖ୍ୟା ଗରିଷ୍ଠ ଜିଲ୍ଲା ଯଥା, କଲିକତା, ହାଓଡା, ହୁଗୁଳି, ବୀରଭୂମି, ବର୍ଦ୍ଧମାନ, ବାଙ୍କୁରା, ମେଦିନାପୁର, ଜଳପାଇଗୁଡି, ଦାର୍ଜଲିଂଗ, ୨୪ ପ୍ରଗଣା, ଖୁଲନା ଓ ଚିଟାଗଙ୍ଗ ହିଲ ଟ୍ରାକ୍ ଅଂଚଳକୁ ନେଇ ପଶ୍ଚିମ ବଙ୍ଗ ସୃଷ୍ଟି ହେଲା। କିନ୍ତୁ ଏହି ବଂଗ ଭଙ୍ଗ ବଙ୍ଗଳାର ସ୍ଥିତି, ଅସ୍ମିତା ଓ ଐକ୍ୟ ଉପରେ ଏକ କୁଠାରଘାତ ଥିଲା। ବଂଗ ଭଙ୍ଗକୁ ନେଇ ଇଂରେଜମାନଙ୍କ ବିରୋଧରେ ଦୀର୍ଘକାଳ ଆନ୍ଦୋଳନ ଚାଲିଲା। ତେଣୁ ୧୯୧୨ ମସିହାରେ ପୁଣି ବଂଗର ପୁନଃ ମିଶ୍ରଣ ନିମନ୍ତେ ଇଂରେଜମାନଙ୍କ ପକ୍ଷରୁ ପ୍ରୟାସ କରାଗଲା। ଦୁଇଟି ସ୍ୱତନ୍ତ୍ର ପ୍ରଦେଶର ପୁନଃ ମିଶ୍ରଣର ସମ୍ଭବ ହୋଇନଥିଲେ ମଧ୍ୟ ସରକାରୀସ୍ତରରେ ବଙ୍ଗକୁ ଗୋଟିଏ ପ୍ରଦେଶର ମାନ୍ୟତା ଦିଆଗଲା। ୧୯୩୭ରେ ବଂଗରେ ମୁସଲିମ ଲିଗ ସଂଖ୍ୟା ଗରିଷ୍ଠତା ଲାଭକରି ସରକାର ଗଢ଼ି ସୁଚିନ୍ତିତ ଉପାୟରେ ହିନ୍ଦୁମାନଙ୍କୁ ମାରିବା, ଧର୍ମାନ୍ତରିତ କରିବା ବା ବଳପୂର୍ବକ ସେମାନଙ୍କ ସଂପତ୍ତି ଅକ୍ତିଆର କରି ଜିଲ୍ଲାରୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଗଲା। ୧୯୪୬ ମସିହାରେ ଶାସନ ବ୍ୟବସ୍ଥାରେ ଥିବା ମୁସଲିମ ଲିଗର ତତ୍ତ୍ୱବଧାନରେ କଲିକତାରେ ହଜାର ହଜାର ହିନ୍ଦୁଙ୍କୁ ହତ୍ୟା କରାଗଲା। ୧୯୪୭ ମସିହାରେ ଯେତେବେଳେ ଦ୍ୱି ରାଷ୍ଟ୍ର ସିଦ୍ଧାନ୍ତ ଅନୁସାରେ ପାକିସ୍ତାନ ଗଠନ ନିଶ୍ଚିତ ହୋଇଗଲା, ସେତେବେଳେ ଦୁଇ ବଂଗଳାକୁ ପୁଣି ଏକାଠି କରି ସଂପୂର୍ଣ୍ଣ ଭାବେ ପୂର୍ବ ପାକିସ୍ତାନରେ ମିଶାଇ ଦେବାକୁ ଚେଷ୍ଟା କରାଗଲା। ବଂଗଳାର ସାଧାରଣ ଜନତା ଏହାର ବିରୋଧ କରିବାରୁ ମୁସଲିମ ଲିଗ ନେତା ସୋହରାୱର୍ଦ୍ଦି ବଙ୍ଗ ପ୍ରଦେଶକୁ ସ୍ୱାୟତ୍ତତା ଦେଇ ପାକିସ୍ତାନରେ ମିଶାଇବା ପାଇଁ ଉଦ୍ୟମ କଲେ। ଏହି ପ୍ରସ୍ତାବକୁ ଶରତ ଚନ୍ଦ୍ର ବୋଷ ଏବଂ କୀରଣ ଶଙ୍କର ରାୟ ପ୍ରମୁଖ ତତ୍କାଳୀନ ବଙ୍ଗଳା କଂଗ୍ରେସର ତାଙ୍କ ନେତାମାନେ ସମର୍ଥନ କରିବାକୁ ଆରମ୍ଭ କଲେ। କିନ୍ତୁ ଏହାର ଅସଲ ଉଦ୍ଦେଶ୍ୟ, କୌଣସି ପ୍ରକାରେ ବଂଗକୁ ଏକତ୍ର ରଖିବା ଏବଂ ସ୍ୱାୟତ୍ତତା ଦେବା ଆଳରେ ପାକିସ୍ତାନ ସହ ମିଶାଇ ପରବର୍ତ୍ତୀ କାଳରେ ସଂପୂର୍ଣ୍ଣ ଭାବେ ବଙ୍ଗର ଇସଲାମୀକରଣ କରିବା ଉଦ୍ୟମକୁ ଶ୍ରୀ ମୁଖାର୍ଜୀ ଠିକ୍ ଭାବେ ବୁଝିପାରିଥିଲେ। ତେଣୁ ବଂଗକୁ ବିଭାଜନ କରି ସ୍ୱତନ୍ତ୍ରଭାବେ ହିନ୍ଦୁମାନଙ୍କର ହୋମଲ୍ୟାଣ୍ଡ ଭାବେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାକୁ ସେ ଆନ୍ଦୋଳନ ଆରମ୍ଭ କଲେ। କିନ୍ତୁ ଧର୍ମ ଭିତ୍ତିରେ ରାଜ୍ୟ ଗଠନ କରିବା ସପକ୍ଷରେ କଂଗ୍ରେସ ନଥିଲା। ତେଣୁ କଂଗ୍ରେସର ତୁଙ୍ଗ ନେତାମାନେ ଶ୍ରୀ ମୁଖାର୍ଜୀଙ୍କର ବିରୋଧ କରିଥିଲେ। କିନ୍ତୁ ବଂଗରେ ଥିବା ସଂଖ୍ୟା ବହୁଳ ହିନ୍ଦୁମାନେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଦାବିକୁ ସମର୍ଥନ ଜଣାଇ ହିନ୍ଦୁମାନଙ୍କ ହୋମ ଲ୍ୟାଣ୍ଡ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସମର୍ଥନ କରିଥିଲେ। ଅବସ୍ଥା ଏପରି ହୋଇଥିଲା ଯେ ଶେଷରେ ବଙ୍ଗଳାର କଂଗ୍ରେସ ନେତାମାନେ ମଧ୍ୟ ଶ୍ରୀ ମୁଖାର୍ଜୀଙ୍କ ପଛରେ ଛିଡା ହୋଇଥିଲେ, ଏଭଳିକି ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ହିନ୍ଦୁମାନଙ୍କୁ ଭୟଭୀତ କରିବା ପାଇଁ ମୁସଲିମମାନେ ହଜାର ହଜାର ସଂଖ୍ୟାରେ ନୂଆଖାଲିରେ ହିନ୍ଦୁମାନଙ୍କୁ ହତ୍ୟା କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ହିନ୍ଦୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଂଗଭାଷୀ ପ୍ରଦେଶ ଗଠନ ଦାବି ପ୍ରଶମିତ ହେଲା ନାହିଁ। ଶେଷରେ ଇଂରେଜ ସରକାର ବଂଗଭଙ୍ଗକୁ ସ୍ୱୀକାର କରିବା ସହିତ ଅଣମୁସଲିମ ବହୁଳ ଜିଲ୍ଲାମାନଙ୍କୁ ନେଇ ହିନ୍ଦୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ପଶ୍ଚିମବଂଗର ଗଠନକୁ ସ୍ୱୀକୃତି ଦେଲେ।

