Odiapua.com

ଘୋର୍ ଗୋଷ୍ଠୀ କନ୍ଦଳ, ଅପରାଜିତା ଅପଦସ୍ତ: ବନ୍ଧୁ ମିଳନ ଉତ୍ସବରୁ ହଟାଇ ଦିଆଗଲା ବ୍ୟାନର୍ ..

ଭୁବନେଶ୍ବର: ଓଡ଼ିଶା ବିଜେପି ଏବେ ଘୋର ବିଶୃଙ୍ଖଳା ଦେଇ ଗତି କରୁଛି। ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା, ବିଧାନସଭା କ୍ଷେତ୍ର, ମଣ୍ଡଳ ତଥା ବୁଥ୍ ସ୍ତର ଯାଏଁ ଚାଲିଛି ଚରମ ବିଶୃଙ୍ଖଳା ତଥା ଘୋର୍ ଗୋଷ୍ଠୀ କନ୍ଦଳ। ନିକଟରେ ଗତ ଫେବୃଆରୀ ୫ ତାରିଖ ଦିନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଏହାର ଦେଖିବାକୁ ମିଳିଛି ଆଉ ଏକ ନମୂନା। ନିଜ କାର୍ଯ୍ୟକ୍ରମରେ ନିଜେ ଅପଦସ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନିଜ ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି ବ୍ଲକରେ ଦଳ ବିଜେପି ପକ୍ଷରୁ ଆୟୋଜିତ ଏକ ବନ୍ଧୁ ମିଳନ ଉତ୍ସବ ମଞ୍ଚରୁ ହଟାଇ ଦିଆଗଲା ଅପରାଜିତାଙ୍କ ବ୍ୟାନର୍। ବ୍ୟାନର୍ ହଟାଯିବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ବଡ଼ କଥା ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ଯୋଜନା ଅନୁଯାୟୀ ଜିଲ୍ଲା ସଭାପତି ତଥା ଟାଙ୍ଗି ବ୍ଲକ୍ ସାଂସଦଙ୍କ ପ୍ରତିନିଧିଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ମଞ୍ଚ ଉପର ପ୍ରଚ୍ଚଦ ପଟେ ଲଗାଯାଇଥିବା ବ୍ୟାନରରେ ରହିଥିଲା ସାଂସଦ ଅପରାଜିତାଙ୍କ ବ୍ୟତୀତ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ଫଟୋ। କିନ୍ତୁ, ନଥିଲା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ଦଳୀୟ ପାର୍ଥି କାଳୁଚରଣ ଖଣ୍ଡୟତରାୟଙ୍କ ଫଟୋ। ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ କାଳୁ ଖଣ୍ଡୟତରାୟଙ୍କ ସମର୍ଥକ। ଘଟଣା ସ୍ଥଳରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ। ଖବର ଅନୁଯାୟୀ ଘଟଣା ଉପରେ ହସ୍ତକ୍ଷେପ କରି ସାଂସଦ ଜିଲ୍ଲା ସଭାପତିଙ୍କୁ କହି ବ୍ୟାନର୍ ହଟାଇବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ଏବଂ ପହଞ୍ଚିଥିଲେ ଅପରାଜିତା ଷଡ଼ଙ୍ଗୀ।ମଞ୍ଚ ଉପରୁ ସମବେତ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସଙ୍ଗଠନ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହି ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଦେଇଥିଲେ କଡ଼ା ଚେତାବନୀ କାଳୁ ଖଣ୍ଡୟତରାୟ। କିନ୍ତୁ, ବାସ୍ତବରେ ଦେଖିଲେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିଲା ଶୃଙ୍ଖଳା।ବିଶୃଙ୍ଖଳା ସୃଷ୍ଟିକାରୀ ଥିଲେ ନିଜେ ଏମାନଙ୍କ ଭିତରୁ କିଏ। ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଅବା ଗତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ପାର୍ଥି କାଳୁଚରଣ ଖଣ୍ଡୟତରାୟ ଅବା ଏମାନଙ୍କ ଗୋଷ୍ଠୀ ଏମାନଙ୍କ ସମର୍ଥକ ମାନଙ୍କ ମଧ୍ୟରୁ କିଏ! ତୁଚ୍ଛାରେ ଦୋଷ ଦେଉଛନ୍ତି ପରକୁ ..
-/Dev@Dr