ରେଡକ୍ଲିଫ୍ ବିଭାଜନ ସୂତ୍ରକୁ ସାମନ୍ୟ ଅଦଳ ବଦଳ କରି ଖୁଲନା, ଚିଟାଗଙ୍ଗ ହିଲଟ୍ରାକ୍‌କୁ ପୂର୍ବ ପାକିସ୍ଥାନ ଓ ପଶ୍ଚିମ ଦିନାଜପୁର, ମାଲ୍‌ଦା ଓ ମୁର୍ଶିଦାବାଦ୍‌କୁ ପଶ୍ଚିମବଙ୍ଗରେ ମିଶାଇ ଦିଆଯାଇ ନୂଆ ରୂପେ ପୁର୍ନଗଠିତ କରାଗଲା। ଧର୍ମ ନିରପେକ୍ଷତାର ଡିଣ୍ଡିମ ପିଟୁଥିବା କଂଗ୍ରେସ ଦଳ ଧର୍ମ ଭିତ୍ତିରେ ପଶ୍ଚିମବଂଗ ପୁନର୍ଗଠନକୁ ସ୍ୱୀକାର କରିନଥିଲେ ମଧ୍ୟ ଓଡ଼ିଶା ଯେପରି ଭାଷା ଭିତ୍ତିରେ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି ଠିକ୍ ସେହିଭଳି ହିନ୍ଦୁ ହୋମଲ୍ୟାଣ୍ଡ ଭାବେ ହିନ୍ଦୁଧର୍ମାବଲମ୍ବୀଙ୍କୁ ନେଇ ପଶ୍ଚିମବଂଗ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତାଲାଭ କରିଛି। ହିନ୍ଦୁମାନଙ୍କ ହୋମଲ୍ୟାଣ୍ଡ ଭାବେ ପଶ୍ଚିମବଂଗର ପ୍ରତିଷ୍ଠାକୁ ଅସ୍ୱୀକାର କରିବା ଅର୍ଥ ସତ୍ୟର ଅପଳାପ ଏବଂ ଐତିହାସିକ ସତ୍ୟର ବିରୁଦ୍ଧାଚରଣ। ଯଦି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ନଥାନ୍ତେ ଏବଂ ଜଣେ ହିନ୍ଦୁ କଠୋରପନ୍ଥୀ ନେତା ଭାବେ ହିନ୍ଦୁମାନଙ୍କ ପାଇଁ ବଙ୍ଗାଳୀ ହିନ୍ଦୁ ହୋମଲ୍ୟାଣ୍ଡ ଭାବେ ସ୍ୱତନ୍ତ୍ର ବଙ୍ଗ ପ୍ରଦେଶ ଗଠନ ପାଇଁ ପ୍ରୟାସ କରିନଥାନ୍ତେ ତେବେ ଆଜି ପଶ୍ଚିମବଙ୍ଗ ତ ନଥାନ୍ତା, ଭାରତର ସ୍ୱାଧୀନତା ଆନ୍ଦୋଳନରେ ସବୁବେଳେ ମାର୍ଗଦର୍ଶନ କରି ଆସିଥିବା, ବନ୍ଦେ ମାତରମ୍ ଓ ଜୟ ହିନ୍ଦ୍ ଭଳି ସ୍ଲୋଗାନ ଜରିଆରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରେରଣାର ଉତ୍ସ ପାଲଟିଥିବା ବଙ୍ଗଳାଭାଷା ଓ ବଙ୍ଗପ୍ରଦେଶ ଭାରତର ହୋଇ ରହିନଥାନ୍ତା। ତେଣୁ ସେହି କୃତଜ୍ଞତାର ନିଦର୍ଶନ ସ୍ୱରୂପ ରାଷ୍ଟ୍ରବାଦୀ ବଂଗଭାଷୀ ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୋଲକତା ନଦୀ ବନ୍ଦରକୁ ଡଃ ମୁଖାର୍ଜୀଙ୍କ ନାମରେ ପୁନଃନାମକରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି, ଏଥିରେ ସନ୍ଦେହ ନାହିଁ।

– ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